ଜନ୍ମ ହାର ହ୍ରାସ ନେଇ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ‘ଟେନସନ’ରେ ।  ସେ କାହିଁକି ସାରା ଦେଶରେ ମହିଳାଙ୍କୁ  ସହାୟତା ମାଗୁଛନ୍ତି ?

72

କିଛିଦିନ ତଳେ ରୁଷର ରାଷ୍ଟ୍ରପତି ପୁଟିନ ତାଙ୍କ ଦେଶର  ମହିଳାମାନଙ୍କୁ ୮ ଟି ସନ୍ତାନ ଜନ୍ମ କରିବାକୁ ପ୍ରସ୍ତାବ ଦେଇ ବିବାଦରେ ପଡ଼ିଥିଲେ । ଏବେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ସମାନ କଥା ତାଙ୍କ ଦେଶର ମହିଳାମାନଙ୍କୁ କହିଛନ୍ତି ।

ଆଜିକାଲି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଟେନସନରେ ଅଛନ୍ତି । ଦେଶରେ ହ୍ରାସ ପାଉଥିବା ଜନ୍ମ ହାରକୁ  ବନ୍ଦ କରିବାକୁ ସେ ମହିଳାମାନଙ୍କୁ ନିବେଦନ କରିଛନ୍ତି।

ସିଓଲ୍ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ନିକଟରେ ସାରା ଦେଶରେ ମହିଳାଙ୍କୁ ଡାକି ନିଜର ସମସ୍ୟା ବିଷୟରେ କହିଛନ୍ତି । ଦେଶରେ ଜନ୍ମ ହାର ବୃଦ୍ଧି କରିବାକୁ ଆବେଦନ କରି ସେ ସରକାରଙ୍କ ଉଦ୍ୟମରେ ମହିଳାଙ୍କ ସହାୟତା ଲୋଡିଥିଲେ । ରବିବାର ବିଳମ୍ବିତ ରାତିରେ ମହିଳା ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ କହିଥିଲେ ଯେ ଏହି ହ୍ରାସକୁ ବନ୍ଦ କରିବାକୁ ଆମେ ସମସ୍ତେ ଚେଷ୍ଟା କରିବା ଉଚିତ୍ । ଏହି କାର୍ଯ୍ୟକ୍ରମରେ କିମ୍ କହିଛନ୍ତି, ‘ଜନ୍ମ ହାର ହ୍ରାସକୁ ବନ୍ଦ କରିବା ଏବଂ ପିଲାମାନଙ୍କର ଭଲ ଯତ୍ନ ନେବା ଆମର ପାରିବାରିକ ବିଷୟ । ସମସ୍ତେ ମିଳିମିଶି ଏହି ସମସ୍ୟାର ସମାଧାନ ଖୋଜିବା ଉଚିତ୍ ।

ବାସ୍ତବରେ, ଗତ ୧୦ ବର୍ଷ ମଧ୍ୟରେ ଉତ୍ତର କୋରିଆର ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି । ଏଭଳି ପରିସ୍ଥିତି ଦେଶ ପାଇଁ ଚିନ୍ତାର ବିଷୟ । ତେବେ ଉତ୍ତର କୋରିଆର ଜନସଂଖ୍ୟାର ସଠିକ ସୂଚନା ପାଇବା କଷ୍ଟକର । ୨୦୨୩  ସୁଦ୍ଧା ଉତ୍ତର କୋରିଆରେ ଜଣେ ମହିଳାଙ୍କ ପାଇଁ ଜନ୍ମ ହୋଇଥିବା ପିଲାମାନଙ୍କର ହାରାହାରି ସଂଖ୍ୟା ୧.୮ ଥିଲା । ଏହି ପ୍ରଜନନ ହାର ନିଶ୍ଚିତ ଭାବରେ ଉତ୍ତର କୋରିଆର କିଛି ପଡୋଶୀ ଦେଶ ତୁଳନାରେ ଅଧିକ, କିନ୍ତୁ ସରକାର ଏହି ଆକଳନକୁ ନେଇ ଚିନ୍ତିତ ଅଛନ୍ତି । ଉତ୍ତର କୋରିଆର ପଡୋଶୀ ଦେଶ ମଧ୍ୟ ସମାନ ଜନ୍ମ ହାର ହ୍ରାସ ନେଇ ଅସୁବିଧାରେ ଅଛନ୍ତି ।

ଉତ୍ତର କୋରିଆର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ୱେବସାଇଟର ମୁଖ୍ୟ ଆନ୍ କ୍ୟୁଙ୍ଗ-ସୁଙ୍କ ଅନୁଯାୟୀ, ‘ଅନେକ ଉତ୍ତର କୋରିଆ ପରିବାର ଗୋଟିଏରୁ ଅଧିକ ସନ୍ତାନ ପାଇବାକୁ ଚାହାଁନ୍ତି ନାହିଁ କାରଣ ସେମାନେ ଅନୁଭବ କରନ୍ତି ଯେ ପିଲାର ଭରଣପୋଷଣ, ଶିକ୍ଷା ଇତ୍ୟାଦି ପାଇଁ ଯାହା ଖର୍ଚ୍ଚ ହେବେ ତାହା ସେମାନେ ଭରଣା କରିପାରିବେ ନାହିଁ ।

ଉତ୍ତର କୋରିଆ ଗଣମାଧ୍ୟମ ଅନୁଯାୟୀ, ଦେଶରେ ତିନି କିମ୍ବା ଅଧିକ ପିଲା ଥିବା ପରିବାରକୁ ମାଗଣା ଶସ୍ୟ, ସବସିଡି, ମାଗଣା ଚିକିତ୍ସା ଇତ୍ୟାଦି ସରକାର ବିଶେଷ ସୁବିଧା ପ୍ରଦାନ କରୁଛନ୍ତି, ତଥାପି ଲୋକମାନେ ଅଧିକ ସନ୍ତାନ ଜନ୍ମ କରିବାକୁ ଚାହୁଁନାହାନ୍ତି ।