‘ଓଡ଼ିଆ’କୁ ଯଦି ଓଡ଼ିଶାରେ ସମ୍ମାନ ମିଳିବନି, ତାହେଲେ ମିଳିବ କେଉଁଠି? କୁଆଡେ ଯାଉଛି ଆମ ଓଡ଼ିଆ ଭାଷା?

286

ଆଜିର ଦିନରେ ଯେଉଁମାନେ ଓଡ଼ିଆ ଭାଷାରେ ସାମ୍ବାଦିକତା କରୁଛନ୍ତି, ସେମାନେ ଓଡ଼ିଆ ଭାଷାକୁ ଧନ୍ୟବାଦ ଦେବା ନିହାତି ଜରୁରୀ । ଓଡ଼ିଆ ଭାଷା ଜାଣିଥିବାରୁ ଅର୍ଥାତ୍ ଓଡ଼ିଆ ଭାଷାରେ ଲେଖି ଜାଣିଥିବାରୁ ଆଜି ଟେଲିଭିଜନ କିମ୍ବା ଖବରକାଗଜରେ ସାମ୍ବାଦିକତା କରି ଜୀବିକା ନିର୍ବାହ କରିପାରୁଛନ୍ତି । କିନ୍ତୁ ଏହା ମଧ୍ୟ ସତ ଯେ, ହାତଗଣତି କିଛି ପେଶାକୁ ଛାଡ଼ିଦେଲେ, କେବଳ ଓଡ଼ିଆ ଜାଣିଲେ ଆପଣଙ୍କୁ ଭଲ ଚାକିରି ଖଣ୍ଡିଏ ମିଳିବା ମୁସ୍କିଲ୍ । କାରଣ ଆଜିର ଦିନରେ ବି ଆମ ଓଡ଼ିଆ ଭାଷା ଜୀବନଜୀବିକାର ଭାଷା ହୋଇପାରିନାହିଁ ।

କେବଳ ଓଡ଼ିଆ ଜାଣିଥିଲେ ଆପଣ ବଡ ବଡ କର୍ପୋରେଟ୍ ହାଉସରେ ଚାକିରି କରିପାରିବେ ନାହିଁ । କେବଳ ଓଡ଼ିଆ ଜାଣିଥିଲେ ଆପଣ କୋର୍ଟରେ ମାମଲା ଲଢ଼ିପାରିବେ ନାହିଁ । କେବଳ ଓଡ଼ିଆ ଜାଣିଥିଲେ ଆପଣ ସରକାରୀ ଦପ୍ତରରେ ସହଜରେ କାମଟିଏ କରିପାରିବେ ନାହିଁ । କାହିଁକି ନା’ ଆମ ଭାଷା କୋର୍ଟ କଚେରୀର ଭାଷା ନୁହେଁ, ଏପରିକି ଆମ ଭାଷା, ସଂପୂର୍ଣ୍ଣ ଭାବରେ ପ୍ରଶାସନର ଭାଷା ହୋଇ ପାରିନାହିଁ କିମ୍ବା ଆମ ଭାଷା ଜୀବନଜୀବିକାର ଭାଷା ନୁହେଁ । ଯେଉଁଥିପାଇଁ ଆଜି ଆମକୁ ଆଇନ ଆଣିବାକୁ ପଡ଼ିଛି ଏବଂ କଡ଼ାକଡ଼ି ଭାବେ ଭାଷା ଆଇନକୁ ଲାଗୁ କରିବାକୁ କସରତ କରିବାକୁ ପଡୁଛି ।

୮୪ ବର୍ଷ ତଳେ ଯେଉଁ ରାଜ୍ୟ ଭାଷାଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଗଠନର ଗୌରବ ପାଇଥିଲା । ସେହି ଉକ୍ରଳ ପ୍ରଦେଶରେ ବା ଓଡ଼ିଶା ରାଜ୍ୟରେ ଆଜି ସେହି ଭାଷାକୁ ନେଇ ଆନ୍ଦୋଳନ ହେଉଛି, ଭାଷାକୁ ନେଇ ବିତର୍କ ହେଉଛି । ଏହି ୮ଦଶନ୍ଧି ଭିତରେ କ’ଣ ଏମିତି ହେଲା ଯେ, ଓଡ଼ିଶାରେ ଓଡ଼ିଆ ଭାଷାକୁ ନେଇ ଚିନ୍ତା କରିବାକୁ ପଡୁଛି । କାରଣଟି ହେଲା, ଓଡ଼ିଶାରେ ଓଡ଼ିଆ କହୁଥିବା ଲୋକଙ୍କୁ ସମ୍ମାନ ଦିଆଯାଏ ନାହିଁ । ଫଳରେ ଭାଷାକୁ ନେଇ ଆମ ମଧ୍ୟରେ ହୀନମନ୍ୟତା ସୃଷ୍ଟି ହୋଇଛି । ଆଉ ଇଂରାଜୀ ଏବଂ ହିନ୍ଦୀ କରୁଥିବା ଲୋକଙ୍କୁ ମୁଣ୍ଡରେ ବସାଯାଉଛି ।

