ୟେସ୍ ବ୍ୟାଙ୍କରେ କାହିଁକି ଜମା ହୋଇଥିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ, ଅଧିକ ସୁଧ ଲୋଭ ବୁଡାଇଦେବନି ତ ମହାପ୍ରଭୁଙ୍କ ଟଙ୍କା?

290

କନକ ବ୍ୟୁରୋ : ୟେସ ବ୍ୟାଙ୍କରେ କାହିଁକି ଜମା ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା । ଏହି ପ୍ରଶ୍ନ ଏବେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ସୁଧ ଆଶାରେ ୟେସ୍ ବ୍ୟାଙ୍କରେ ଟଙ୍କା ଜମା କରାଯାଇଥିଲା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଶ୍ରୀମନ୍ଦିର ଅର୍ଥ ରଖିବାକୁ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଏକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ବ୍ୟାଙ୍କ ଚୟନ କରାଯାଇଥିଲା ।

ଏଥିପାଇଁ ୧୨ ମାର୍ଚ୍ଚ ୨୦୧୯ରେ ୧୨ଟି ବ୍ୟାଙ୍କ ଶ୍ରୀମନ୍ଦିର ଅର୍ଥ ରଖିବାକୁ ପ୍ରସ୍ତାବ ଦେଇଥିଲା । ତେବେ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ରାଜି ହୋଇଥିଲା । ୟେସ୍ ବ୍ୟାଙ୍କର ସୁଧ ହାର ଅଧିକ ଥିବାରୁ ଶ୍ରୀଜଗନ୍ନାଥଙ୍କ ଅର୍ଥ ଏହି ବ୍ୟାଙ୍କରେ ଗୋଟିଏ ବର୍ଷ ପାଇଁ ଜମା କରାଯାଇଥିଲା । ତେବେ ୫ ମାର୍ଚ୍ଚ ୨୦୨୦ ପୂର୍ବରୁ ୟେସ୍ ବ୍ୟାଙ୍କ୍ ସହ କାରବାର ନ କରିବାକୁ କୌଣସି ସୂଚନା ନଥିଲଶ । ଏହାଛଡା ଜଗନ୍ନାଥ ମନ୍ଦିରର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅର୍ଥମନ୍ତ୍ରୀ ।

ଏବେ ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କର ୫୪୫ କୋଟି ଜମା ରହିଛି । ଏହି ଟଙ୍କାକୁ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କକୁ ଟ୍ରାନ୍ସଫର କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଆରବିଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିବେଦନ କରାଯାଇଛି । ସେହିପରି ରାଜ୍ୟ ଅର୍ଥମନ୍ତ୍ରୀ ଗତ ୭ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ୟେସ୍ ବ୍ୟାଙ୍କରୁ ଅନ୍ୟ ଜାତୀୟକରଣ ବ୍ୟାଙ୍କକୁ ଜମା ରାଶି ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି । ତେବେ ସବୁଠୁ ବଡ କଥା ହେଲା ଅଧିକ ସୁଧ ଲୋଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା କରାଯାଇଥିବା ବେଳେ ଏବେ ତାହା କେବେ ଫେରସ୍ତ ମିଳିବ ତାହା କହିବା ମୁସ୍କିଲ ହୋଇପଡିଛି ।