କନକ ବ୍ୟୁରୋ : ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ସସପେଣ୍ଡ ହେଲେ ହାବିଲଦାର । ପୋଲିସ୍ କଷ୍ଟଡି ଦାୟିତ୍ୱରେ ହାବିଲଦାରଙ୍କୁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ୍ ଡିଜି ସୁନୀଲ ବଂଶଲ । ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆଇଆଇସି ଦୌପଦୀ ଦାସ । ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ହାବିଲଦାରଙ୍କ ବିରୋଧରେ । ଯାହାକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସଂଘର ପ୍ରଶ୍ନ ଆଇଆଇସିଙ୍କ ବିରୋଧରେ କାହିଁକି ନିଆଯିବନି କାର୍ଯ୍ୟାନୁଷ୍ଠାନ? ତଳିଆ ଅଫିସରଙ୍କୁ ସସପେଣ୍ଡ କରି ବଡ ବଡିଆ ଅଫିସରଙ୍କୁ କାହିଁକି ଘଣ୍ଟ ଘୋଡାଉଛି ପୋଲିସ ବିଭାଗ? ଆଇଆଇସି ଦ୍ରୌପଦୀ ଦାସଙ୍କ ମୁଣ୍ଡ ଉପରେ କାହାର ଆର୍ଶୀବାଦ ରହିଛି ଯେ, ପୋଲିସ ବିଭାଗ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି ।

Advertisment

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣାରେ କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବାକୁ ହାବିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲା କିଏ? କଷ୍ଟଡି ଦାୟିତ୍ୱରେ ଥିବା ହାବିଲଦାର କଣ ନିଜେ ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବାକୁ ନେଇଥିଲେ ନିଷ୍ପତ୍ତି ନା ଆଇଆଇସିଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ଏଭଳି କରିଥିଲେ ହାବିଲଦାର । ଏସବୁ ଭିତରେ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ମହଲରୁ ଦାବି ଉଠିଛି । ଏପରିକି ବିଭିନ୍ନ ସ୍ଥାନରେ ପ୍ରତିବାଦ ଆରମ୍ଭ ହୋଇଛି । ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ରାଜ୍ୟ ସାରା ପ୍ରତିବାଦ ହେବ ବୋଲି ସାମ୍ବାଦିକ ସଂଘ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଖବର ପ୍ରସାରଣ ପରେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି ପୋଲିସ । ଗତକାଲି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ କ୍ୟାବିନକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ କାହିଁକି ଶିକୁଳି ପକାଇ ରଖାଯାଇଥିଲା ବୋଲି ଗଣମାଧ୍ୟମର ପ୍ରଶ୍ନ ପରେ ପ୍ରତିକିୟାଶୀଳ ହୋଇପଡ଼ିଛନ୍ତି ନିଳଗିରି ଆଇଆଇସି ଦ୍ରୌପଦୀ ଦାସ । ଲୋକନାଥଙ୍କ ସହ ତାଙ୍କର ସମ୍ପର୍କୀୟଙ୍କୁ କ୍ୟାବିନରେ କାହାରିକୁ ଭେଟିବାକୁ ଦିଆଯାଉନାହିଁ । ଏପରିକି ରାତିରେ ଶୋଇଲା ବେଳେ କବାଟ ଖୋଲା କରି ଶେଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପେଶାଦାର ଅପରାଧୀ ଭଳି ତାଙ୍କୁ ଜଗିରହୁଛନ୍ତି ସଶସ୍ତ୍ର ପୋଲିସ । ସାମ୍ବାଦିକଙ୍କ ଉପରେ ପୋଲିସ ଜୁଲମ୍ ବିରୋଧରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ନିଳଗିରି ପୋଲିସର ଏଭଳି ଅମାନୁଷିକ କାର୍ଯ୍ୟକୁ ନେତା, ସାମ୍ବାଦିକ ଓ ସାମାଜିକ କର୍ମୀ ନିନ୍ଦା କରିଛନ୍ତି ।

ପୋଲିସ୍ ଡିଜିପି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିକ୍ରିୟା ରଖିଥିବା ବେଳେ କାହିଁକି ଆଇଆଇସିଙ୍କୁ ଉତ୍ତରଦାୟୀ କରାଯାଇ ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇଥିବା ନିଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ନା ମିଳିମିଶି ଏହି ମାମଲାକୁ ଚାପି ଦିଆଯିବ ସେ ନେଇ ସନ୍ଦେହ ଉପୁଜିଛି । ନିଳିଗିରିରେ ସବୁ ସୀମା ଟପିଯାଇଥିଲା ପୋଲିସ । ବର୍ଦ୍ଦିର ବହପ ମୁଣ୍ଡକୁ ଏତେ ଚଢ଼ିଯାଇଥିଲା ଯେ, ଜଣେ କର୍ତବ୍ୟରତ ସାମ୍ବାଦିକ ସହ ପେଶାଦାର ଅପରାଧୀ ଭଳି ବ୍ୟବହାର କରାଯାଇଥିଲା । ସମ୍ବାଦ ଓ କନକ ନ୍ୟୁଜର ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରିଥିବା ନୀଳଗିରି ପୋଲିସ୍ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିବା ବେଳେ ଗୋଡ଼ରେ ବେଡ଼ି ପକାଇ ରଖିଥିଲା । ଯାହାର ଫଟୋ ସାମ୍ନାକୁ ଆସିବା ପରେ ଚାରିଆଡ଼ୁ ଉଦବେଗ ପ୍ରକାଶ ପାଇଛି । କିଭଳି ଓ କାହା ସାହାସରେ ନୀଳଗିରି ଆଇଆଇସି ଏଭଳି ପଦକ୍ଷେପ ନେଲେ, ତାକୁ ନେଇ ବିବାଦ ତିଆରି ହୋଇଛି । ତେବେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ତଦନ୍ତ ଆରମ୍ଭ ହୋଇଛି । ଜଣେ ଡିଏସପି ରାଙ୍କର ଅଧିକାରୀ ମାମଲାର ଅନୁଧ୍ୟାନ କରୁଥିବା କହିଛନ୍ତି ବାଲେଶ୍ୱର ଏସପି ସୁଧାଂଶୁ ମିଶ୍ର ।