ମୋଦି ଯିବା ପରେ….! ୨୦୧୯ ଉପରେ ପ୍ରଭାବକୁ ନେଇ ରାଜନୈତିକ ବୟାନବାଜି । କିଏ କହିଲେ କଣ, ଜାଣନ୍ତୁ ।

62

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତ୍ତି ଅବସରରେ ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ବିଜେପି ସରକାରର ୪ବର୍ଷର ସଫଳତାକୁ ବଖାଣିଥିଲେ । କିନ୍ତୁ ପ୍ରକୃତରେ ମୋଦି ଏହି ୪ର୍ଥ ପାଳିର ଉତ୍ସବ ଅନ୍ୟ କେଉଁ ରାଜ୍ୟ କିମ୍ବା ଅନ୍ୟ କେଉଁ ସ୍ଥାନରେ ପାଳନ କରିବା ପରିବର୍ତ୍ତେ ମହାନଦୀ ପଠା କାହିଁକି ବାଛିଥିଲେ ତାହାକୁ ନେଇ ରାଜ୍ୟବାସୀ ନୁହେଁ ବରଂ ଦେଶବାସୀଙ୍କ ମନକୁ ମଧ୍ୟ ଆନ୍ଦୋଳିତ କରିଛି । ହେଲେ ମୋଦିଙ୍କ ସେହି ୧ଘଣ୍ଟା ୧୦ ମିନିଟ ର ଅଭିଭାଷଣରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ପ୍ରକୃତରେ ମୋଦିଙ୍କ ଓଡିଶା ଗସ୍ତ ଫଳପ୍ରଦ ହେବ ନା ନବୀନଙ୍କ ଗଡ ଦଖଲ କରିବାରେ ଏହି ଗସ୍ତ ଫିକା ପଡିଯିବ ତାହା ଆଗାମୀ ୨୦୧୯ ନିର୍ବାଚନରେ ହିଁ ସ୍ପଷ୍ଟ ହୋଇଯିବ ।

