ହକି ବିଶ୍ୱକପ ଫେରିଲା, ଓଡିଶା ଇତିହାସ ରଚିଲା । ଯାହା ବଡ ବଡ ଦେଶ କରିପାରିନଥିଲେ, ତାହା ଓଡିଶା କରି ଦେଖାଇଲା । ହକି ବିଶ୍ୱକପ ପାଇଁ ଓଡିଶା କାହିିଁକି ପାଲଟିଲା ପ୍ରଥମ ପସନ୍ଦ?

2,259

କନକ ବ୍ୟୁରୋ : ଓଡିଶାକୁ ହକି ବିଶ୍ୱକପ ଫେରିଲା, ଇତିହାସ ପୃଷ୍ଠାରେ ନାଁ ଲିପିବଦ୍ଧ ହେଲା । ସ୍ପୋର୍ଟ୍ସ କ୍ୟାପିଟାଲର ଆଖ୍ୟା ପାଇଥିବା ଓଡ଼ିଶାକୁ ପୁଣିଥରେ ମିଳିଛି ହକି ବିଶ୍ୱକପ ଆୟୋଜନର ବଡ ଦାୟିତ୍ୱ । ଆସନ୍ତା ୨୦୨୩ରେ ପୁଣିଥରେ ଓଡିଶା ମାଟିରେ ଦେଖିବାକୁ ମିଳିବ ହକି ବିଶ୍ୱକପର କ୍ରେଜ । ହକି ପ୍ରେମରେ କମ୍ପିବ କଳିଙ୍ଗ, ଝୁମି ଉଠିବ ସୁନ୍ଦରଗଡ । କାରଣ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ହକି ବିଶ୍ୱକପର ମ୍ୟାଚ୍ । ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପର ଆୟୋଜକ ଭାବେ ଓଡିଶାକୁ ମିଳିଛି ବଡ ଉପହାର ।

ହକି ବିଶ୍ୱକପ ଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରିବାକୁ କିଏ ବା ନ ଚାହିଁବ । ସେଥିପାଇଁ ୨୦୨୩ ହକି ବିଶ୍ୱକପ ପ୍ରତିଯୋଗିତା ପୂର୍ବରୁ ହିଁ ଏହାର ଆୟୋଜନ ପାଇଁ ଭାରତ, ମାଲେସିଆ ଓ ବେଲଜିୟମ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରତିଯୋଗିତା । ହକି ବିଶ୍ୱକପର ଆୟୋଜନ ପାଇଁ ବିଡ୍ ଦାଖଲ କରିଥିଲେ ୩ ଦେଶ । ତେବେ ଏହି ରେସରେ ବାଜି ମାରିନେଇଥିଲା ଭାରତ । ଆୟୋଜକ ରାଷ୍ଟ୍ର ଭାବେ ଦାୟିତ୍ୱ ମିଳିବା ପରେ କେଉଁଠି ବିଶ୍ୱକପ୍ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ବିଶ୍ୱକପ ଆୟୋଜନ ପାଇଁ ଓଡିଶାକୁ ପ୍ରଥମ ପସନ୍ଦର ଭେନ୍ୟୁ ଭାବେ ବାଛିଥିଲା ହକି ଇଣ୍ଡିଆ । ଆଉ ଏହାସହ ନୂଆ ଇତିହାସ ରଚିଥିଲା ଓଡିଶା । ବିଶ୍ୱକପ୍ ଭଳି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାର ସୁଯୋଗ ଏଯାଏଁ କିଛି ଦେଶକୁ ମିଳିନଥିବା ବେଳେ ଓଡିଶା ଲଗାତାର ୨ ଥର ବିଶ୍ୱକପ୍ ଆୟୋଜନର କରିବାର ବିରଳ ରେକର୍ଡ ନିଜ ନାଁରେ କରିଛି ।

୨୦୧୮ ବିଶ୍ୱକପ ହକିର ଆୟୋଜନ କରି ପୂରା ବିଶ୍ୱକୁ ଚମକାଇ ଦେଇଥିଲା ଓଡିଶା । ସ୍ମାର୍ଟସିଟି ଭୁବନେଶ୍ୱରରେ ପ୍ରଥମ ଥର ବିଶ୍ୱକପ ଭଳି ବଡ ଟୁଣ୍ଣାମେର୍ଣ୍ଟର ସଫଳ ଆୟୋଜନ କରି ମନ ଜିଣିନେଇଥିଲେ ରାଜ୍ୟ ସରକାର । କିନ୍ତୁ ଏଥର କେବଳ ରାଜଧାନୀରେ ସୀମିତ ରହିବନି ହକି ବିଶ୍ୱକପର କ୍ରେଜ । ରାଜଧାନୀରୁ ରାଉରକେଲାକୁ ବ୍ୟାପିବ ହକି ଫିଭର । ଆଉ ହକି ଷ୍ଟିକର ଜଲୱା ଦେଖିବ ଉପକୂଳରୁ ପଶ୍ଚିମ । କାରଣ ସ୍ମାର୍ଟସିଟି ଭୁବନେଶ୍ୱର ପରେ ହକି ମହାକୁମ୍ଭର ମୂକସାକ୍ଷୀ ପାଲଟିବାକୁ ଯାଉଛି ସ୍ମାର୍ଟସିଟି ରାଉରକେଲା ।

ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡକୁ ପୂରା ବିଶ୍ୱରେ ପରିଚିତ କରିବା ପାଇଁ ନବୀନ ନେଇଥିଲେ ବଡ ନିଷ୍ପତ୍ତି । କାରଣ ଏହି ସୁନ୍ଦରଗଡ ମାଟିରୁ ଅନେକ ପ୍ରତିଭାବାନ ହକି ଖେଳାଳି ଦେଶ ପାଇଁ ଖେଳିବା ସହ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଆଉ ପ୍ରତିବଦଳରେ ସୁନ୍ଦରଗଡରେ ହକି ବିଶ୍ୱକପର ଆୟୋଜନ କରି ପୂରା ବିଶ୍ୱକୁ ଏହାର ପ୍ରକୃତ ପରିଚୟ ଦେବାକୁ ଚାହିଁଥିଲେ ନବୀନ । ଆଉ ନବୀନଙ୍କ ଏହି ନିଷ୍ପତ୍ତିକୁ ମାନି ନେଇଥିଲା ହକି ଇଣ୍ଡିଆ । ସୁନ୍ଦରଗଡରେ କେବଳ ହକି ବିଶ୍ୱକପ ଆୟୋଜନ ନେଇ ଘୋଷଣା କରିନାହାନ୍ତି ନବୀନ । ବରଂ ସୁନ୍ଦରଗଡରେ ୧୭ଟି ବିଶ୍ୱସ୍ତରୀୟ ଅତ୍ୟାଧୁନିକ ହକି ଷ୍ଟାଡିୟମ ନିର୍ମାଣ ପାଇଁ ମୂଳଦୁଆ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାପୂର୍ବରୁ ୨୦୧୮ ପୁରୁଷ ହକି ବିଶ୍ୱକପର ସଫଳ ଆୟୋଜନ କରି ଦେଶ ଓ ବିଦେଶରେ ଉଚ୍ଚ ପ୍ରଂଶସିତ ହୋଇଥିଲା ଓଡିଶା । ହକି ମହାକୁମ୍ଭର ଏଭଳି ଆୟୋଜନ ଓଡିଶା କରିଥିଲା ଯେ, ପୂରା ଦେଶର ଆଖି ଲାଖି ଯାଇଥିଲା । ଏପରିକି ହକି ବିଶ୍ୱକପର ଆୟୋଜନ କରି ଓଡିଶା ବିଶ୍ୱ ଦରବାରରେ ନିଜର ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିଲା । ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ଏମିତି ଢଙ୍ଗରେ ରାଜ୍ୟ ସରକାର ଆୟୋଜନ କରିଥିଲେ ଯେ, ପୂରା ବିଶ୍ୱ ବାଃ ବାଃ ନ କହି ରହିପାରିନଥିଲା । ଉଦଘାଟନୀ ଉତ୍ସବ ଠାରୁ ଉଦଯାପନୀ ଉତ୍ସବ କେଉଁଥିରେ ଟିକିଏ ବି ଉଣା କରିନଥିଲେ ରାଜ୍ୟ ସରକାର । ଆୟୋଜନ ଏଭଳି ହୋଇଥିଲା ଯେ, ବିଦେଶରୁ ଆସିଥିବା ହକି ପ୍ରେମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖେଳାଳୀ ଓ ବିଦେଶୀ ପର୍ଯ୍ୟଟକଙ୍କ ରହଣୀ ଠାରୁ ଆରମ୍ଭ କରି ସେମାନଙ୍କୁ ଆତିଥେୟତା ଦେବା ପର୍ଯ୍ୟନ୍ତ କେଉଁଥିରେ କମ କରିନଥିଲେ ରାଜ୍ୟ ସରକାର । ସେଥିପାଇଁ ତ ୨୦୧୮ ହକି ବିଶ୍ୱକପ ସରୁ ସରୁ ଓଡ଼ିଶାରେ ୨୦୧୯ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚର ଆୟୋଜନ କରିବା ପାଇଁ ଘୋଷଣା କରିଥିଲେ ଏଫଆଇଏଚ୍ ସଭାପତି । ଏସବୁ ଭିତରେ ୨୦୧୯ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି । ଏବେ ପୁଣିଥରେ ହକି ମହାକୁମ୍ଭର ପାଳି ।