କାହିଁକି କଂଗ୍ରେସ ଛାଡିଲେ ଜ୍ୟୋତିରାଦିତ୍ୟ ? ୧୮ ବର୍ଷର ସଂପର୍କକୁ ପଛ କରି କାହିଁକି ଛାଡିଲେ କଂଗ୍ରେସର ହାତ ?

699

କନକ ବ୍ୟୁରୋ : ୧୮ ବର୍ଷର ସଂପର୍କ ଛିନ୍ନ କରିବାର ସତ କ’ଣ ? କାହିଁକି କଂଗ୍ରେସ ଛାଡିଲେ ଜ୍ୟୋତିରାଦିତ୍ୟ ? ଦୀର୍ଘ ୧୮ ବର୍ଷର ସଂପର୍କକୁ ପଛକରି କଂଗ୍ରେସର ହାତ ଛାଡିବା ପାଇଁ କାହିଁକି ବାଧ୍ୟ ହେଲେ ଜ୍ୟୋତିରାଦିତ୍ୟ ? ଏହି ଗୋଟିଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଜ୍ୟୋତିରାଦିତ୍ୟ ଲେଖିଥିବା ଚିଠିରେ ରହିଛି ଏହି ପ୍ରଶ୍ନର ଉତ୍ତର ।

କାରଣ ସେ ଚିଠିରେ ଲେଖିଛନ୍ତି ଯେ, ରାଜ୍ୟ ଓ ଦେଶର ଲୋକଙ୍କ ସେବା କରିବା ତାଙ୍କର ମୂଳ ଲକ୍ଷ୍ୟ ହୋଇ ରହିଆସିଛି । କିନ୍ତୁ କଂଗ୍ରେସ ପାର୍ଟିରେ ରହି ଏହା ଆଉ ସମ୍ଭବ ନୁହେଁ ବୋଲି ଅତି ସ୍ପଷ୍ଟ ଭାଷାରେ ଲେଖିଛନ୍ତି ଜ୍ୟୋତିରାଦିତ୍ୟ । ତେଣୁ କର୍ମୀ ଓ ସମର୍ଥକଙ୍କ ଇଚ୍ଛାକୁ ଗୁରୁତ୍ୱ ଦେଇ ସେ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିଲା ଜ୍ୟୋତିରାଦିତ୍ୟଙ୍କ ଏକଜିଟ୍ ପ୍ଲାନ ! ମଧ୍ୟପ୍ରଦେଶରେ କମଲନାଥ ସରକାରକୁ ଭାଙ୍ଗିଦେବା ପାଇଁ ରଣନୀତି ! ଦିଲ୍ଲୀ ସେଭେନ ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଂଚିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । କୁହାଯାଉଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ତିନି ନେତା । ଏହାପରେ କଂଗ୍ରେସରୁ ଦୂରେଇ ଯିବା ପାଇଁ ନିଷ୍ପତି କରିଥିଲେ ମଧ୍ୟପ୍ରଦେଶ କଂଗ୍ରେସର ପ୍ରଭାବଶାଳୀ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଦେଇଥିଲେ ଇସ୍ତଫା । ପରେ ସୋନିଆ ଗାନ୍ଧୀ ତାଙ୍କୁ କଂଗ୍ରେସରୁ ବହିଷ୍କାର କରିଥିବା ଦଳ କହିଛି । ଦଳ ବିରୋଧୀ କାମ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କୁହାଯାଉଛି ମଧ୍ୟପ୍ରଦେଶ କଂଗ୍ରେସରେ ଏହି ରାଜନୈତିକ ଡ୍ରାମାର ପଟ୍ଟକଥା ଲେଖାଯାଇଥିଲା ୨୦୧୮ ବିଧାନସଭା ନିର୍ବାଚନ ପରେ ।

– ନିର୍ବାଚନରେ କଂଗ୍ରେସର ବିଜୟ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଲାଗି ପ୍ରବଳ ଦାବିଦାର ମନେ କରାଯାଉଥିଲା
– ହେଲେ ଜ୍ୟୋତିରାଦିତ୍ୟଙ୍କୁ ଉପେକ୍ଷା କରି କମଲନାଥଙ୍କୁ କରାଗଲା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
– ଏହାପରେ ପ୍ରଦେଶ କଂଗ୍ରେସ ସଭାପତି ପଦବୀ ପାଇଁ ଆଶାୟୀ ଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
– ହେଲେ ଏଠି ମଧ୍ୟ ଜ୍ୟୋତିରାଦିତ୍ୟଙ୍କ ରାସ୍ତାରେ କଂଟା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ
– ଆଗକୁ ମଧ୍ୟପ୍ରଦେଶରେ ୩ଟି ରାଜ୍ୟସଭା ଆସନ ଖାଲି ହେଉଥିବାରୁ ପୁଣି ଆଶାବାଦୀ ହୋଇଥିଲେ ଜ୍ୟୋତିରାଦିତ୍ୟ
– ହେଲେ ସଂସଦର ଉଚ୍ଚ ସଦନକୁ ଯିବା ଲାଗି ଜ୍ୟୋତିରାଦିତ୍ୟଙ୍କ ରାସ୍ତାରେ ଅଡୁଆ ସୃଷ୍ଟି କରୁଛନ୍ତି ପୁଣି ଦିଗବିଜୟ

ଜ୍ୟୋତିରାଦିତ୍ୟଙ୍କ ସମର୍ଥକଙ୍କ କହିବା ହେଲା ତାଙ୍କରି ପ୍ରୟାସରେ ଦଳ ୧୫ ବର୍ଷ ପରେ ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିବାରେ ସମର୍ଥ ହେଲା । ଗ୍ୱାଲିୟର ଓ ଭଣ୍ଡି କ୍ଷେତ୍ରରେ ଦଳ କ୍ଲିନସ୍ୱିପ କରିପାରିଲା । ତଥାପି ନିର୍ବାଚନ ପରଠାରୁ ବରିଷ୍ଠ ନେତାମାନେ ତାଙ୍କ ଅଣଦେଖା କରିଆସୁଥିଲେ । ତେଣୁ କଂଗ୍ରେସ ଛାଡି ଅନ୍ୟ ବିକଳ୍ପ ରାଜନୈତିକ ମଂଚ ବାଛିବା ଛଡା ଜ୍ୟୋତିରାଦିତ୍ୟଙ୍କ ଆଗରେ ଅନ୍ୟ କୌଣସି ବାଟ ନଥିଲା ।