ଯେବେ ପାକିସ୍ତାନରେ ମିଲଖା ଉଡାଇଥିଲେ ବିଜୟ ବାନା…ମିଲଖାଙ୍କୁ ‘ଫ୍ଲାଇଙ୍ଗ ଶିଖ୍’ ନାଁ ଦେଇଥିଲା ପାକିସ୍ତାନ । ପଢନ୍ତୁ ମିଲଖା ସିଂଙ୍କ ହୃଦୟସ୍ପର୍ଶୀ କାହାଣୀ ।

220

କନକ ବ୍ୟୁରୋ : ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂ । ଦୌଡ ଟ୍ରାକରେ ବିଜୟର ବାନା ଉଡାଇଥିବା ଉଡନ୍ତା ଶିଖ୍ ମିଲଖା ସିଂ କିନ୍ତୁ ଜୀବନର ବାଜି ହାରିଯାଇଛନ୍ତି । ୯୧ ବର୍ଷ ବୟସରେ କରୋନାରେ ଆଖି ବୁଜିଛନ୍ତି ଦେଶର ଏହି ପ୍ରଖ୍ୟାତ ପୁରୁଷ ଧାବକ । କ୍ରୀଡା ଜଗତଠୁ ସାରା ଦେଶ ଶୋକରେ ବୁଡିଥିବା ବେଳେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତେ ଶୋକପ୍ରକାଶ କରିଛନ୍ତି ।

କାର୍ଡିଫଠୁ ଟୋକିଓ, ଜାକର୍ତାଠୁ କଟକ-କଲିକତା । ଅନେକ ଇତିହାସ ରଚିଛନ୍ତି ମିଲଖା ସିଂ । କେବଳ ଏତିକି ନୁହେଁ ସ୍ୱର୍ଣ୍ଣ-ସିଲଭର ପଦକ ବିଜୟୀ ହୋଇ ସାରା ବିଶ୍ୱରେ ଦମ୍ ଦେଖାଇଥିଲେ ମିଲଖା । ତେବେ ଫ୍ଲାଇଙ୍ଗ ଶିଖ୍ ନାମରେ ସାରା ବିଶ୍ୱ ମିଲଖାଙ୍କୁ ଜାଣିଥିଲା । ଏହି ନାମ ପଛରେ ମଧ୍ୟ ଏକ ହୃଦୟସ୍ପର୍ଶୀ କାହାଣୀ ରହିଛି । ଆସନ୍ତୁ ଜାଣିବା କାହିଁକି ମିଲଖାଙ୍କୁ ଫ୍ଲାଇଙ୍ଗ ଶିଖ୍ ବୋଲି କୁହାଯାଏ ।

୧୯୬୦ ମସିହାରେ ପାକିସ୍ତାନରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଆଥଲେଟ୍ ପ୍ରତିଯୋଗିତାରେ ଭାଗ ନେବାକୁ ମିଲଖା ସିଂଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଦେଶ ବିଭାଜନର ଦୁଃଖକୁ ଭୁଲିପାରିନଥିଲେ ମିଲଖା । ଆଉ ସେଇଥିପାଇଁ ସେ ପାକିସ୍ତାନ ଯିବାକୁ ଇଚ୍ଛାପ୍ରକାଶ କରିନଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜାବାହାରଲାଲ ନେହେରୁଙ୍କ ଅନୁରୋଧ ପରେ ପାକିସ୍ତାନ ଯିବାକୁ ରାଜି ହୋଇଥିଲେ ମିଲଖା । ସେତେବେଳେ ପାକିସ୍ତାନର ଧାବକ ଅବଦୁଲ୍ ଖାଲିକ ବିଶ୍ୱର ଶ୍ରେଷ୍ଠ ଧାବକ ତାଲିକାରେ ରହିଥିଲେ ।

ରୋଚକ ରହିଥିଲା ସେହି ଐତିହାସିକ ଦୌଡ ପ୍ରତିଯୋଗିତା । ଗୋଟିଏ ପଟେ ମିଲଖା ସିଂ ଏବଂ ଅନ୍ୟପଟେ, ୬୦ ହଜାର ପାକିସ୍ତାନୀ ଅବଦୁଲ ଖାଲିକଙ୍କ ଜୋଶ୍ ବଢାଉଥାନ୍ତି । ପୂରା ଷ୍ଟାଡିୟମ ଅବଦୁଲ ଖାଲିକଙ୍କ ନାଁରେ ଗୁଞ୍ଜରିତ ହେଉଥାଏ । କିନ୍ତୁ ମିଲଖାଙ୍କ ଦୌଡ ଆଗରେ ତିଷ୍ଠି ପାରିଲେନି ଖାଲିକ୍ । ପାକିସ୍ତାନରେ ମଧ୍ୟ ବିଜୟ ବାନା ଉଡାଇଥିଲେ ମିଲଖା । ଆଉ ମିଲଖାଙ୍କ ଏହି ଐତିହାସିକ ବିଜୟ ପରେ, ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଫିଲ୍ଡ ମାର୍ସଲ ଆୟୁବ ଖାନ୍ ମିଲଖା ସିଂଙ୍କୁ ‘ଫ୍ଲାଇଙ୍ଗ ଶିଖ୍’ ନାମ ଦେଇଥିଲେ । ଆଉ ଏହା ପରେ ପୂରା ବିଶ୍ୱ ତାଙ୍କୁ ଫ୍ଲାଇଙ୍ଗ ଶିଖ୍ ନାମରେ ଜାଣିଲା ।

ଦେଶର ସର୍ବକାଳୀନ ଶ୍ରେଷ୍ଠ ପୁରୁଷ ଧାବକ ଭାବେ ମିଲଖାଙ୍କୁ ଗଣାଯାଏ । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସର ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ ମିଲଖା ସିଂ । ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜୟୀ ପରେ ସେ ଆଉ ପଛକୁ ଫେରିନଥିଲେ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ, ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ଭାରତ ସରକାର । ତାଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଚଳଚିତ୍ର ‘ଭାଗ ମିଲଖା ଭାଗ୍’ ମଧ୍ୟ ବେଶ୍ ଆଦୃତ ହୋଇଥିଲା । ମିଲଖା ସିନା ପରପାରିକୁ ଚାଲିଯାଇଛନ୍ତି, କିନ୍ତୁ ପ୍ରତିଟି ଭାରତୀୟଙ୍କ ମନରେ ସବୁଦିନ ପାଇଁ ରହିବେ ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂ ।