କଂଗ୍ରେସରେ କାହିଁକି ସାମିଲ ହେଲେ କହ୍ନେୟା କୁମାର? ପଢନ୍ତୁ, ସାମ୍ବାଦିକ ସମ୍ମିଳନୀରେ କଣ କହିଲେ…

587

କନକ ବ୍ୟୁରୋ: ମଙ୍ଗଳବାର ଦେଶର ଚର୍ଚ୍ଚିତ ଯୁବ ନେତା ତଥା ଜେଏନୟୁର ପୂର୍ବତନ ଛାତ୍ର ସଭାପତି କହ୍ନେୟା କୁମାର କଂଗ୍ରେସରେ ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କହ୍ନେୟା ଓ ଗୁଜରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମୱାନୀ ହାତ ଧରିଛନ୍ତି । ଆଉ ଦଳରେ ସାମିଲ ହେବା ପରେ କହ୍ନେୟା କାହିଁକି କଂଗ୍ରେସରେ ସାମିଲ ହୋଇଛନ୍ତି ସେ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି ।
କହ୍ନେୟା କହିଛନ୍ତି, ତାଙ୍କୁ ଲାଗୁଛି ଏ ଦେଶରେ କିଛି ଲୋକ କେବଳ ଲୋକ ନୁହଁନ୍ତି, ସେମାନେ ଏକ ଚିନ୍ତାଧାରା । ସେମାନେ ଦେଶର ପରମ୍ପରା, ସଂସ୍କୃତି, ଇତିହାସ, ମୂଲ୍ୟବୋଧ, ବର୍ତ୍ତମାନ ଓ ଭବିଷ୍ୟତକୁ ଖରାବ କରିବାକୁ ଚେଷ୍ଟା କରୁଛନ୍ତି । ଏଥିସହ ଯଦି ଏପରି ପରିସ୍ଥିତିରେ କଂଗ୍ରେସ ବଞ୍ଚି ରହିବନି ତେବେ ଦେଶ ବଞ୍ଚି ରହିବନି ବୋଲି କହିଛନ୍ତି ଯୁବ ନେତା କହ୍ନେୟା କୁମାର ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବେ ଅଛନ୍ତି, ଆଗରୁ ଥିଲେ ଏବଂ ଆଗକୁ ମଧ୍ୟ ରହିବେ । ହେଲେ ଏବେ ସବୁଠାରୁ ବଡ ବିରୋଧୀ ଦଳକୁ ଯଦି ଜୀବିତ ନରଖାଯିବ ତେବେ ଦେଶ ମଧ୍ୟ ବଞ୍ଚିରହିବନି । ବଡ ଜାହାଜ ଯଦି ବଞ୍ଚିନରୁହେ ତେବେ ଛୋଟ ଛୋଟ ମାଛଙ୍କୁ କଦାପି ବଞ୍ଚାଇ ରଖିହେବନି । କଂଗ୍ରେସ ହିଁ ଏହି ଦେଶକୁ ସଠିକ୍ ନେତୃତ୍ୱ ଦେଇପାରିବ ବୋଲି କହ୍ନେୟା କହିଛନ୍ତି ।

ମୋର କଂଗ୍ରେସ ଉପରେ ଭରସା ଅଛି । କଂଗ୍ରେସ ଗୋଟିଏ ଗଣତାନ୍ତ୍ରିକ ଦଳ । କ୍ଷମତାକୁ ପ୍ରଶ୍ନ ପଚାରିବାକୁ କଂଗ୍ରେସ ତାଙ୍କୁ ସବୁବେଳେ ସାଥ୍ ଦେବ ବୋଲି କହ୍ନେୟା କହିଛନ୍ତି । ଅନ୍ୟପଟେ ଆରଏସଏସ୍ ଉପରେ ଟାର୍ଗେଟ କରି ସେ କହିଛନ୍ତି, ସଂଘ ଏକ ପରିବାର ନୁହେଁ । ନିଜ ପରିବାରକୁ ଛାଡି ଯେଉଁ ପରିବାର ତିଆରି କରାଯାଏ ତାକୁ କେବେ ବି ପରିବାର କହିହେବନି ବୋଲି କହ୍ନେୟା କହିଛନ୍ତି ।