ଗତକାଲି ପ୍ରଧାନମନ୍ତ୍ରୀ ମହାନଦୀ ପଠା କଟକ ବାଲିଯାତ୍ରା ପଡିଆରେ କେନ୍ଦ୍ର ସରକାରଙ୍କ ଚାରି ବର୍ଷର ସଫଳତାର ଲମ୍ବା ଚିଠା ଦେଶବାସୀଙ୍କ ଆଗରେ ରଖିଥିଲେ । ହେଲେ ମୋଦିଙ୍କ ଓଡିଶା ଗସ୍ତ ପରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ କ’ଣ ମୋଦିଙ୍କ ମ୍ୟାଜିକ ଅନ୍ୟରାଜ୍ୟ ଭଳି ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରେ ଦେଖିବାକୁ ମିଳିବ କି? ନା ରାଜ୍ୟ ରାଜନୀତିରେ ଏହାର କୌଣସି ପ୍ରଭାବ ପଡିବ ନାହିଁ? ଏଭଳି ତମାମ ପ୍ରଶ୍ନ ଗୋଟଏ ଫିଲ୍ମରେ ଥିବା ସସପେନ୍ସ ପରି ସଦୃଶ ହେଉଛି । କିନ୍ତୁ ଗତକାଲି ପୂର୍ବଭାରତରେ ଶିଳାନ୍ୟାସ କରିବା ଲକ୍ଷ୍ୟରେ ଆସିଥିବା ମୋଦି ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେଡି କହିଛି । କାରଣ ଦୀର୍ଘ ୧୭ ବର୍ଷ ଧରି ନିରଙ୍କୁଶଭାବେ ଶାସନ କରୁଥିବା ବିଜେଡି ଊପରେ ମୋଦିଙ୍କ ଗସ୍ତର ପ୍ରଭାବ କିଛି ପଡିବ ନାହିଁ ବୋଲି କହିଛି ବିଜେଡି । ମୋଦି ଆସିଲେ ନିଜର ପ୍ରଚାର କରି ଚାଲିଗଲେ, କିନ୍ତୁ ଓଡିଶା ପାଇଁ କୌଣସି ଗଠନ ମୂଳକ କାର୍ଯ୍ୟ ବିଷୟରେ କହିଲେ ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଏପରିକି ଯେଉଁ ମହାନଦୀ ବିଷୟରେ ମୋଦି ଯାହା ତଥ୍ୟ ଦେଲେ ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପାଲଟା ଅଭିଯୋଗ କରିଛି ବିଜେଡି । ଜଣେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଥିଲା ପୁରା ନୈରାଶ୍ୟଜନକ କାରଣ ଏକ ଘଣ୍ଟା ୧୦ ମିନିଟର ଭାଷଣରେ ମୋଦି ଓଡିଶା ବିଷୟରେ ମାତ୍ର ୩-ରୁ ୪ ମିନିଟ ଉଦବୋଧନ ଦେଇ ଓଡିଶାବାସୀଙ୍କୁ ନିରାଶ କରିଛନ୍ତି । ଏବଂ ଯେଉଁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପୂର୍ବରୁ ମୋଦି ପ୍ରଥମେ ବିଜେପି ଶାସିତ ରାଜ୍ୟ ଗୁଡିକର ସ୍ୱାସ୍ଥ୍ୟସେବାରେ ଉନ୍ନତି କରନ୍ତୁ । ଓଡିଶାରେ ଦାନ ମାଝୀ ଘଟଣା ପରଠାରୁ ସ୍ୱାସ୍ଥ୍ୟ ସେବାରେ ଅନେକ ବୃଦ୍ଧି ହୋଇଛି ବୋଲି ବିଜେଡି କହିଛି । ଯଦି କେନ୍ଦ୍ର ସରକାର ରାଜ୍ୟ ମାଗିଥିବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉପକରଣମାନ ସଠିକ୍ ସମୟ ଏବଂ ଉପଯୁକ୍ତ ପରିମାଣରେ ପ୍ରଦାନ କରନ୍ତେ ତେବେ ନିଶ୍ଚିନ୍ତ ଭାବେ ଓଡିଶା ଅନ୍ୟରାଜ୍ୟ ତୁଳନାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି କରିବ । କିନ୍ତୁ ଗତାକାଲି ମୋଦିଙ୍କ ଗସ୍ତରେ ନା ଓଡିଶା ପାଇଁ ଥିଲା କୌଣସି ଯୋଜନା ନା ମହାନଦୀ ପ୍ରସଙ୍ଗରେ ଛତିଶଗଡ କରୁଥିବା ପ୍ରକଳ୍ପକୁ ବନ୍ଦ କରିବାର କୌଣସି ପ୍ରତିଶ୍ରୁତି ତେଣୁ ରାଜ୍ୟବାସୀ ପୁଣି ୨୦୧୯ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କ୍ଷମତାକୁ ଆଣିବେ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ସେହିଭଳି କଂଗ୍ରେସ ବିଧାୟକ ଭୁଜବଳ ମାଝୀ ମୋଦିଙ୍କ ଗସ୍ତ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୋଦି ଆସିଥିଲେ କିନ୍ତୁ ୪ ବର୍ଷର ସଫଳତା କହିବା ପରିବର୍ତ୍ତେ ଅନ୍ୟମାନଙ୍କ ଉପରେ ଦୋଷ ଲଦିବା ଛଡା ରାଜ୍ୟହିତ ପାଇଁ ଗୋଟିଏ ପଦ କଥା କହିଲେ ନାହିଁ ମୋଦି । ମହାନଦୀ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ଦାୟୀ କାରଣ ୨୦୦୨ରେ କଂଗ୍ରେସ ଛତିଶଗଡର ମୁଖା ଖୋଲି ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଥିଲା । କିନ୍ତୁ ଏହାକୁ ଅଣଦେଖା କରିଥିଲେ ରାଜ୍ୟ ସରକାର । ଗତକାଲିର ଭାଷଣ ପରେ ରାଜ୍ୟବାସୀଙ୍କ ବିଶ୍ୱାସ ହୋଇଗଲା ଯେ ଦେଶରେ କେବଳ ଭାଷଣବାଜି ସରକାର ଚାଲିଛି ବୋଲି କଂଗ୍ରେସ କହିଛି । ପ୍ରଧାନମନ୍ତ୍ରୀଙ୍କ ହାତରେ କ୍ଷମତା ରହିଛି ମହାନଦୀ ଉପରମୁଣ୍ଡରେ ଛତିଶଗଡ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ପାଇଁ କିନ୍ତୁ ଏହାକୁ ବନ୍ଦ କରିବା ପରିବର୍ତ୍ତେ ଭାଷଣ ଦେଇ ଚାଲିଗଲେ ମୋଦି । ତେବେ ଏହା ଦର୍ଶାଉଛି ଯେ ପୂର୍ବଭାରତକୁ ମୋଦି ଦଖଲ କରିବାର ସ୍ୱପ୍ନ ଅଧୁରା ରହିଯିବ ବୋଲି କଂଗ୍ରେସ ନେତା ଭୁଜ୍ଜବଳ ମାଝୀ କହିଛନ୍ତି ।

ସେହିଭଳି କଂଗ୍ରେସ ଓ ବିଜେଡି ଦେଇଥିବା ମନ୍ତବ୍ୟ ଉପରେ ପାଲଟା ପ୍ରତ୍ରିକ୍ରିୟା ରଖିଛି ବିଜେପି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ମୋଦିଙ୍କ ବିକାଶ ଟାର୍ଗେଟ ଓଡିଶା ରହିଛି, ସେଥିପାଇଁ ମହାନଦୀ ପଠାରେ ୪ବର୍ଷ ପୂର୍ତ୍ତି ସଫଳତା ପାଳନ କରିବା ପାଇଁ ବାଛିଥିଲେ । ମହାନଦୀ ପାଣି ପାଇଁ ରାଜନୀତି କରୁଥିବା ଶାସକ ଦଳର ପ୍ରକୃତ ମୁଖା ଖୋଲି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏବଂ ପାଣି ପାଇଁ ଯେଉଁ ସମସ୍ୟାକୁ ନେଇ ଶାସକ ଓ କଂଗ୍ରେସ ଦଳ ରାଜନୀତି କରୁଛି ତାର ପ୍ରତି ଉତ୍ତରରେ ୮୦ ହଜାର କୋଟିର ୮ଟି ପ୍ରକଳ୍ପ ପାଇଁ କେନ୍ଦ୍ର ସହାୟତା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି ଓଡିଶାର ସାମଗ୍ରିକ ବିକାଶ ଚାହୁଁଛନ୍ତି ତେଣୁ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଥିବା ଦଳକୁ ୨୦୧୯ ନିର୍ବାଚନରେ ପ୍ରତ୍ୟାଖାନ କରି ବିଜେପିକୁ ସରକାରରେ ଆଣିବାକୁ ରାଜ୍ୟବାସୀ ମନବଳାଇଲେଣି ବୋଲି କହିଛି ବିଜେପି ।