କେତେ ଜରୁରୀ ନାଇଟ୍ କର୍ଫ୍ୟୁ? ଭିନ୍ନ ଭିନ୍ନ ମତ ରଖିଲେ ବିଶେଷଜ୍ଞ । ଜାଣନ୍ତୁ, କଣ କହିଲେ…

232

କନକ ବ୍ୟୁରୋ: ସଂକ୍ରମଣ ରୋକିବା ପାଇଁ ଲକଡାଉନ, ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ଭଳି କଟକଣା ଲଗାଇଥାନ୍ତି ସରକାର । ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି । ପୁନେରେ ସଂଧ୍ୟା ୬ରୁ ୧୨ ଘଂଟିଆ କର୍ଫ୍ୟୁ ଲଗାଯାଇଛି । ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର । ତେବେ ଛୋଟ ସହର ଓ ଗ୍ରାମାଂଚଳରେ ରାତି ୧୦ଟା ପରେ କର୍ଫ୍ୟୁ, ସଂକ୍ରମଣ ରୋକିବାରେ କେତେ ସହାୟକ ହେବ, ତାହା ସବୁଠୁ ବଡ଼ ପ୍ରଶ୍ନ ।

ରାଜ୍ୟକୁ ନାଇଟ୍ କର୍ଫ୍ୟୁ ଫେରିଥିବା ବେଳେ ଏହି କଟକଣା କେତେ ଲାଭଦାୟକ, ତାହା ଉପରେ ବିଶେଷଜ୍ଞମାନେ ଅଲଗା ଅଲଗା ମତ ଦିଅନ୍ତି । ତେବେ ଅନେକ ସାମାଜିକ ଉତ୍ସବ, କିଛି ଧାର୍ମିକ ଉତ୍ସବ ପ୍ରାୟତଃ ରାତିରେ ପାଳନ କରାଯାଏ, ତେଣୁ ରାତି କର୍ଫ୍ୟୁ ସଂକ୍ରମଣ ରୋକିବାରେ ସହାୟକ ହୋଇଥାଏ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।

ରାତି କର୍ଫ୍ୟୁ କାହିଁକି ଜରୁରୀ?

  • ନାଇଟ୍ କ୍ଲବ, ବାର ଆଦି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥାଏ
  • ବିବାହ ଆଦି ସାମାଜିକ ଉତ୍ସବ ପ୍ରାୟତଃ ରାତିରେ ପାଳନ କରାଯାଏ
  • ପରିବାର ସହ ଲୋକେ ଅଧିକ ରାତି ଯାଏ ବାହାରେ ବୁଲାବୁଲି କରନ୍ତି
  • ଦୋକାନ, ବଜାରରେ ଅଧିକ ଭିଡ଼ ହୁଏ
  • ସାମାଜିକ ଦୂରତା ମାନିନଥାନ୍ତି ଲୋକେ

ବିଶେଷ କରି ବଡ଼ ବଡ଼ ସହରରେ ସଂକ୍ରମଣ ରୋକିବାରେ ନାଇଟ୍ କର୍ଫ୍ୟୁ ସହାୟକ ହୋଇଥାଏ । ତେବେ ରାଜ୍ୟର ଯେଉଁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି, ସେହି ଜିଲ୍ଲାଗୁଡିକରେ ରାତ୍ରୀ କାଳୀନ କାର୍ଯ୍ୟକଳାପ ସେତେ ଅଧିକ ନୁହେଁ, ତେଣୁ ଏହି ନାଇଟ୍ କର୍ଫ୍ୟୁ କେତେ ସହାୟକ ହେବ ତାହା ବଡ଼ ପ୍ରଶ୍ନ । ଛୋଟ ସହର ଓ ଗ୍ରାମାଂଚଳରେ ରାତ୍ରୀକାଳୀନ କଟକଣା, ସଂକ୍ରମଣ ରୋକିବାରେ କେତେ ପ୍ରଭାବଶାଳୀ ହେବ, ତାହା ବିତର୍କିତ ବିଷୟ ହୋଇ ରହିଆସିଛି ।