ମନ୍ତ୍ରୀ ମୌନ : କାରଣ କଣ? କାହିଁକି ମୁହଁ ଖୋଲୁନାହାନ୍ତି ଦିବ୍ୟଶଙ୍କର?

225

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ରାଧେ ଗିରଫ ହୋଇଛନ୍ତି, ପୋଲିସ ହତ୍ୟାକାଣ୍ଡର କାରଣ କହିଛି । ତଥାପି ମମିତା ମୃତ୍ୟୁକୁ ନେଇ ଯେଉଁ ଝଡ ସୃଷ୍ଟି ହୋଇଛି ତାହା ଥମିବାର ନାଁ ନେଉନାହିଁ । ବିରୋଧୀ ରାସ୍ତାଘାଟକୁ ଓହ୍ଲାଇଲେଣି, କଟକରୁ କଳାହାଣ୍ଡି ବିରୋଧର ବହ୍ନି ଜଳିଲାଣି । ସ୍ଥିତି ଅସମ୍ଭାଳ ହେଲାଣି ।  କାରଣ ମମିତା ମାମଲାରେ ଯୋଡି ହୋଇଛି ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ କୁହାଯାଉଥିବା କ୍ୟାପଟେନ ଦିବ୍ୟଶଙ୍କରଙ୍କ ନାଁ । ତେଣୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ସରକାରଙ୍କ ନିଦ ଉଡାଇ ସାରିଲେଣି ବିରୋଧୀ ବିଜେପି ଓ କଂଗ୍ରେସ । କାରଣ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଅଛି, ତେଣୁ ଯେହେତୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁ ଏହି ମାମଲାରେ ସାମ୍ନାକୁ ଆସୁଛି ତେଣୁ ବିରୋଧୀ ଏହି ପ୍ରସଙ୍ଗକୁ ସହଜରେ ହାତଛଡା କରିବାକୁ ଚାହୁଁନାହିଁ । ଯାହା ଏବେ ସରକାରଙ୍କ ପାଇଁ ସବୁଠୁ ବଡ ସଙ୍କଟ ହୋଇ ଉଭା ହେଲାଣି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ  ମୌନ ରହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।  କିନ୍ତୁ ମନ୍ତ୍ରୀଙ୍କ ଏଭଳି ମୌନ ରହିବା ପଛରେ କାରଣ କଣ?

ମମିତା ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ଅସମ୍ଭବ ନୀରବତା ଅନେକ ପ୍ରଶ୍ନ ଛିଡା କରିଛି । ମମିତା ମାମଲାକୁ ନେଇ ମନ୍ତ୍ରୀଙ୍କ ବିରୋଧରେ ପୁଳାପୁଳା ଅଭିଯୋଗ ଆସୁଥିଲେ ମଧ୍ୟ ଦିବ୍ୟଶଙ୍କର ସମ୍ପୂର୍ଣ୍ଣ ଚୁପ୍ । ମନ୍ତ୍ରୀ କେଉଁଠି ଅଛନ୍ତି ତାହା କାହାକୁ ଜଣାନାହିଁ । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ରାଜ୍ୟବାସୀ ଅପେକ୍ଷା କରିଥିଲେ ମଧ୍ୟ ଦିବ୍ୟଶଙ୍କରଙ୍କ ଦେଖା ମିଳୁନି । ଆଉ ଏଭଳି ଚୁପ୍ ରହି କଣ ମନ୍ତ୍ରୀ ନିଜ ଦାୟିତ୍ୱରୁ ଖସି ଯିବାକୁ ଚାହୁଁଛନ୍ତି କି? ଏହାଛଡା ମମିତା ହତ୍ୟାକାଣ୍ଡ ମାମଲାରେ ଏଯାଏଁ ଦିବ୍ୟଶଙ୍କରଙ୍କ ସିଧାସଳଖ ସମ୍ପୃକ୍ତି କଥା ସାମ୍ନାକୁ ଆସିନାହିଁ । କିନ୍ତୁ ଦିବ୍ୟଶଙ୍କର ବାରମ୍ବାର ଗୋବିନ୍ଦଙ୍କ କଲେଜକୁ ଯିବା ଅନେକ ପ୍ରଶ୍ନ ଛିଡା କରୁଛି । କାରଣ କଲେଜରେ ସେକ୍ସ ରାକେଟ ଚାଲୁଥିବା ନେଇ ସ୍ଥାନୀୟ ଲୋକେ ଓ ଛାତ୍ର ଅଭିଯୋଗ କରୁଥିବା ବେଳେ ମନ୍ତ୍ରୀ କାହିଁକି ସେଠାକୁ ଯାଉଥିଲେ ତାହା ସବୁଠୁ ବଡ ପ୍ରଶ୍ନବାଚୀ ।

ଗୋବିନ୍ଦଙ୍କ ସହ ଘନିଷ୍ଠତା ଓ କଲେଜକୁ ବାରମ୍ବାର ଯିବା ଘଟଣାକୁ ନେଇ କ୍ୟାପଟେନଙ୍କୁ କାଠଗଡାରେ ଛିଡା କରିଛନ୍ତି ବିରୋଧୀ । ବିବାଦ ଓ ଅପବାଦର ବୋଝ ଏବେ ମନ୍ତ୍ରୀଙ୍କ ମୁଣ୍ଡ ଉପରେ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଦିବ୍ୟଶଙ୍କର ଚୁପ୍ କାହିଁକି? ଯଦି ମମିତା ମାମଲାରେ କୌଣସି ସମ୍ପୃକ୍ତି ନାହିଁ ତେବେ ନିଜ ଉପରେ ଲାଗିଥିବା ଦାଗକୁ  ଲିଭାଇବାକୁ କାହିଁକି ଚାହୁଁନାହାନ୍ତି ଦିବ୍ୟଶଙ୍କର? ନା ପ୍ରଶ୍ନବାଣର ସମ୍ମୁଖୀନ ହେବା ଭୟରେ ମୁହଁ ଖୋଲୁନାହାନ୍ତି ଦିବ୍ୟଶଙ୍କର । ଏଭଳି ଚୁପ୍ ରହିବା ମନ୍ତ୍ରୀଙ୍କ ଉପରେ ଆସିଥିବା ସନ୍ଦେହକୁ ଆହୁରି ବଳ ଯୋଗାଉନି କି? ଯଦି ବିରୋଧୀ ଆଣିଥିବା ଅଭିଯୋଗ ମିଛ ତେବେ ସାମ୍ନାକୁ ଆସି ଉତ୍ତର ରଖିବାର ସତସାହସ ଦେଖାନ୍ତୁ ମନ୍ତ୍ରୀ । କାରଣ ମନ୍ତ୍ରୀ ମୁହଁ ଖୋଲିଲେ, ବିରୋଧୀ ଆଣୁଥିବା ଅଭିଯୋଗରେ ପୂର୍ଣ୍ଣଚ୍ଛେଦ ପଡିବ? ସରକାରଙ୍କ ଉପରେ ବିରୋଧୀ ଯେଉଁ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ତାହା ଭୁଲ ପ୍ରମାଣିତ ହେବ । ତେବେ ଗତ କିଛି ଦିନ ହେବ ମନ୍ତ୍ରୀଙ୍କ ଉତ୍ତରକୁ ରାଜ୍ୟବାସୀ ଅପେକ୍ଷା କରି ରହିଥିବା ଦିବ୍ୟଶଙ୍କରଙ୍କ ଏଭଳି ମୌନ ରହିବା ସରକାରଙ୍କୁ ମହଙ୍ଗା ପଡିବନି ତ? କାରଣ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ।