କାହିଁକି ପରବନ୍ଦିରଙ୍କ ଘରକୁ ଅନ୍ଧାରୀବିଜେ କରିଥିଲେ ଅନନ୍ତ ଓ ଅନୁପ? ପ୍ରଶ୍ନ ଉଠାଇଲେ ବିରୋଧୀ, ବିଧାୟକ କହିଲେ ସାନ୍ତ୍ୱନା ଦେବାକୁ ଯାଇଥିଲି ।

379

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଶିଖ ଯୁବକଙ୍କୁ ଆକ୍ରମଣ ଘଟଣା ପୁଣି ନୂଆ ମୋଡ ନେଇଛି । ବିଚ୍ ରାସ୍ତାରେ ପୋଲିସ ଉପସ୍ଥିତିରେ ଯୁବକଙ୍କୁ ମାଡ ନେଇ ଚାରିଆଡୁ ପ୍ରତିବାଦର ସ୍ୱର ଉଠୁଥିବା ବେଳେ ବୁଧବାର ବିଳମ୍ବିତ ରାତିର ଏକ ଭିଡିଓ ଘଟଣାକୁ ଆହୁରି ବିବାଦୀୟ କରିଦେଇଛି । ସେପଟେ ମାତ୍ର ୨୪ ଘଂଟାରେ ଅଭିଯୁକ୍ତଙ୍କୁ କିପରି ଜାମିନ ମିଳିଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଆହତ ପରବିନ୍ଦର ସିଂ ।

ସିସିଟିଭିର ଭିଜୁଆଲ୍ ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କ ଆକ୍ରମଣ ଘଟଣାକୁ ଆଉ ଏକ ମୋଡ଼ ଦେଇଛି । ରାତି ପ୍ରାୟ ଗୋଟାଏ । ଆହତ ପରବିନ୍ଦର ରହୁଥିବା ଆପାର୍ଟମେଣ୍ଟକୁ ଅନ୍ୟ ୩ ଜଣଙ୍କ ସହ ଅନ୍ଧାରୀ ବିଜେ କରିଥିଲେ ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ଜେନା । ତାଙ୍କ ସହ ଥିଲେ ଓଡ଼ିଶା ଶିଖ୍ ପ୍ରତିନିଧି ବୋର୍ଡ ସଦସ୍ୟ ସତପାଲ୍ ସିଂହ ଓ ପୋଲିସ ଅଧିକାରୀ ଅନୁପ କାନୁନଗୋ । ଅବଶ୍ୟ ଭୟଭୀତ ଅବସ୍ଥାରେ ଥିବା ପରବିନ୍ଦର ରାତିରେ କବାଟ ଖୋଲିନଥିଲେ । ତେବେ ଅଧ ରାତିରେ ପୀଡ଼ିତଙ୍କ ଘରକୁ ଯିବା, ଘଟଣାରେ ଅନେକ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ବିଧାୟକ କାହିଁକି ରାତିରେ ଗଲେ? କାହିଁକି ଜଣେ ଡିଏସପି, ତାଙ୍କ ସହ ଯାଇଥିଲେ ତାହା ମଧ୍ୟ ପ୍ରଶ୍ନ ଘେରରେ ରହିଛି । ଅନନ୍ତ ଜେନା କହିଛନ୍ତି, ସ୍ଥାନୀୟ ବିଧାୟକ ହିସାବରେ ପୀଡ଼ିତଙ୍କୁ ସାନ୍ତ୍ୱନା ଦେବାକୁ ତାଙ୍କ ଘରକୁ ଯାଇଥିଲି । ସେପଟେ ପରବିନ୍ଦର ଅଭିଯୋଗ କରିଛନ୍ତି, ପୋଲିସର କୋହଳ ଦଫା ଯୋଗୁଁ ଅଭିଯୁକ୍ତମାନେ ଶୀଘ୍ର ଜାମିନ ପାଇବାରେ ସକ୍ଷମ ହୋଇଛନ୍ତି ।

ଶିଖ୍ ଯୁବକଙ୍କୁ ଦିନ ଦ୍ୱିପହରରେ ମରଣାନ୍ତକ ଆକ୍ରମଣ ହେଲା । ଆକ୍ରମଣର ସିସିଟିଭି ଫୁଟେଜ୍ ପାଖରେ ଥିଲା । ତେବେ ଯେଉଁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ସେମାନଙ୍କୁ ଅନାୟାସରେ ମିଳିଯାଇଛି ଜାମିନ୍ । ଯାହାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଏପରିକି କାହିଁକି କଠୋର ଦଫା ଲଗାଇଲା ନାହିଁ ପୋଲିସ ଓ ୨୪ ଘଣ୍ଟା ମଧ୍ୟରେ କିଭଳି ଅଭିଯୁକ୍ତଙ୍କୁ ମିଳିଗଲା ଜାମିନ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ପୋଲିସ ଆଗରେ ବେଧଡ଼କ ଭାବେ ଆକ୍ରମଣ କରିବା, କମିସନରେଟ୍ ପୋଲିସର ଭାବମୂର୍ତିକୁ କ୍ଷୁର୍ଣ୍ଣ କରିଥିବା ବେଳେ, ଏ ବାବଦରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ କମିସନରେଟ୍ ପୋଲିସ । ଜଣେ ପୋଲିସ ଅଧିକାରୀ ରାତି ଅଧରେ ପୀଡ଼ିତ ରହୁଥିବା ଅପାର୍ଟମେଂଟକୁ ଯିବା ଅନେକ ପ୍ରଶ୍ନ ଲଗାଇଛି । ସେପଟେ ଏହି ଘଟଣାକୁ ମଙ୍ଗୁ ମଠ ସହ ନଯୋଡିବାକୁ ଏକ ପ୍ରେସ ରିଲଜରେ କହିଛି ଓଡ଼ିଶା ଶିଖ୍ ପ୍ରତିନିଧି ବୋର୍ଡ ।