କାହିଁକି ଇସ୍ତଫା ଦେଉନାହାନ୍ତି ଦିବ୍ୟଶଙ୍କର? ମନ୍ତ୍ରୀଙ୍କ ଉପରେ ରହିଛି କାହା ଆର୍ଶୀବାଦ?

192

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବୁଧବାର ପୋଲିସ ପ୍ରେସମିଟରେ ପରକୀୟା ପ୍ରୀତି ଥିଓରୀ ଆଣି ଗୋବିନ୍ଦଙ୍କ କଲେଜ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ ପରଦା ଢାଙ୍କିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଥିଲା । ଏପରିକି ପରିବାର ଅଭିଯୋଗ ଅନୁଯାୟୀ କେବଳ ତଦନ୍ତ ହେଉଥିବା ଦର୍ଶାଇଥିଲା ପୋଲିସ । ଆଉ ଏହା ଦିବ୍ୟଶଙ୍କରଙ୍କୁ ବେଶ ସୁହାଇଥିବା କୁହାଯାଉଛି । କାରଣ କଲେଜରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିଲା ବୋଲି ସ୍ଥାନୀୟ ଲୋକ କହୁଥିବା ବେଳେ ଦିବ୍ୟଶଙ୍କରଙ୍କ ବାରମ୍ବାର କଲେଜକୁ ଅନେକ ପ୍ରଶ୍ନ ଚିହ୍ନ ଛିଡା କରିଥିଲା । ଆଉ ଆଜି କଲେଜରେ ସେକ୍ସ ରାକେଟ ଚାଲୁଥିବା ନେଇ ସାଂଘାତିକ ଖୁଲାସା କରିଛନ୍ତି କଲେଜର ଜଣେ ଛାତ୍ର । ଏପରିକି ମନ୍ତ୍ରୀ ଦିବ୍ୟଶଙ୍କର ଲେଡିଜ ହଷ୍ଟେଲକୁ ଆସୁଥିବା ନେଇ କହିଛନ୍ତି ଛାତ୍ରଜଣକ । ଆଉ ଛାତ୍ରଙ୍କ ଏଭଳି ଖୁଲାସା ପରେ ଏବେ କାଠଗଡାରେ କ୍ୟାପଟେନ ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନେଇ ଏବେ ଅଡୁଆରେ ସରକାର । ତଥାପି କାର୍ଯ୍ୟାନୁଷ୍ଠାନ ଶୂନ ।  ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଘନିଷ୍ଠତା ଏବେ ଦିବ୍ୟଶଙ୍କରଙ୍କୁ ପ୍ରଶ୍ନଘେରରେ ଛିଡା କରିଛି । ଯେଉଁ କଲେଜରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିଲା ସେଭଳି କଲେଜକୁ କିଭଳି ବାରମ୍ବାର ମନ୍ତ୍ରୀ ଯାଉଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଏହାସହ ଚାରିଆଡୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି ହେଉଛି । କଟକରୁ କଳାହାଣ୍ଡି, ମୟୂରଭଞ୍ଜରୁ ମାଲକାନଗିରି, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ନେଇ ବିରୋଧ ତେଜିଛି, କୁଶପୁତ୍ତଳିକା ଜଳୁଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଦିବ୍ୟଶଙ୍କର ନିର୍ବାକ, ଚୁପ୍ ଆଉ ନିରବ । ଇସ୍ତଫା ଦେବା ତ ଦୂରର କଥା, ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ ପଦିଏ ପ୍ରତିକ୍ରିୟା ମଧ୍ୟ ଦେଇନାହାନ୍ତି ଦିବ୍ୟଶଙ୍କର । ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ଇସ୍ତଫା ଦେଉନାହାନ୍ତି ଦିବ୍ୟଶଙ୍କର? ମନ୍ତ୍ରୀଙ୍କ ଉପରେ କାହାର ଆର୍ଶୀବାଦ ରହିଛି?

ଏକଥା ଏଥିପାଇଁ କୁହାଯାଉଛି କାରଣ ପୂର୍ବରୁ ଛୋଟ ଛୋଟ ଅଭିଯୋଗ ଆସିଲେ ମନ୍ତ୍ରୀଙ୍କୁ ପଦ ହରାଇବାକୁ ପଡୁଥିଲା । ଯାହାର ଅନେକ ଉଦାହରଣ ରହିଛି, ଦାମ ରାଉତଙ୍କ ଠାରୁ ଆରମ୍ଭ କରି ରଘୁନାଥ ମହାନ୍ତି, ଏପରିକି ପ୍ରଦୀପ ମହାରଥୀଙ୍କୁ ମଧ୍ୟ ମନ୍ତ୍ରୀପଦ ହରାଇବାକୁ ପଡିଛି । କିନ୍ତୁ ଗତ ଦୁଇ ବର୍ଷ ହେବ ସରକାରରେ ଥିବା ଏକାଧିକ ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ବିଭିନ୍ନ ଦୁର୍ନୀତିକୁ ନେଇ ଅଫିସରଙ୍କ ଉପରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ହେଉଛି, ନେତା ଓ ମନ୍ତ୍ରୀଙ୍କ କ୍ଷେତ୍ରରେ ସେଭଳି ଦେଖିବାକୁ ମିଳୁନାହିଁ । ଏହାଛଡା ପରୀ ଓ ମାହାଙ୍ଗା ମର୍ଡର ମାମଲାରେ ଦୁଇ ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଥିଲେ ମଧ୍ୟ ମନ୍ତ୍ରୀପଦ ସୁରକ୍ଷିତ ରହିଥିଲା । ଆଉ କ୍ୟାପଟେନଙ୍କ କ୍ଷେତ୍ରରେ ମଧ୍ୟ ସମାନ ଆଭିମୁଖ୍ୟ ଦେଖିବାକୁ ମିଳୁଛି ।

କୁହାଯାଉଛି ସରକାରରେ କ୍ୟାପଟେନଙ୍କ ଦବଦବା ବେଶ ଅଧିକ । ଯେଉଁଥିପାଇଁ ତାଙ୍କୁ ଗୃହରାଷ୍ଟ୍ର ସହ ଶକ୍ତି, ଏମଏସଏମଇ ଭଳି ବିଭାଗର ଦାୟିତ୍ୱ ମିଳିଥିଲା । ଏହାଛଡା କଳାହାଣ୍ଡିରେ ସଙ୍ଗଠନକୁ ସୁଦୃଢ କରିବାରେ ବଡ ଭୂମିକା ଦିବ୍ୟଶଙ୍କରଙ୍କର ରହିଛି । ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି ତେଣୁ କ୍ୟାପଟେନଙ୍କୁ ମନ୍ତ୍ରୀ ପଦରୁ ବିଦା କଲେ ଭିନ୍ନ ବାର୍ତ୍ତା ଯାଇପାରେ । ଯାହା ବିଜେଡି ସରକାରକୁ ବ୍ୟାକଫୁଟକୁ ଠେଲି ଦେଇପାରେ । ଏହାଛଡା କ୍ୟାପଟେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମନ୍ତ୍ରୀପଦରୁ ବିଦା କରାଗଲେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ସୁଯୋଗ ମିଳିଯିବ । ଯେଉଁଥିପାଇଁ ହୁଏତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ  ସେତେଟା ଚାପ ପଡୁନାହିଁ ।