୧୫ ବର୍ଷ ପରେ ପୁଣି କଏଦୀଙ୍କୁ ଫାଶୀ ଦେବେ ଜହ୍ଲାଦ? ଜାଣନ୍ତୁ ଅଫଜଲ, କସାବ ଓ ୟାକୁବଙ୍କୁ କିଏ ଦେଇଥିଲେ ଫାଶୀ?

1,393

କନକ ବ୍ୟୁରୋ : ନିର୍ଭୟା ମାମଲାର ଦୋଷୀ ମୁକେଶ, ପବନ, ଅକ୍ଷୟ ଓ ବିନୟଙ୍କୁ କେବେ ଦିଆଯିବ ଫାଶୀ? ସାରାଦେଶ ଏହାକୁ ଅନାଇ ରହିଛି । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ- ସଇତାନଙ୍କୁ ଫାଶୀ ଦେବାରେ ବିଳମ୍ବ କାହିଁକି ଓ ଫାଶୀ କେବେ? ଏବେ ଫାଶୀକୁ ନେଇ କୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଛି । ହେଲେ ଏହାରି ଭିତରେ ଉତର ପ୍ରଦେଶ ଡିଜିଙ୍କୁ ଚିଠି ଲେଖି ଜହ୍ଲାଦ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ତିହାର ଜେଲର ସୁପରିଟେଣ୍ଡେଣ୍ଟା

୨୧ ନଭେମ୍ବର ୨୦୧୨ । ପୁଣେର ୟେରୱାଡା ଜେଲ । ସ୍ୱାଧୀନ ଭାରତରେ ପ୍ରଥମଥର ବିନା ଜହ୍ଲାଦରେ କାହାରିକୁ ଦିଆଗଲା ଫାଶୀ । ମୁମ୍ବାଇ ଆକ୍ରମଣର ଦୋଷୀ ଅଜମଲ କସାବକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାପାଇଁ ୟେରୱାଡା ଜେଲର ଜଣେ କର୍ମଚାରୀ ହିଁ ଫାଶୀର ଲିଭର ଟାଣିଥିଲେ । ସେହିଭଳି ଅଫଜଲ ଗୁରୁ ଓ ୟାକୁବ ମେମନକୁ ମଧ୍ୟ ଫାଶୀ ଦିଆଯାଇଥିଲା । ଦେଶରେ ଶେଷଥର ପାଇଁ ଦିଆଯାଇଥିବା ତିନିଟି ଫାଶୀ ଘଟଣାରେ କୌଣସି ପେଶାଦାର ଜହ୍ଲାଦଙ୍କ ଆବଶ୍ୟକତା ପଡିନଥିଲା । ସଇତାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାର କାମ ଅତି ସହଜରେ କରିଦେଇଥିଲେ ଜେଲ କର୍ମଚାରୀ । ଯଦିଓ ବିନା ଜହ୍ଲାଦରେ ଦିଆଯାଇଥିବା ଏହି ତିନି ଫାଶୀ ଘଟଣାରା କାହାଣୀ ଥିଲା ସମାନ । କାରଣ ଫାଶୀ ଖୁଂଟରେ ଝୁଲିଥିବା ଏହି ତିନି ଦୋଷୀ ଥିଲେ ଆତଙ୍କବାଦୀ । ତେବେ କ’ଣ ଏଥିପାଇଁ ପେଶାଦାର ଜହ୍ଲାଦଙ୍କ ଆବଶ୍ୟକତା ପଡିଲାନି? ଆତଙ୍କବାଦୀ ହୋଇଥିବାରୁ ଜେଲ କର୍ମଚାରୀଙ୍କ ହାତରେ ଦିଆଗଲା ମୃତ୍ୟୁ ଦଣ୍ଡ? କାରଣ ଏହି ତିନିଜଣଙ୍କ ଫାଶୀ ପୂର୍ବରୁ ଦିଆଯାଇଥିବା ଫାଶୀ ଘଟଣାର କାହାଣୀ ଥିଲା ଭିନ୍ନ ।

୧୪ ଅଗଷ୍ଟ ୨୦୦୪ । ଅଲିପୁର ସେଂଟ୍ରାଲ ଜେଲ, କୋଲକାତା । ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଧନଞ୍ଜୟ ଚାଟାର୍ଜୀକୁ ଅଲିପୁର ସେଂଟ୍ରାଲ ଜଲରେ ଦିଆଯାଇଥିଲା ଫାଶୀ । ସେତେବେଳେ ଏହି ସଇତାନକୁ ଫାଶୀ ଖୁଂଟରେ ଝୁଲାଇଥିଲେ ଜଣେ ଜହ୍ଲାଦ । ତାଙ୍କ ନାଁ ଥିଲା ନାଟା ମଲ୍ଲିକ । ୧୫ ବର୍ଷ ତଳେ ଦିଆଯାଇଥିବା ଏହି ଫାଶୀ, କୌଣସି ଜହ୍ଲାଦ ହାତରେ କାର୍ଯ୍ୟକାରୀ ହେବାର ଶେଷ ଘଟଣା । ଏହାପରେ ଯେଉଁ ତିନିଟି ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇଛି, ସେଥିରେ କୌଣସି ଜହ୍ଲାଦଙ୍କୁ ବ୍ୟବହାର କରାଯାଇ ନାହିଁ ।

କୁହାଯାଉଛି ତିନିଟି ମାମଲାରେ ଦୋଷୀ ଆତଙ୍କବାଦୀ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ କୌଣସି ଜହ୍ଲାଦଙ୍କୁ ବ୍ୟବହାର କରାଯାଇ ନଥିଲା । ଫାଶୀକୁ କାର୍ଯ୍ୟକାରୀ କରୁଥିବା ଜହ୍ଲାଦ ପରିବାର ଆତଙ୍କବାଦୀ ସଂଗଠନର ଆକ୍ରୋଶର ଶିକାର ହେବା ଆଶଙ୍କାରେ ଏଭଳି କରାଯାଇଥାଇପାରେ । ଏବେ ୧୫ ବର୍ଷ ପରେ ପୁଣି ଜହ୍ଲାଦଙ୍କୁ ଖୋଜା ପଡିଛି । ଖବର ଅନୁସାରେ ଉତର ପ୍ରଦେଶ ଜେଲ ଡିଜିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ତିହାର ଜେଲର ସୁପରିନଟେଂଣ୍ଡେଂଟ । ୯ ଡିସେମ୍ବରରେ ଏହି ଚିଠି ଲେଖି ସେ ଦୁଇଜଣ ଜହ୍ଲାଦ ମାଗିଛନ୍ତି । କାରଣ ସାରା ଦେଶରେ ଏବେ ଉତର ପ୍ରଦେଶରେ ହିଁ ଦୁଇଜଣ ପେଶାଦାର ଜହ୍ଲାଦ ଅଛନ୍ତି । ଏମାନେ ହେଲେ ପବନ କୁମାର ଓ ଇଲିଆସ ଓରଫ ଅଲ୍ଲି । ଉତର ପ୍ରଦେଶ ପୋଲିସ ସୂତ୍ରରୁ ଜଣାପଡିଛି ଯେ, ତିହାର ଜେଲରୁ ଆସିଥିବା ଚିଠିରେ ଏହି ଦୁଇଜଣଙ୍କ ନାଁ ଲେଖାଯାଇଛି । ଏହା ପୂର୍ବରୁ ଦେଶରେ ଯେତେ ଫାଶୀ ତିଆଯାଇଛି ତାକୁ କାର୍ଯ୍ୟକାରୀ କରିଥିଲେ ବପନର ଜେଜେ କାଲୁ ଜହ୍ଲାଦ, ବାପା ମାମୁ ଜହ୍ଲାଦ, ପଞ୍ଜାବର ଫକିର ଜହ୍ଲାଦ, କୋଲକାତାର ନାଟା ଜହ୍ଲାଦ । ହେଲେ ଏମାନଙ୍କ ଭିତରୁ ଏବେ କେହି ଜୀବତ ନାହାନ୍ତି । ତେବେ ଜେଜେ କିମ୍ବା ବାପାଙ୍କ ସହ ପୁର୍ବରୁ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରିଛି ପବନ ଜହ୍ଲାଦ । ହେଲେ ଏକୁଟିଆ କେବେ ଏହି କାମ କରିନାହିଁ ।