ଓଡ଼ିଆରେ ପାଠ ପଢୁଥିବା ପିଲାଙ୍କୁ ଆମେ ଇଂରାଜୀ ଭାଷାରେ ଅଧ୍ୟୟନ କରୁଥିବା ପିଲାମାନଙ୍କ ଠାରୁ ନ୍ୟୁନ ଦୃଷ୍ଟିରେ ଦେଖୁଛୁ । ତେବେ ଏଥିରେ ଦ୍ୱିମତ ହେବାର ନାହିଁ ଯେ, ସମଗ୍ର ବିଶ୍ୱ ଗୋଟିଏ ବଜାର ଆଡକୁ ମୁହାଁଉଥିବା ବେଳେ ଇଂରାଜୀ ଶିକ୍ଷା ବର୍ତ୍ତମାନ ସମୟ ପାଇଁ ନିହାତି ଆବଶ୍ୟକ । ଏହି ସନ୍ଧୀକାଳରେ ଇଂରାଜୀ ଏବଂ ଓଡ଼ିଆ ଭାଷା ଭିତରେ ଆମେ ଏକ ମଜବୁତ ସମନ୍ୱୟ ରଖିବାରେ ସଫଳ ହୋଇପାରିଲେ ନାହିଁ । ୧୯୫୪ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆମକୁ ୬ ଦଶନ୍ଧୀ କାଳ ଲାଗିଲା । ଯେଉଁ ବ୍ୟବସ୍ଥା ଲାଗୁ ହେଲା ତାକୁ ନେଇ କୋଠର ଦଣ୍ଡବିଧାନ ନେଇ ଏବେ ବି ବିତର୍କ ଲାଗିରହିଛିି । ଯେଉଁଥିପାଇଁ ହୁଏତ, ଆଜି ଆମର ଏଭଳି ଦୋଦୁଲ୍ୟମାନ ସ୍ଥିତି ।

ଏହି ପ୍ରସଙ୍ଗରେ ଆଉ ଏକ ଦିଗ ହେଲା । ଆମେ କାହାକୁ ଗୁରୁତ୍ୱ ଦେବା, ଯେଉଁମାନେ ଓଡ଼ିଆ ଭାଷାକୁ ଆଦର କରୁଛନ୍ତି ନା’ ଯେଉଁମାନେ ଅନାଦର କରୁଛନ୍ତି? ଯେଉଁମାନେ ଓଡ଼ିଆ ଭାଷାକୁ ନେଇ ଆଶାବାଦୀ ନା’ ଯେଉଁମାନେ ଓଡ଼ିଆଭାଷାକୁ ନେଇ ଅତ୍ୟନ୍ତ ନିରାଶାବାଣୀ ଶୁଣାନ୍ତି? ଓଡ଼ିଆ ଭାଷାରେ ଭବିଷ୍ୟତ ଦେଖୁଥିବା ଲୋକଙ୍କ କଥା ଦେଖିବା ନା’ ଓଡ଼ିଆ ଭାଷାରେ ଅନ୍ଧକାର ଦେଖୁଥିବା ଲୋକଙ୍କୁ ଆମେ ଗୁରୁତ୍ୱ ଦେବା? କିଏ ଓଡ଼ିଆ ଜାଣିନି ବା ଓଡ଼ିଆ କହୁନି ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, କିଏ କହୁଛି ଏବଂ ଭାଷା ପାଇଁ ଲଢୁଛି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଏବେ ନିଷ୍ପତି ନେବାର ସମୟ ଆସିଛି । ନହେଲେ ଓଡ଼ିଶାରେ ଓଡ଼ିଆ, ଏମିତି ଅସମ୍ମାନିତ ହେଉଥିବ । ଯଦି ଓଡ଼ିଆ ଭାଷା ଓଡ଼ିଶାରେ ସମ୍ମାନ ନପାଇବ, ତାହେଲେ କେଉଁ ରାଜ୍ୟରେ ଏହି ଭାଷାକୁ ସମ୍ମାନ ମିଳିବ? କୁହାଯାଏ- ନିଜ ମୂଳକୁ ଭୁଲିଯାଉଥିବା ଲୋକ, କେବଳ ଉପରମୁହାଁ ହୋଇ ଦୁନିଆକୁ ଦେଖନ୍ତି । ସେମାନେ ଯେତେ ଆଗକୁ ଗଲେ ବି ନିଜ ପରିଚୟ ହରାଇ ବସିବା ନିଶ୍ଚିତ । ଆଉ ପରିଚୟ ହରାଉଥିବା ଏଭଳି ଲୋକଙ୍କୁ କେବଳ ସ୍ୱାର୍ଥପର ହିଁ କୁହାଯାଇପାରିବ । ସେମାନେ ବ୍ୟକ୍ତିଗତ ସ୍ତରରେ ଉନ୍ନତି କରିପାରନ୍ତି, କିନ୍ତୁ ଓଡ଼ିଆ ଜାତି ପାଇଁ ଅଭିଶାପ ପାଲଟିଯିବେ ।

(ଲେଖକ ବରିଷ୍ଠ ସାମ୍ବାଦିକ । କନକ ନ୍ୟୁଜର ସାପ୍ତାହିକ ସ୍ତମ୍ଭରେ ଏହା ତାଙ୍କର ବ୍ୟକ୍ତିଗତ ମତ । ଏହା କନକ ନ୍ୟୁଜର ମତ ନୁହେଁ ।)