କାହିଁକି ଚୁପ୍ ଦିବ୍ୟଶଙ୍କର? କେବେ ମୌନବ୍ରତ ଭାଙ୍ଗିବେ ମନ୍ତ୍ରୀ?

194

କନକ ବ୍ୟୁରୋ : ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହରଙ୍କ ହତ୍ୟାକାଣ୍ଡ ଘଟଣାକୁ ତେଜିଛି ରାଜନୀତି । ମମିତା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ସନସାଇଜ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଗିରଫ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଆଉ ସବୁଠୁ ବଡ କଥା ହେଉଛି ଏହି ସ୍କୁଲକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାରମ୍ବାର ଆସୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଗୋବିନ୍ଦଙ୍କ ସହ ମନ୍ତ୍ରୀଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା, ଯେଉଁ କାରଣରୁ ଦିବ୍ୟଶଙ୍କର ଅନେକ ଥର ଏଠାକୁ ଆସି ରହିଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ କଲେଜରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ମମିତା ଜାଣିବା ପରେ କାଳେ ଏହାର ପର୍ଦ୍ଦାଫାଶ ହୋଇଯିବ ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ଆଉ ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କିନ୍ତୁ ମମିତା ନିଖୋଜ ହେବା ଓ ପରେ ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଦଗଧ ମୃତଦେହ ମିଳିବା ପରେ ମଧ୍ୟ ଚୁପ୍ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଆଉ ଏଭଳି ନୀରବତା ଏବେ କ୍ୟାପଟେନଙ୍କୁ ପ୍ରଶ୍ନର ପାହାଡ ଉପରେ ଛିଡା କରିଛି ।
ମମିତା ନିଖୋଜ ହେବା ପରେ ଯେଉଁ ଅଡିଓ ଭାଇରାଲ ହେଉଥିଲା ସେଥିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କହିଥିଲେ, ମନ୍ତ୍ରୀଙ୍କ ନିଖୋଜ ବାବଦରେ ଅବଗତ କରାଯାଇଛି । ସେ ଝିଅକୁ ଖୋଜି ବାହାର କରିବା ପାଇଁ ରାଜ୍ୟସ୍ତରରେ ଚେଷ୍ଟା କରିବେ ବୋଲି କହିଥିଲେ ଗୋବିନ୍ଦ ସାହୁ । ମିଳିଥିବା ସୂଚନା ଅନୁସାରେ ମମିତା ନିଖୋଜ ହେବା ପରେ ଗୋବିନ୍ଦ ସାହୁ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରି ଏଭଳି କିଛି କଥାବାର୍ତା କରିଥିଲେ । ଏବଂ ଝିଅକୁ ଖୋଜି ବାହାର କରିଦେବେ ବୋଲି ମନ୍ତ୍ରୀଙ୍କ ନାଁ ନେଇଥିଲେ । କିନ୍ତୁ ଯେତେବେଳେ ମମିତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି ସେତେବେଳେ ମନ୍ତ୍ରୀ ଚୁପ୍ କାହିଁକି?ଏଭଳି ଚୁପ୍ ରହି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଣ ସଂକେତ ଦେବାକୁ ଚାହୁଁଛନ୍ତି ।

ଅନ୍ୟପଟେ ମମିତାଙ୍କ ହତ୍ୟାକୁ ନେଇ ବିରୋଧୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କାଠଗଡାକୁ ଟାଣିଛନ୍ତି । ଦିବ୍ୟଶଙ୍କର କାହିଁକି ବାରମ୍ବାର ଉକ୍ତ କଲେଜକୁ ଯାଉଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି? କଲେଜରେ ଚାଲୁଥିବା ଅନୈତିକ କାର୍ଯ୍ୟକଳାପ ବାବଦରେ ଅବଗତ ନଥିଲେ କି ମନ୍ତ୍ରୀ? ଯଦି ଅବଗତ ଥିବା ସତ୍ତେ୍ୱ ମଧ୍ୟ ଗୋବିନ୍ଦଙ୍କ ମନ୍ତ୍ରୀ ଘନିଷ୍ଠ ସମ୍ପର୍କ ରଖିଥିଲେ ତେବେ ଏହା ବେଶ ସାଂଘାତିକ । ଯଦି ଏହି ଘଟଣା ସହ କୌଣସି ସମ୍ପୃକ୍ତି ନାହିଁ ତେକେ କାହିଁକି ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖୁନାହାନ୍ତି ଦିବ୍ୟଶଙ୍କର? କାହିଁକି ଏଯାବତ ମୌନ ରହିଛନ୍ତି ମନ୍ତ୍ରୀ?

ଏହାବାଦ୍ ମମିତାଙ୍କ ନିଖୋଜ ଘଟଣାରେ ପୋଲିସ ପ୍ରଥମେ ଗୋବିନ୍ଦ ସାହୁଙ୍କ ଉଠାଇ ଆଣିଥିଲା ପୋଲିସ । ପରେ ପୋଲିସକୁ ଚକମା ଦେଇ ଥାନାରୁ ଚମ୍ପଟ ମାରିଥିଲେ ଗୋବିନ୍ଦ । ଆଉ ପୋଲିସର ଅବହେଳା ପାଇଁ ଏଭଳି ହୋଇଥିବା ମାନିଥିଲେ ପଶ୍ଚିମାଞ୍ଚଳ ଡିଆଇଜି । କିନ୍ତୁ ଏବାବଦରେ ପଦୁଟିଏ ମଧ୍ୟ କହିନାହାନ୍ତି ଦିବ୍ୟଶଙ୍କର । ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ମଧ୍ୟ ଏଯାଏଁ ଦିବ୍ୟଶଙ୍କର ଠାରୁ ପ୍ରତିିକ୍ରିୟା ମିଳିପାରିନାହିଁ । ଗତ ୨ ଦିନ ହେବ ଦିବ୍ୟଶଙ୍କର ସତେ ଯେମିତି କେଉଁଆଡେ ଉଭାନ ହୋଇଯାଇଛନ୍ତି? ତେଣୁ ଏହି ସବୁ ଦିଗକୁ ନେଇ ଏବେ ମନ୍ତ୍ରୀଙ୍କ ଉପରକୁ ବିରୋଧୀ ଆଙ୍ଗୁଳି ଉଠାଇବା ଆରମ୍ଭ କରିଛନ୍ତି । ଯାହା ଆଗକୁ ମନ୍ତ୍ରୀ ଦିବ୍ୟଶଙ୍କର ଓ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ।