ଭାରତରେ ବଢ଼ୁଛି ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା : ବିପଦରେ ଯୁବପିଢ଼ି; ଜାଣନ୍ତୁ କ’ଣ ରହିଛି ମୁଖ୍ୟ କାରଣ ?

2,638

କନକ ବ୍ୟୁରୋ : ଭାରତରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଗତ କିଛି ବର୍ଷ ଭିତରେ ଦେଶରେ ଦୃତ ଗତିରେ ବଢ଼ିବାରେ ଲାଗିଛି । ତଥ୍ୟ ଅନୁସାରେ, ଦେଶରେ ୨୦୧୪ରେ ୧୮ ହଜାର ୩୦୯, ୨୦୧୫ରେ ୧୮ ହଜାର ୮୨୦, ୨୦୧୬ରେ ୨୧ ହଜାର ୯୧୪, ୨୦୧୭ରେ ୨୩ ହଜାର ୨୪୬, ୨୦୧୮ରେ ୨୫ ହଜାର ୭୬୪, ୨୦୧୯ରେ ୨୮ ହଜାର ୫ଜଣଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି ।

ଏହି ଟ୍ରେଣ୍ଡ ଦେଖିଲେ ସ୍ପଷ୍ଟ ହେଉଛି ଦେଶରେ କେମିତି ବଢ଼ି ଚାଲିଛି ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା । ତେବେ ଚିନ୍ତାର ବିଷୟ ହେଉଛି ପୂର୍ବରୁ କୁହାଯାଉଥିଲା, ପ୍ରାୟତଃ ୬୦ ବର୍ଷରୁ ଉର୍ଦ୍ଧ ବୟସ୍କ ହୃଦଘାତର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଏବେ ସମୟ ବଦଳିଯାଇଛି । ବହୁ ସଂଖ୍ୟାରେ ଯୁବକଯୁବତୀ ହୃଦଘାତର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ୪୦ ରୁ ୫୦ ବର୍ଷ ବୟସ୍କଙ୍କ ନିକଟରେ ଏହା ଅଧିକ ଦେଖାଯାଉଛି । ଏପରିକି ୨୦ ରୁ ୩୦ ବର୍ଷ ବୟସ୍କଙ୍କର ମଧ୍ୟ ହୃଦଘାତ ହେଉଛି । ଗତକାଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଉଛି ।

ସେହିପରି ପୂର୍ବରୁ ୩୭ ବର୍ଷିୟ ଅଭିନେତା ଅବିର ଗୋସ୍ୱାମୀ, ଫିଲ୍ମ ନିର୍ମାତା ୪୯ ବର୍ଷିୟ ଋତୁପର୍ଣ୍ଣା ଘୋଷ,ରାଜ କୌଶଲଙ୍କ ଭଳି ଅନେକଙ୍କର ହୃଦଘାତରେ ଜୀବନ ଯାଇଛି । ଯାହାକି ଏକ ସଂକେତ ଦେଉଛି, ଯେ କେବଳ ବୟସ୍କ ନୁହଁନ୍ତି, ସୁସ୍ଥ ସବଳ ଥିବା , ନିଜକୁ ସମ୍ପୂର୍ଣ୍ଣ ଫିଟ୍ କହୁଥିବା ଯୁବବର୍ଗ ବି ହୃଦଘାତର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଛି । ବିଶେଷଙ୍କ ମତ ମାନସିକ ଅବସାଦ , ଅତ୍ୟଧିକ ମଦ୍ୟପାନ କରିବା, ଧୂମ୍ରପାନ କରିବା , ଠିକ୍ ସମୟରେ ନଖାଇବା, ଡାଇବେଟିସ, ବ୍ଲଡପ୍ରେସର ହୃଦଘାତର ପ୍ରମୁଖ କାରଣ । ତେବେ ଯୁବପୀଢ଼ି କାହିଁକି ହୃଦଘାତର ଶିକାର ହେଉଛନ୍ତି, ଏହାର କାରଣ କଣ, ଯୁବପୀଢ଼ିଙ୍କ ଉପରେ ଚାପ ବଢ଼ୁଛି କି ।