କେନ୍ଦ୍ରକୁ କାହିଁକି ତୁରନ୍ତ ବାତ୍ୟା ବାବଦ ଆର୍ଥିକ ସହାୟତା ମାଗିଲେ ନାହିଁ ନବୀନ? ଟ୍ୱିଟ୍ କରି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ ।

683

କନକ ବ୍ୟୁରୋ : ବାତ୍ୟା କ୍ଷୟକ୍ଷତି ବାବଦକୁ ତୁରନ୍ତ ଆର୍ଥିକ ସହାୟତା ନ ମାଗିବା ପଛର କାରଣ କହିଲେ ନବୀନ । ଟ୍ୱିଟ୍ କରି ଏ ବାବଦରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ୍ ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି । କିନ୍ତୁ ଏବେ ଦେଶ ମହାମାରୀର ସାମ୍ନା କରୁଥିବାରୁ ତୁରନ୍ତ ଆର୍ଥିକ ସହାୟତା ମାଗିନାହୁଁ ବୋଲି କହିଛନ୍ତି ନବୀନ । ତୁରନ୍ତ ବାତ୍ୟା ସହାୟତା ମାଗି କେନ୍ଦ୍ର ସରକାରଙ୍କ ଉପରେ ଆର୍ଥିକ ବୋଝ ଲଦିବାକୁ ଚାହିଁନୁ । ବରଂ ବାତ୍ୟାରେ ଯାହା କ୍ଷୟକ୍ଷତି ହୋଇଛି ତାହାର ଭରଣା ରାଜ୍ୟ ସରକାର ନିଜେ କରିବେ ବୋଲି କହିଛନ୍ତି ନବୀନ ।

ତେବେ ସମୀକ୍ଷା ବୈଠକରେ ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ଏହାର କିଭଳି ମୁକାବିଲା କରାଯାଇଥିଲା ତାହା ଏକ ଭିଡ଼ିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦେଖାଯାଇଥିଲା । ଆଉ ଏହାସହ ଲଗାତାର ବାତ୍ୟାରେ ପ୍ରଭାବିତ ହେଉଥିବା ଓଡ଼ିଶା ପାଇଁ ଏକ ଦୀର୍ଘ ମିଆଦି ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ନବୀନ ।  ଯେଉଁଥିରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଏକ ସୁରକ୍ଷାବଳୟ ସୃଷ୍ଟି କରାଯିବ । ଏହାବାଦ୍ ବାତ୍ୟା ଦ୍ୱାରା ବାରମ୍ବାର ବିଦ୍ୟୁତ ଯୋଗାଣ ପ୍ରଭାବିତ ହେଉଥିବାରୁ ପ୍ରଭାବିତ ହେଉଥିବା ଅଞ୍ଚଳ ଗୁଡିକରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ସହ  ଅଣ୍ଡରଗ୍ରାଉଣ୍ଡ କେବୁଲ କରିବାକୁ ଦାବି କରିଛନ୍ତି ନବୀନ ।