ଗୋବିନ୍ଦଙ୍କ ସ୍କୁଲରୁ ଚାକିରି ଛାଡିବାକୁ କାହିଁକି ଚାହୁଁଥିଲେ ମମିତା?  କଣ ଥିଲା କାରଣ? 

394

କନକ ବ୍ୟୁରୋ : ମମିତା ନିଖୋଜ ମାମଲାରେ ନୂଆ ମୋଡ । ମହାଲିଙ୍ଗ ସ୍ଥିତ ଷ୍ଟାଡିୟମର ମାଟି ତଳୁ ମିଳିଥିବା ପାଉଁଜି, ସୁନା ଚେନ ଓ ବ୍ୟାଗ ମମିତାଙ୍କର ବୋଲି ସ୍ପଷ୍ଟ କଲେ ପରିବାର ଲୋକେ । ଷ୍ଟାଡିୟମ ଭିତରେ ଖୋଳି ମାଟିତଳୁ ଆଜି ସକାଳେ ଏହି ସବୁ ସାମଗ୍ରୀ ପାଇଥିଲା ପୋଲିସ । ଏହାସହ ମାଟିତଳୁ ଏକ ଟାୟାର, କାଠଖଣ୍ଡ ମଧ୍ୟ ଜବତ କରିଥିଲା ପୋଲିସ । କିନ୍ତୁ ଘଟଣାସ୍ଥଳରୁ କୌଣସି ହାଡଖଣ୍ଡ ଜବତ ହୋଇନଥିବା ସୂଚନା ମିଳିଛି ।

ଅନ୍ୟପଟେ ନିଖୋଜ ହେବା ପୂର୍ବରୁ ସନସାଇନ ସ୍କୁଲରେ ଆଉ ଚାକିରି କରିବେନି ବୋଲି ମା’ଙ୍କୁ କହିଥିଲେ ମମିତା । ଲକଡାଉନ ପାଇଁ ସ୍କୁଲ ବନ୍ଦ ଥିବାବେଳେ ଲକଡାଉନ ପରେ ଚାକିରି ଛାଡିବାକୁ ନିଷ୍ପତ୍ତି ନେଇଥିଲେ ମମିତା । ଏନେଇ ପରିବାର ଲୋକ କହିଛନ୍ତି । ବୋଧହୁଏ ସ୍କୁଲରେ ଅନୈତିକ କାର୍ଯ୍ୟ ଚାଲୁଥିବା ଜାଣିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ ମମିତା । ଏପରିକି ଗୋବିନ୍ଦ ସାହୁଙ୍କ ସ୍କୁଲରେ କଣ ଚାଲୁଛି ତାହାର ଭିଡ଼ିଓ ମମିତାଙ୍କ ପାଖରେ ରହିଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଯେଉଁ ଭିଡ଼ିଓ ସାମ୍ନାକୁ ଆସିଥିଲେ ଅନେକ ପ୍ରଭାବଶାଳୀ ଲୋକ, ନେତା ଓ ମନ୍ତ୍ରୀଙ୍କ ଅସଲ ମୁଖା ଖୋଲିଥାନ୍ତା ଏବଂ ସ୍କୁଲରେ କଣ ଚାଲିଛି ତାହା ପଦାକୁ ଆସିଥାନ୍ତା । ଯେଉଁଥିପାଇଁ ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କହିଛନ୍ତି ପରିବାର ଲୋକେ । ଯଦି ମମିତାଙ୍କ ପାଖରେ ଭିଡ଼ିଓ ଥିବା ଜଣାପଡିନଥାନ୍ତା ତେବେ ଆଜି ତାଙ୍କ ଝିଅର ଏମିତି ଅବସ୍ଥା ହୋଇନଥାନ୍ତା ବୋଲି କହିଛନ୍ତି ପରିବାର ଲୋକ । ପୋଲିସ ଯଦି ଚାପ ମୁକ୍ତ ହୋଇ ତଦନ୍ତ କରେ ତାହେଲେ ୧୦ ଘଂଟା ଭିତରେ ପୁରା ସତ୍ୟ ପଦାକୁ ଆସିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ମମିତାଙ୍କ ସମ୍ପର୍କୀୟ ।

