କନକ ବ୍ୟୁରୋ : ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଦୁଇ ଦିନ ହେବ ସାରା ଦେଶ ଠପ୍ ହୋଇଯାଇଥିଲା । ଗୃହ ସଚିବ ଅଜୟ ଭଲ୍ଲାଙ୍କ ଆଶ୍ୱସନା ପରେ ଏବେ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ସଂସଦରେ ପାସ ହୋଇଥିବା ନୂଆ ବିଲ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍)ରେ ହିଣ୍ଡ-ଆଣ୍ଡ-ରନ ମାମଲାର ଦଣ୍ଡବିଧାନକୁ ବିରୋଧ କରି ଟ୍ରକ ଓ ବସ ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଇଣ୍ଡିଆନ ପେନାଲ କୋର୍ଡ(ଆଇପିସି) ବଦଳରେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍) ଲାଗୁ କରାଯାଇଛି । ନୂଆ ଆଇନ ଅନୁସାରେ,
ଆଇପିସିରେ ହିଟ୍-ଆଣ୍ଡ-ରନ ମାମଲାରେ ୨ ବର୍ଷର ଦଣ୍ଡବିଧାନ ରହିଛି
ବିଏନଏସରେ ହିଟ୍-ଆଣ୍ଡ-ରନ ମାମଲାରେ ୧୦ ବର୍ଷର ଦଣ୍ଡବିଧାନ ରହିଛି
ଆଇପିସିରେ ହିଟ୍-ଆଣ୍ଡ-ରନ ମାମଲାରେ କମ ଜୋରିମାନା ରହିଛି
ବିଏନଏସରେ ହିଟ୍-ଆଣ୍ଡ-ରନ ମାମଲାରେ ୭ ଲକ୍ଷ ଟଙ୍କାର ଜୋରିମାନା ରହିଛି

Advertisment

ହିଟ୍-ଆଣ୍ଡ-ରନ ଯୋଗୁ ପ୍ରତିବର୍ଷ ଭାରତରେ ପ୍ରାୟ ୫୦ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ତେଣୁ ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାର ନୂଆ ଭାରତୀୟ ନ୍ୟାୟ ସଂହିତାରେ ନିୟମ କଡାକଡି କରିଛନ୍ତି । ଦୁର୍ଘଟଣା ଘଟଣାବା ପରେ ଚାଳକ ପୁଲିସକୁ ନଜଣାଇ ପଳାଇଗଲେ ୧୦ ବର୍ଷ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ରହିଛି ।

ଆଇପିସିର ଧାରା ୩୦୪(ଏ) ଅନୁସାରେ ଚାଳକଙ୍କ ଭୁଲ ଯୋଗୁ ଦୁର୍ଘଟଣାରେ କାହାର ମୃତ୍ୟୁ ହେଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । କିନ୍ତୁ ଲାଗୁ ହେବାକୁ ଥିବା ଭାରତୀୟ ନ୍ୟାୟ ସଂହିତା ବିଏନଏସର ଧାରା ୧୦୪ ଅନୁସାରେ ଚାଳକଙ୍କ ଭୁଲ ଯୋଗୁ କାହାର ମୃତ୍ୟୁ ହେଲେ ଏହା ଦଣ୍ଡନୀୟ ଅପରାଧ ଭାବେ ଗଣାଯିବ ।

ବିଏନଏସର ଧାରା ୧୦୪(୧) କାହାର ମୃତ୍ୟୁ ହେଲେ ଚାଳକଙ୍କ ପାଇଁ ୫ ବର୍ଷ ଜେଲ ଦଣ୍ଡ ।

ବିଏନଏସର ଧାରା ୧୦୪(୨) ଦୁର୍ଘଟଣାରେ ମୃତ୍ୟୁ ପରେ ପୁଲିସକୁ ନଜଣାଇ ଚାଳକ ଫେରାର ହୋଇଗଲେ, ୧୦ ବର୍ଷ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି ।
ଯାହାକୁ ଚାଳକମାନେ ବିରୋଧ କରିବା ସହ ଏତେ ଟଙ୍କାର ଜୋରିମାନା ରାଶି କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ।

ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରଥମେ ପାଇଲଟ ପ୍ରୋଜେକ୍ଟ ଭାବେ ଅହମଦାବାଦରେ ଏହି ଭାରତୀୟ ନ୍ୟାୟ ସଂହିତା ସହ ତିନିଟି କ୍ରିମିନାଲ ଆଇନ ଲାଗୁ ହେବ । ଏବଂ ଆଗାମୀ ବର୍ଷଟେ ମଧ୍ୟରେ ସାରା ଦେଶରେ ୯୦ ଭାଂଗ ଅଂଚଳରେ ଏହି ତିନି ଆଇନ ଲାଗୁ କରିବାକୁ ଯୋଜନା କରିଛନ୍ତି ସରକାର । କିନ୍ତୁ ଡ୍ରାଇଭରଙ୍କ ଆନ୍ଦୋଳନ ଏବେ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି ।