ନିର୍ବାଚନ ରାଲିରେ ‘ମାସ୍କ୍‌’ କାହିଁକି ଗୁରୁତ୍ୱପୂର୍ଣ୍ଣ ନୁହେଁ ? କେନ୍ଦ୍ର ଓ ନିର୍ବାଚନ କମିସନ୍‌ଙ୍କୁ ପଚାରିଲେ ଦିଲ୍ଲୀ ହାଇକୋର୍ଟ

180

କନକ ବ୍ୟୁରୋ : ସମ୍ପ୍ରତି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ନିର୍ବାଚନ ପ୍ରଚାର ଅଭିଯାନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ କରାଯାଉନାହିଁ କାହିଁକି ବୋଲି ଏକ ପିଟିସନ୍‌କୁ ଆଧାର କରି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍‌ଙ୍କୁ ପଚାରିଛନ୍ତି।

ମୁଖ୍ୟ ବିଚାରପତି ଡିଏନ୍‌ ପଟେଲ୍‌ ଏବଂ ବିଚାରପତି ଯଶମୀତ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍‌ଙ୍କୁ ନୋଟିସ୍‌ ଜାରି କରି ଜବାବ ତଲବ କରିଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ଡିଜିପି ତଥା ‘ସେଣ୍ଟର୍‌ ଫର୍‌ ଆକାଉଣ୍ଟାବିଲିଟି ଆଣ୍ଡ୍‌ ସିଷ୍ଟମେଟିକ୍‌ ଚେଞ୍ଜ୍‌’ର (ସିଏଏସ୍‌ସି) ଅଧ୍ୟକ୍ଷ ବିକ୍ରମ ସିଂହଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ନୋଟିସ୍‌ ପଠାଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କାଉନ୍‌ସେଲ୍‌ ଅନୁରାଗ ଆହଲୁଓ୍ଵାଲିଆ ଏହି ନୋଟିସ୍‌ ଗ୍ରହଣ କରିଛନ୍ତି।

ସିଂହଙ୍କ ତରଫରୁ ଆଡ୍‌ଭୋକେଟ୍‌ ବିରାଗ ଗୁପ୍ତା ହାଜର ହୋଇ ଖଣ୍ଡପୀଠଙ୍କୁ କହିଲେ ଯେ, ବିଧାନସଭା ନିର୍ବାଚନ ସମୟରେ ବାଧ୍ୟତାମୂଳକ ଭାବେ ମାସ୍କ୍‌ ପରିଧାନ ଓ ସାମାଜିକ ଦୂରତ୍ୱ ବଜାୟ ରକ୍ଷା ସଂକ୍ରାନ୍ତରେ ନିର୍ବାଚନ କମିସନ୍‌ ଡିଜିଟାଲ୍‌, ପ୍ରିଣ୍ଟ୍‌ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଉଚିତ। ଏପ୍ରିଲ୍‌ ୩୦ ତାରିଖ ଦିନ ସିଂହଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଦାଲତ ଦିନ ଧାର୍ୟ୍ୟ କରିଛନ୍ତି।

କହିରଖୁ କି ଦେଶରେ କରୋନା ମହାମାରୀ ଏବେ ବିସ୍ଫୋଟକ ରୂପ ଧାରଣ କରିଛି । ଏଭଳି ସ୍ଥଳେ ସରକାର ଲୋକଙ୍କୁ ମାସ୍କ ଓ ସାମାଜିକ ଦୂରତା ବାବଦରେ ସଚେତନ କରାଇବାରେ ଲାଗିଛନ୍ତି । ହେଲେ ସାମାଜିକ ଗଣମାଧ୍ୟମ ଓ ମୁଖ୍ୟ ଗଣମାଧ୍ୟମରେ ଏସବୁ କଥା କହୁଥିବ ନେତା ଓ ମନ୍ତ୍ରୀ ମାନେ ସେମାନଙ୍କ ନିର୍ବାଚନ ରାଲିବେଳେ ଏସବୁ ପାଳନ କରୁ ନାହାନ୍ତି । ଯାହାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଉଥିବା ବେଳେ ଏବେ ଦିଲ୍ଲୀ ହାଇକୋର୍ଟ ବି ଏନେଇ ପ୍ରଶ୍ନ ଉଠାଇଛି ।