ରାଜ୍ୟରେ ବଢୁଛି ବିଦ୍ୟୁତ ବୋଝ । ପ୍ରଶ୍ନ, ଦିଲ୍ଳୀ ମଡେଲକୁ କାହିଁକି ଆପଣାଉନାହିଁ ଓଡ଼ିଶା?

ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି, ୪୦୦ ୟୁନିଟ ପାଇଁ ୧,୦୫୦ ଟଙ୍କା

280

କନକ ବ୍ୟୁରୋ: ଓଡ଼ିଶାରେ ପୁଣି ବଢ଼ିଛି ବିଦ୍ୟୁତ ଦର । ତେବେ ଏସବୁ ଭିତରେ ପ୍ରଶ୍ନ ଏତିକି, ଦିଲ୍ଳୀ ଓ ଅନ୍ୟ କେତେକ ରାଜ୍ୟର ମଡେଲ କାହିଁକି ଆପଣାଉନାହିଁ ଓଡ଼ିଶା? ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ମିଳୁଛି ମାଗଣା ବିଜୁଳି । ୪୦୦ ୟୁନିଟ ପାଇଁ ଦିଲ୍ଲୀରେ ମିଟର ଚାର୍ଜ ଛଡ଼ା ୧,୦୫୦ ଟଙ୍କା ପଡୁଥିବା ବେଳେ ଓଡ଼ିଶାରେ ୪ ତାରିଖଠାରୁ ପଡିବାକୁ ଯାଉଛି ୨,୦୩୦ ଟଙ୍କା । ବିଦ୍ୟୁତ ସଂସ୍କାରରେ ଓଡ଼ିଶା ଦେଶରେ ପ୍ରଥମ ହୋଇଥିବା ବେଳେ ଏହାର ଲାଭ ଓଡ଼ିଶାର ଗ୍ରାହକଙ୍କୁ ମିଳୁନାହିଁ ।

ବିଦ୍ୟୁତ ସଂସ୍କାରରେ ଓଡ଼ିଶା ଦେଶରେ ଅଗ୍ରଣୀ । ହେଲେ ଦିଲ୍ଲୀ ମଡେଲକୁ କାହିଁକି ଆପଣାଉନାହିଁ ଓଡ଼ିଶା? ଏମିତି କିଛି ପ୍ରଶ୍ନ ଅନେକଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଏବେ ପୁଣି ଥରେ ଓଡ଼ିଶାରେ ବିଦ୍ୟୁତ ୟୁନିଟ୍ ପିଛା ୩୦ ପଇସା ବଢ଼ିବା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପୂର୍ବରୁ ସେପ୍ଟେମ୍ବର ମାସରେ ବିଦ୍ୟୁତ ୟୁନିଟ ପିଛା ୨୦ ପଇସା ବଢ଼ିଥିବା ବେଳେ ଏବେ ଏପ୍ରିଲ ୪ରୁ ପୁଣି ୩୦ ପଇସା ବଢ଼ିବା ପାଇଁ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

ଘରୋଇ ଗ୍ରାହକଙ୍କ ପାଇଁ ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ପଡ଼େ ନାହିଁ । ହେଲେ ୨୦୦ରୁ ଅଧିକ ୟୁନିଟ୍ ବିଦ୍ୟୁତ ବ୍ୟବହାର କଲେ ବିଭିନ୍ନ ସ୍କାବ୍ରେ ଦର ପଡ଼ିଥାଏ । ଉଦାହରଣ ସ୍ୱରୂପ ଦିଲ୍ଲୀରେ ମାସିକ ୪୦୦ ୟୁନିଟ ବ୍ୟବହାର କଲେ ଆପଣଙ୍କୁ ମିଟର ଚାର୍ଜ ବ୍ୟତୀତ ମାତ୍ର ୧,୦୫୦ ଟଙ୍କା ଦେବାକୁ ପଡିବ । ହେଲେ ଏବେ ଓଡ଼ିଶାରେ ସେହି ୪୦୦ ୟୁନିଟ୍ ବିଦ୍ୟୁତ ଖର୍ଚ୍ଚ କଲେ ଆପଣଙ୍କୁ ଦେବାକୁ ପଡ଼ିବ ୨୦୩୦ ଟଙ୍କା ।

ଦିଲ୍ଲୀ ଭଳି କିଛି ରାଜ୍ୟ ବିଦ୍ୟୁତ କ୍ଷେତ୍ରରେ ସବସିଡି ଦେବା ସହ ବୈଷୟିକ ଓ ବ୍ୟାବସାୟିକ କ୍ଷତି- (ଏଟି ଆଣ୍ଡ୍ ସି ଲସ୍) ପରିମାଣ ଯଥେଷ୍ଟ କମାଇଛନ୍ତି । ୨୦୦୨ରେ ଦିଲ୍ଲୀରେ ଏହି କ୍ଷତି ପରିମାଣ ୫୫% ଥିବା ବେଳେ ଏବେ ଏହା ପ୍ରାୟ ୧୧ ପ୍ରତିଶତକୁ ଖସିଆସିଛି । ହେଲେ ଓଡ଼ିଶାରେ କ୍ଷତିପରିମାଣ ଏବେ ବି ୨୫ ପ୍ରତିଶତ ରହିଛି । ଶକ୍ତି ସମୀକ୍ଷକମାନଙ୍କ କହିବା କଥା କେବଳ ସବସିଡି ନୁହେଁ, ଓଡ଼ିଶାରେ ଶକ୍ତି ଉତ୍ପାଦନ, ପରିବହନ ଓ ବଂଟନ ଦାୟିତ୍ୱରେ ଥିବା ସଂସ୍ଥାଗୁଡ଼ିକର ପ୍ରଦର୍ଶନକୁ ଠିକ୍ ଭାବେ ସମୀକ୍ଷା କରାଯାଉନାହିଁ । ଓଡ଼ିଶାରେ କୋଇଲା, ପାଣି ଭଳି ସବୁ ସଂସାଧନ ଶସ୍ତାରେ ମିଳୁଥିବା ବେଳେ ବି ଓଡ଼ିଶା ଲୋକେ ଅଧିକ ବିଦ୍ୟୁତ୍ ଦେୟ ଦେଉଛନ୍ତି । ଓଡ଼ିଶାରେ ବଡ଼ ବଡ଼ କମ୍ପାନୀ ଉପରେ ଶହ ଶହ କୋଟି ଟଙ୍କା ବିଦ୍ୟୁତ ଦେୟ ବକେୟା ପଡ଼ୁଛି । ହେଲେ ସାଧାରଣ ଖାଉଟି ଉପରେ ସବୁ ବୋଝ ଲଦି ଦିଆଯାଉଛି ।