କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । କାହିଁକି ୧୦୦ ପ୍ରତିଶତ ଟିକା କିଣିବେ ନାହିଁ କେନ୍ଦ୍ର ସରକାର ?

316

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଉପରେ ଆକ୍ରମଣାତ୍ମକ ହୋଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ ଆଜି ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନ୍ୟାୟାଧିସ । ଟିକା ପାଇଁ ପଞ୍ଜିକରଣକୁ ନେଇ କୋର୍ଟ ଉଭୟ  ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି ନିରକ୍ଷର ମାନେ କେମିତି ପଞ୍ଜିକରଣ କରିବେ ଓ ସେ ନେଇ ସରକାର କ’ଣ ଯୋଜନା କରିଛନ୍ତି ? । ଜଷ୍ଟିସ ଚନ୍ଦ୍ରଚୁଡ କହିଛନ୍ତି କି ରାଷ୍ଟ୍ରୀୟ ଟିକାକରଣ ନୀତି କାହିଁକି ପାଳନ କରାଯାଉ ନାହିଁ । ଅନ୍ୟପଟେ ଟିକା କିଣାକୁ ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଲାଗିଥିବା ବିବାଦ ଉପରେ ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି କାହିଁକି କେନ୍ଦ୍ର ସରକାର ଶତ ପ୍ରତିଶତ ଟିକା କିଣିବେ ନାହିଁ ? ।

ଏହାସହିତ କୋଭିଡ -୧୯ ସୂଚନା ପ୍ରସାର ଉପରେ କେହି ରୋକ୍ ଲଗାଇବା ଉଚିତ୍ ନୁହେଁ ବୋଲି କୋର୍ଟ କହିବା ସହ ସୂଚନା ଉପରେ ରୋକ୍ ଲଗାଇବା ଅର୍ଥ ଅଦାଲତ ଅବମାନନା ବୋଲି କୋର୍ଟ ସୂଚାଇ ଦେଇଛନ୍ତି । ଏହାସହ କୋର୍ଟ କହିଛନ୍ତି କି  ସୂଚନା ପସାର କରୁଥିବା ନାଗରିକ ମାନଙ୍କ ଉପରେ ଯେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ପୋଲିସ ମହାନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କରିବାର ଆବଶ୍ୟକତା ରହିଛି ।

ଅକ୍ସିଜେନର ଅଭାବ ନେଇ କୋର୍ଟରେ ଦାଖଲ ହୋଇଥିବା ଯାଚିକା ଉପରେ ଜଷ୍ଟିସ ଚନ୍ଦ୍ରଚୁଡ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କୋର୍ଟ କହିଛନ୍ତି କି ଟ୍ୟାଙ୍କର ଓ ସିଲିଣ୍ଡରକୁ  ଅଭାବକୁ ପୁରଣ କରିବାକୁ ସରକାର କେଉଁ ନୀତି ଆପଣାଇଛନ୍ତି ତାହା କୋର୍ଟକୁ ଜଣାନ୍ତୁ । କାରଣ କେବଳ ଦିଲ୍ଲୀ ନୁହେଁ ମହାରାଷ୍ଟ୍ର ଓ ଗୁଜୁରାଟର ବି ସ୍ଥିତି ସମାନ ବୋଲି କୋର୍ଟ ଦର୍ଶାଇବା ସହ ଆଗାମୀ ଶୁଣାଣି ବେଳେ କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ କି କିଭଳି ଏହି ସମସ୍ୟାର ସମାଧାନ ହୋଇ ପାରିବ  ଓ ଏନେଇ ସରକାରଙ୍କ ଯୋଜନା କ’ଣ ?