ଏହାସହ ସନସାଇନ ସ୍କୁଲରେ ରହିଥିଲା ଏକ ଗୁପ୍ତ କୋଠରୀ । ଏହି କୋଠରୀକୁ ସାଧାରଣ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପ୍ରବେଶ ନିଷେଧ ଥିଲା । କେବଳ ଗୋବିନ୍ଦ ସାହୁ ଚାହିଁଲେ ଏହି କୋଠରୀରେ କେହି ପ୍ରବେଶ କରିପାରିବେ । ଗୋବିନ୍ଦ ସାହୁଙ୍କ ଅନୁମତି ମିଳିଲା ପରେ ହିଁ ଜଣେ ଏହି କୋଠରୀରୁ ପ୍ରବେଶ କରିପାରୁଥିଲା ।  ସ୍କୁଲର ଏକ କୋଣରେ ରହିଥିଲା ଏହି ଗୁପ୍ତ କୋଠରୀ । କୁହାଯାଉଛି ଏହି ଗୁପ୍ତ କୋଠରୀରେ ସବୁ ଅନୈତିକ କାମ କରାଯାଏ । ସ୍କୁଲରେ ଏକ ଅଣ୍ଡରଗ୍ରାଉଣ୍ଡ କୋଠରୀ ରହିଥିଲା । ଏପରିକି ହୋଷ୍ଟେଲରେ ମଧ୍ୟ ଗୁପ୍ତ କୋଠରୀ ଥିବା ନେଇ ମଧ୍ୟ ସୂଚନା ରହିଛି । ଯାହା ବାବଦରେ ବୋଧହୁଏ ଜାଣିଥିଲେ ମମିତା । ଯେଉଁଥିପାଇଁ ମମିତାଙ୍କୁ ଏଭଳି ଦଶା ଭୋଗିବାକୁ ପଡିଲା ବୋଲି କୁହାଯାଉଛି ।

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମମିତାଙ୍କୁ ଅପହରଣ ଘଟଣାରେ ଗୋବିନ୍ଦଙ୍କ ହାତ ଥିବା ସନ୍ଦେହ କରି ୧୪ ତାରିଖରେ ଉଠାଇ ଆଣିଥିଲା ପୋଲିସ । ୧୭ ତାରିଖ ଯାଏଁ ଟିିଟିଲାଗଡ ଥାନାରେ ଥିଲେ ମହାଲିଙ୍ଗ ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ । ଆଉ ୧୮ ତାରିଖ ହଠାତ୍ ସକାଳୁ ଖବର ଆସିଲା ଥାନାରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଉ ଏହାକୁ ନେଇ ଯେତେବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଲା ସେତେବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ପୋଲିସର ସନ୍ଧାନୀ କୁକୁର ପ୍ରଥମେ ବାରାକ ଡେଇଁ ଦୁଇଟି ବାଡ ଡେଇଁ ଥାନା ପଛପଟେ ଥିବା ରେଲୱେ ଲାଇନ ଯାଏଁ ଯାଇ ଫେରାର ହୋଇଥିଲା । ଆଉ ସନ୍ଧାନୀ କୁକୁରର ଏଭଳି ହାବଭାବ ସଂକେତ ଦେଉଥିଲା ଯେ, ରେଲୱେ ଲାଇନ ଦେଇ ଫେରାର ହୋଇଯାଇଥିଲେ ଗୋବିନ୍ଦ । ଏପରିକି ସ୍ଥାନୀୟ ଲୋକ ମଧ୍ୟ କହିଛନ୍ତି ଯେ, ଗୋବିନ୍ଦ ସାହୁ ଫେରାର ହେବା ଦିନ ରେଲୱେ ଲାଇନକୁ ଏକ ବାଇକ ଆସିଥିଲା । ବାଇକରେ ଗୋବିନ୍ଦ ସାହୁଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ବସି ଚାଲି ଯାଇଥିଲେ । କିନ୍ତୁ ସେହି ସମୟରେ ବିଦ୍ୟୁତ୍ କାଟ ହୋଇଥିବାରୁ ଗୋବିନ୍ଦ ସାହୁଙ୍କୁ ସ୍ପଷ୍ଟ ଭାବେ ଦେଖିପାରିନଥିଲେ । କିନ୍ତୁ ସବୁଠୁ ବଡ କଥା ହେଉଛି ଠିକ୍ ସେହି ସମୟରେ ବିଦ୍ୟୁତ୍ କାଟ କାହିଁକି ହୋଇଥିଲା । ନା ଜାଣିଶୁଣି ଯୋଜନାବଦ୍ଧ ଭାବେ ଗୋବିନ୍ଦ ସାହୁଙ୍କୁ ଥାନାରେ ଫେରାର କରାଯାଇଛି ।