ନବ ଦାସଙ୍କ ମୃତ୍ୟୁକୁ ନେଇ ଛିଡୁନି ବିବାଦ । ଉଦଘାଟନୀ ସ୍ଥଳକୁ ଯିବା ପୂର୍ବରୁ କାହିଁକି, ୫୦ ମିଟର ଆଗରୁ ଅଟକିଥିଲା ଗାଡି?

395

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ଏବେ ବି ଅନେକ ଅସମାହିତ ପ୍ରଶ୍ନ । ସେଦିନ ମନ୍ତ୍ରୀ ଉଦଘାଟନୀ ସ୍ଥଳକୁ ଯିବା ପୂର୍ବରୁ କାହିଁକି, ୫୦ ମିଟର ଆଗକୁ ଅଟକିଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସିଧାସଳଖ ସଭାସ୍ଥଳକୁ ମନ୍ତ୍ରୀଙ୍କ ଗାଡ଼ି ଯିବା ପୂର୍ବରୁ ଗାଡ଼ି ଅଟକଥିଲା । ଦଳୀୟ କର୍ମୀମାନେ ଯଦିଓ ଏହା ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆଗୁଆ ଗାଡ଼ିକୁ ଅଟକାଯାଇଥିଲା ବୋଲି କହୁଥିବା ବେଳେ ଏହା ପଛରେ କିଛି ଷଡ଼ଯନ୍ତ୍ର ଥିଲା କି ତାକୁ ନେଇ ପ୍ରଶ୍ନ ଉଠୁଛି । କେବଳ ସେତିକି ନୁହେଁ, ମନ୍ତ୍ରୀଙ୍କ ଗାଡ଼ିରେ ନଆସି କାହିଁକି ପଛ କାରରେ ପିଏସଓ ଆସିଲେ ତାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି । ମନ୍ତ୍ରୀ ସଭାସ୍ଥଳ ଆଗରେ ରହିବେ ବୋଲି କିଏ ଜାଣିଥିଲେ କି? ଏଭଳି ତମାମ ପ୍ରଶ୍ନ ଏବେ ଉଠୁଛି । ଏହିକ୍ରମରେ ମନ୍ତ୍ରୀଙ୍କ ହତ୍ୟାକୁ ନେଇ କେଉଁ ସବୁ ପ୍ରଶ୍ନ ଆସୁଛି ନଜର ପକାନ୍ତୁ ।

  • ମନ୍ତ୍ରୀଙ୍କ ଗାଡ଼ି ସିଧା ସଭାସ୍ଥଳକୁ ନଯାଇ ୫୦ ମିଟର ପୂର୍ବରୁ ଅଟକିଲା କାହିଁକି?
  • କାର୍ଯ୍ୟକ୍ରମସ୍ଥଳ ପୂର୍ବରୁ ଗାଡ଼ି ଅଟକାଇବା ପାଇଁ ମନ୍ତ୍ରୀ ସହମତି ଦେଇଥିଲେ କି?
  • ମନ୍ତ୍ରୀଙ୍କ ଗାଡ଼ି ଆଗରେ ଅଟକିବ ବୋଲି ଗୋପାଳକୃଷ୍ଣ  ଜାଣିଥିଲେ କି?
  • ମନ୍ତ୍ରୀଙ୍କ ଗାଡ଼ିକୁ ସଭାସ୍ଥଳ ଆଗରେ ଅଟକାଇବା ପାଇଁ କୌଣସି ଷଡ଼ଯନ୍ତ୍ର ହୋଇଥିଲା କି?
  • ଯଦି ମନ୍ତ୍ରୀଙ୍କ କାରକେଡ୍ ସିଧା ସଭାସ୍ଥଳକୁ ଯାଇଥାନ୍ତେ ଅଘଟଣକୁ ଏଡାଇ ଯାଇପାରିଥାନ୍ତା କି?
  • ପିଏସଓ ମନ୍ତ୍ରୀଙ୍କ ଗାଡ଼ିରେ ନ ଆସି ପଛ କାରରେ ଆସୁଥିଲେ କାହିଁକି?
  • ପିଏସଓ ଗାଡ଼ି ପାଖକୁ ଆସିବା ପୂର୍ବରୁ ଡ୍ରାଇଭର ଗାଡ଼ି ଲକ୍ ଖୋଲିଲେ କାହିଁକି?

ଏପଟେ, ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ବିଜେଡି ନେତା, ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ମନ୍ତ୍ରୀଙ୍କ ସ୍ୱାଗତ କରିବା ପାଇଁ ୫୦ ମିଟର ଆଗରେ ଗାଡ଼ିକୁ ଅଟକାଯାଇଥିଲା । ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ତାଙ୍କୁ ପାଛୋଟି ଆଣିବା ପାଇଁ ସଭାସ୍ଥଳର କିଛି ବାଟ ଆଗରୁ ଗାଡ଼ି ଅଟକାଯାଇଥିଲା ବୋଲି ସେ କହିଛନ୍ତି । ଏମିତି କି ମନ୍ତ୍ରୀ ଝାରସୁଗୁଡ଼ାରୁ ବାହାରିବା ପରଠାରୁ ତାଙ୍କ ସହ ଫୋନ ଯୋଗେ ଯୋଗାଯୋଗରେ ଥିଲେ ବୋଲି କହିଛନ୍ତି ବିଜେଡି କର୍ମୀ ।