ଅନ୍ୟପଟେ ଗୁଜରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନୀ ମଧ୍ୟ ଆଜି ବିଜେପି ଉପରେ ଜୋରଦାର ବର୍ଷିଛନ୍ତି । ଆମ ସମ୍ବିଧାନ ଓ ଗଣତନ୍ତ୍ର ଏବେ ବିପଦରେ ଅଛି । ଆଜି ଭାଇ-ଭାଇ ଶତ୍ରୁ ପାଲଟି ଯାଇଛନ୍ତି । କାନପୁର ଓ ଦିଲ୍ଲୀରୁ ହିଁ ପ୍ରତିଟି ନିଷ୍ପତ୍ତି ନିଆଯାଉଛି । କିଛି ବି ହେଲେ ଆମକୁ ଦେଶର ସମ୍ବିଧାନ, ଲୋକତନ୍ତ୍ରକୁ ପୁଣି ଠିଆ କରିବାକୁ ପଡିବ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ଜିଗ୍ନେଶ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଜଣେ ସ୍ୱାଧୀନ ବିଧାୟକ । ତେଣୁ ସେ ଆଜି ଔପଚାରିକ ଭାବେ କଂଗ୍ରେସରେ ସାମିଲ ହୋଇପାରିନାହାଁନ୍ତି । ହେଲେ ୨୦୨୨ ନିର୍ବାଚନ ସେ କଂଗ୍ରେସ ଚିହ୍ନରୁ ହିଁ ଲଢିବେ ବୋଲି ଆଜି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜ୍ୟୋତିରାଦିତ୍ୟ ଓ ସୁସ୍ମିତା ଦେବଙ୍କ ଭଳି ଯୁବ ନେତା କଂଗ୍ରେସର ହାତ ଛାଡୁଥିବା ବେଳେ କହ୍ୱେୟା ଓ ଜିଗ୍ନେଶଙ୍କ ଭଳି ଯୁବନେତାଙ୍କୁ ଦଳରେ ସାମିଲ କରି ବିଜେପିକୁ କଡା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି ।  ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ଋଣନୀତି କଂଗ୍ରେସ ପ୍ରସ୍ତୁତ କରୁଥିବା କୁହାଯାଉଛି । ବିହାରରେ ଗତ ୩ ଦଶକ ହେବ ହାତ ଟେକି ପାରୁନି କଂଗ୍ରେସ । ଏପରିକି ବିହାରରେ ମହାଗଠବନ୍ଧନ କରି ଦଳକୁ ନିର୍ବାଚନ ଲଢିବାକୁ ପଡୁଛି । ତେଣୁ ବିହାରରେ ପୁଣିଥରେ କଂଗ୍ରେସକୁ କମବ୍ୟାକ କରାଇବାକୁ କହ୍ନେୟା କୁମାରଙ୍କୁ ସାଥୀରେ ନେଇଥାଇପାରେ କଂଗ୍ରେସ । ସେହିଭଳି ଗୁଜୁରାଟରେ ଗତ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିଲା କଂଗ୍ରେସ । ତେଣୁ ଏଥର ଶାସନ କ୍ଷମତାରେ ବସିବାକୁ କଂଗ୍ରେସ ଜିଗ୍ନେଶଙ୍କ ଭଳି ଯୁବ ଚେହେରାଙ୍କୁ ଦଳରେ ସାମିଲ କରିଛି । ଯେଉଁମାନେ ବିଭିନ୍ନ ଆନ୍ଦୋଳନର ନେତୃତ୍ୱ ନେଉଥିବେ ଏବଂ ସଂଘର୍ଷ କରି ରାଜନୀତିରେ ନିଜର ପରିଚୟ ହାସଲ କରିଥିବେ ସେହିଭଳି ଚେହେରାଙ୍କ ହାତ ଧରିବାକୁ ଚାହୁଁଛି କଂଗ୍ରେସ । ପୂରା ଦେଶକୁ ବିଜେପି ଗୁଜୁରାଟ ମଡେଲ ଦେଖାଉଥିବା ବେଳେ ଗୁଜୁରାଟରେ ଦଳକୁ ଧରାଶାୟୀ କରିବାକୁ ଉଦ୍ୟମ କରୁଛି କଂଗ୍ରେସ । ଯାହାଦ୍ୱାରା ପୂରା ଦେଶକୁ ଏକ ଭିନ୍ନ ବାର୍ତ୍ତା ଯିବ ଏବଂ କଂଗ୍ରେସ ପୁଣିଥରେ ଶାସନ କ୍ଷମତାକୁ ଫେରିପାରିବ ।