ଓଡ଼ିଶା ଗରିବ କାହିଁକି ? ଗାନ୍ଧୀ ଜୟନ୍ତୀରେ ମନେ ପଡିଲା ମହାତ୍ମାଙ୍କ ମନ୍ତବ୍ୟ । ଜାଣନ୍ତୁ କ’ଣ କହିଥିଲେ ଗାନ୍ଧିଜୀ ।

345

କନକ ବ୍ୟୁରୋ : ସମୟ ସହ ରାଜ୍ୟ ଆଗକୁ ବଢୁଛି । ଓଡିଶାର ଜନସଂଖ୍ୟା ମଧ୍ୟ ବେଶ ବଢିଛି । କିନ୍ତୁ ରାଜ୍ୟରେ ଗରିବୀ ଦୂରିକରଣ କ୍ଷେତ୍ରରେ ସେମିତି କିଛି ପରିବର୍ତନ ହୋଇନାହିଁ । ସବୁ ଲୋକେ ଭଲରେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଖାଇବା କଷ୍ଟକର ହୋଇପଡୁଛି । ତେବେ ଓଡିଶାର ଦାରିଦ୍ରତାକୁ ନେଇ ୮୩ ବର୍ଷ ତଳେ ଚିନ୍ତା ପ୍ରକଟ କରିଥିଲେ ଜାତୀର ଜନକ । ଓଡିଶା ଗସ୍ତ ବେଳେ ମହାତ୍ମା ଗାନ୍ଧୀ କହିଥିଲେ ଓଡିଶାର ଦାରିଦ୍ରତା ପାଇଁ ନିଶା, ଜଡତା ଓ ଆଳସ୍ୟ ହିଁ ପ୍ରମୁଖ ଦାୟୀ । ଆଜିର ଦିନରେ ଏହି ଉକ୍ତିର ଢେର ପ୍ରାସଙ୍ଗିକତା ବି ରହିଛି ।

ଯୁଗ ବଦଳିଛି, ହେଲେ ଓଡିଶାର ଦାରିଦ୍ର୍ୟ ନିରାକରଣରେ ଆଖିଦୃଶିଆ ସଫଳତା ପାଇ ନାହିଁ । ମହାତ୍ମା ଗାନ୍ଧୀ ଓଡିଶା ଗସ୍ତରେ ଆସି ୧୯୩୮ ମସିହାରେ ଯାହା କହିଥିଲେ, ତାହାର ପ୍ରାସଙ୍ଗିକତା ଆଜି ବି ରହିଛି । ଓଡିଶାର ଦାରିଦ୍ର୍ୟ ପାଇଁ ମୁଖ୍ୟତଃ ୩ଟି କାରଣକୁ ଦାୟୀ କରିଥିଲେ ମହାତ୍ମା ଗାନ୍ଧୀ । ସେଗୁଡିକ ହେଉଛି, ନିଶା, ଆଳସ୍ୟ ଓ ଜଡତା ।

ଓଡିଶାର ଦାରିଦ୍ର୍ୟକୁ ନେଇ ୮୩ ବର୍ଷ ପୂର୍ବେ ଜାତିର ପିତା ମହାତ୍ମା ଗାନ୍ଧୀ ଯାହା କହିଯାଇଛନ୍ତି । ତାହାର ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି । ନିଶା ଏବେ ଯୁବପିଢିଙ୍କୁ କୁପଥକୁ ଟାଣି ନେଉଛି । ଆଳସ୍ୟ ଓ ଜଡ଼ତା ମଧ୍ୟ ସମାଜରେ ପରିଲଖିତ ହେଉଛି ।

ସେହି ସମୟରେ ଓଡିଶାରେ ଅଫିମର ବ୍ୟବହାର ଅଧିକ ହେଉଥିଲା । ଦେଶୀ ମଦ ଓ ଗଂଜେଇ ମଧ୍ୟ ବ୍ୟବହାର କରୁଥିଲେ ଲୋକ । ଏବେ ଓଡିଶାରେ ନିଶାର ପ୍ରସାର ପୂର୍ବପେକ୍ଷା ଅଧିକ ହୋଇଛି । ଗଂଜେଇ, ମଦ ଓ ବ୍ରାଉନସୁଗାର ବେପାର ବେଧଡକ ଚାଲିଛି । ଏହାଛଡା ଜଡ଼ତା ବା ନିଷ୍କ୍ରିୟତା ଆମକୁ ପଛରେ ପକାଉଥିବା କହିଥାନ୍ତି ବିଶେଷଜ୍ଞ ।

ଓଡିଆ ଅଧିକ ସହନଶୀଳ, ହକ୍ ପାଇଁ ଲଢ଼େଇ କରିବା ମନବୃତି ଦେଖାଯାଏ ନାହିଁ । ପ୍ରତିବାଦ ନକରିବା ଅର୍ଥ ହିଂସାକୁ ପ୍ରଶୟ ଦେବା ବୋଲି ଗାନ୍ଧୀ କହୁଥିଲେ । ଆଳସ୍ୟ ନେଇ ଗାନ୍ଧୀଜୀ ଯେଉଁ ମନ୍ତବ୍ୟ ଦେଇଥିଲେ, ଆଜି ବି ଆମ ସମାଜରେ ରହିଛି ବୋଲି କୁହାଯାଏ ।

ସେହିପରି ମହାତ୍ମା ଗାନ୍ଧୀ ପୁରୀର ବେରବୋଇ ଅଧିବେଶନରେ କହିଥିଲେ, ଖାଦ୍ୟ ଓ ଖଦିର ଭଣ୍ଡାର କଲେ ରାଜ୍ୟ ସମୃଦ୍ଧ ହେବ । ଏହାଛଡା ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ପାଇଁ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରିବାକୁ ଗୁରୁତ୍ୱ ଦେଉଥିଲେ ଗାନ୍ଧୀ । ତାଙ୍କରି ନିର୍ଦ୍ଦେଶରେ ବେରବୋଇରେ ଆୟୋଜିତ ସେବା ସଂଘ ଅଧିବେଶନରେ ବ୍ୟବହୃତ ସମସ୍ତ ସାମଗ୍ରୀ ୧୦ କିଲୋମିଟର ପରିଧି ଭିତରୁ ଅଣାଯାଇଥିଲା । ସମୟ ବଦଳିଛି, ଦେଶ ବଦଳିଛି । ଡିଜିଟାଲ କ୍ରାନ୍ତିରେ ପାଦ ଥୋଇ ଭାରତ ବିକାଶ ପଥରେ ଆଗେଇ ଯାଉଛି । ହେଲେ ଗାନ୍ଧୀଙ୍କ ବିଚାର, ଦେଶକୁ ସମୃଦ୍ଧ ଓ ସ୍ୱାବଲମ୍ବୀ କରିବାରେ ମୌଳିକ ଉପାୟ ହୋଇ ରହିଛି, ଏଥିରେ କୌଣସି ସନ୍ଦେହ ନାହିଁ ।