ଓଡିଶାରେ କାହିଁକି ସମ୍ଭବପର ହୋଇପାରୁନି ମେଟ୍ରୋ ଟ୍ରେନ ସେବା । ଭୁବନେଶ୍ୱରରେ କେବେ ଚାଲିବ ମେଟ୍ରୋ ଟ୍ରେନ । ପଢନ୍ତୁ, ଏହି ରିପୋର୍ଟ

397

କନକ ବ୍ୟୁରୋ: କଟକ ଭୁବନେଶ୍ୱର ମେଟ୍ରୋଟ୍ରେନର ଆଶା ମଉଳି ଯାଇଛି । ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟର କୌଣସି ପ୍ରସ୍ତାବ କେନ୍ଦ୍ର ପାଖରେ ନାହିଁ । କିନ୍ତୁ ୨୦୧୪ ମସିହାରୁ ମେଟ୍ରୋ ଟ୍ରେନ ପାଇଁ ଅନେକ ପୁଳାପୁଳା ପ୍ରତିଶ୍ରୁତି ଦେଇଆସିଛନ୍ତି ରାଜ୍ୟ ସରକାର । ହେଲେ କାହିଁକି ଓଡିଶାରେ ସମ୍ଭବପର ହୋଇପାରୁନି ମେଟ୍ରୋ ଟ୍ରେନ ସେବା?

ଟ୍ୱିନ ସିଟିରେ ମେଟ୍ରୋ ଟ୍ରେନକୁ ନେଇ ବୈଠକ ପରେ ବୈଠକ ବସିଛି ଆଉ ଅନେକ ପ୍ରତିଶ୍ରୁତି ମଧ୍ୟ ମିଳିଛି । କିନ୍ତୁ ଏହି ସବୁ ଭିତରେ ଓଡିଶାବାସୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଓଡିଶାରେ ମେଟ୍ରୋଟ୍ରେନ ନେଇ କୌଣସି ପ୍ରସ୍ତାବ କେନ୍ଦ୍ର ପାଖରେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହ ନିର୍ମାଣ ଓ ନଗରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ । ଗତ ୧୦ତାରିଖରେ ବିଜେପିର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ମେଟ୍ରୋ ରେଳ ନେଟୱାର୍କ ପାଇଁ କୌଣସି ଯୋଜନା ଅଛି କି ବୋଲି ପ୍ରଶ୍ନ ରଖିଥିଲେ । ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ ମେଟ୍ରୋ ଟ୍ରେନ ରାଜ୍ୟ ସରକାରଙ୍କ ଦାୟିତ୍ୱ । ରାଜ୍ୟ ସରକାର ପ୍ରସ୍ତାବ ରଖିଲେ କେନ୍ଦ୍ର ସରକାର ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦେବେ । କିନ୍ତୁ ଓଡିଶା ପକ୍ଷରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି କହିଥିଲେ ।

ଏସବୁ ଭିତରେ ଭୁବନେଶ୍ୱର- କଟକ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ରଖିଆସିଥିବା ପ୍ରତିଶ୍ରୁତି ଉପରେ ଟିକେ ନଜର ପକାନ୍ତୁ…

ଅଗଷ୍ଟ ୨୩, ୨୦୧୪
ସ୍ଥାନ: ସଚିବାଳୟ
ହାଇଦ୍ରାବାଦର ବାଲାଜୀ ରେଳରୋଡ ସିଷ୍ଟମ ଲିମିଟେଡ ସହ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ହୋଇଥିଲା ଏମଓୟୁ ସ୍ୱାକ୍ଷର । ଏନେଇ କଟକ ଭୁବନେଶ୍ୱର ୩୦କିମି ମେଟ୍ରୋ ରେଳ ପାଇଁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ୫ବର୍ଷ ଭିତରେ କାମ ସାରିବାପାଇଁ ଲକ୍ଷ୍ୟ ରଖାଯାଇଥଲା ।

ଏପ୍ରିଲ ୭, ୨୦୧୯

ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବର୍ତମାନର ଗୃହମନ୍ତ୍ରୀ ଅମିତ ଶାହ କଟକ ଭୁବନେଶ୍ୱର ମେଟ୍ରୋ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ଏପ୍ରିଲ ୨୧, ୨୦୧୯

ବିଜେଡିର ଥିଲା ଇସ୍ତାହାର, ୨୦୧୯ ରେ ସରକାରକୁ ଆସିଲେ କଟକ ଭୁବନେଶ୍ୱରରେ ହେବ ଟ୍ୱିନସିଟି ମେଟ୍ରୋ ସେବା ।

ଜୁନ ୨୫, ୨୦୧୯
ସ୍ଥାନ: ବିଧାନସଭା

ରାଜ୍ୟ ସରକାରଙ୍କ ସଫଳତାର ବାର୍ତା କହି ଖୁବଶୀଘ୍ର କଟକରୁ ଭୁବନେଶ୍ୱର ମେଟ୍ରୋ ଟ୍ରେନ ଚାଲିବ ବୋଲି କହିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଏତେ ସବୁ ପ୍ରତିଶ୍ରୁତି ଭିତରେ ବିତିଲାଣି ୭ବର୍ଷ, କିନ୍ତୁ ସ୍ୱପ୍ନରେ ରହିଯାଇଛି ରାଜ୍ୟର ପ୍ରଥମ ମେଟ୍ରୋ ଟ୍ରେନ । ଭୁବନେଶ୍ୱରରେ ଜନସଂଖ୍ୟା ଧୀରେଧୀରେ ବଢିବାରେ ଲାଗିଛି । ତା ସହିତ ଯାତାୟତରେ ଟ୍ରାଫିକ ଭଳି ମଧ୍ୟ ଅନେକ ସମସ୍ୟା ଉପୁଜୁଛି । ଇନ୍ଦୋର, ହାଇଦ୍ରାବାଦ, କୋଚି, କାନପୁର, କୋଲକାତା, ପାଟଣା ଭଳି ସହରରେ ମେଟ୍ରୋ ବ୍ୟବସ୍ଥା ହୋଇପାରୁଛି । କିନ୍ତୁ ଦେଶର ଏକ ନମ୍ବର ସ୍ମାର୍ଟସିଟି କୁହାଯାଉଥିବା ଭୁବନେଶ୍ୱରରେ କାହିଁକି ମେଟ୍ରୋ ଟ୍ରେନ ସମ୍ଭବପର ହୋଇପାରୁନିି ନା ଏଥିରେ ସରକାରଙ୍କ ଆନ୍ତରିକତା ଅଭାବ ରହୁଛି, ତାହା ସବୁଠୁ ବଡ ପ୍ରଶ୍ନ ।