କେଉଁ କାରଣରୁ ପ୍ରିୟଙ୍କାଙ୍କ ହତ୍ୟା କଲା ଜଗନ୍ନାଥ? ଏବେ ବି ରହସ୍ୟ ଘେରରେ ପ୍ରିୟଙ୍କାଙ୍କ ମୃତ୍ୟୁ..

1,366

କନକ ବ୍ୟୁରୋ: ମୃତ୍ୟୁର ଖବର ଗାଁ ଲୋକଙ୍କୁ ଯେମିତି ମର୍ମାହତ କରିଥିଲା, ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ଶବ ପରିବାର ଓ ସମ୍ପର୍କୀୟଙ୍କୁ ତାଠୁ ଅଧିକ ସ୍ତବ୍ଧ କରିଦେଇଥିଲା । କାନ୍ଦବୋଳିରେ ଫାଟି ପଡୁଥିଲା ପୁରା ଗାଁ ଆଉ ଏହି ଶୋକାକୁଳ ପରିବେଶ ଭିତରେ ଜୁଇରେ ଜଳି ଯାଇଛି ଗୋଟିଏ ହସଖୁସି ପରିବାରର ସୁଖର ସଂସାର ।

ପ୍ରିୟଙ୍କାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ପ୍ରିୟଙ୍କା ଓ ଅଭିଯୁକ୍ତଙ୍କ ଜଗନ୍ନାଥ ଭିତରେ କ’ଣ ସମ୍ପର୍କ ଥିଲା, ତାକୁ ନେଇ ଉଠୁଥିବା ପ୍ରଶ୍ନ ଭିତରେ ପରିବାର ଲୋକ କହିଛନ୍ତି- ଝିଅ-ଜ୍ୱାଇଁଙ୍କ ଭିତରେ ଖୁବ୍ ଭଲ ସଂପର୍କ ଥିଲା । ପରସ୍ପର ପରସ୍ପରକୁ ଖବ୍ ଭଲ ପାଉଥିଲେ । କିଛି ଦିନ ତଳେ ଜେଜେଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଆସିଥିଲେ ପ୍ରିୟଙ୍କା ଓ ରାକେଶ ।

ଏସବୁ ଭିତରେ କିନ୍ତୁ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ଙ୍କୁ ଭିନ୍ନ ଏକ ବୟାନ ରଖିଛନ୍ତି । ସେ କହିଛନ୍ତି ପ୍ରିୟଙ୍କା ସହ ତାଙ୍କ ପୁଅ ଜଗନ୍ନାଥର ପ୍ରେମ ସଂପର୍କ ଥିଲା । ଏମିତି କି ପ୍ରିୟଙ୍କା ବିବାହ କରିବା ପୂର୍ବରୁ ଓ ପରେ ତାଙ୍କ ପୁଅ ସହ ସଂପର୍କ ରଖିଥିଲେ । କିଛି ଦିନର ବ୍ୟବଧାନ ପରେ ଏଥର ଲକଡାଉନରେ ପୁଣି ଦୁହେଁ ପରସ୍ପର ନିକଟତର ହୋଇଥିଲେ ।

ସୂଚନା ଅନୁସାରେ ଅଭିଯୁକ୍ତ ସୋମବାର ସକାଳ ପ୍ରାୟ ସାଢେ ଦଶଟା ସମୟରେ ପ୍ରିୟଙ୍କା ଘରେ ପହଞ୍ଚିଥିଲା । ସେତେବେଳେ ପ୍ରିୟଙ୍କାଙ୍କ ସ୍ୱାମୀ ଅଫିସ ଯାଇଥିବା ବେଳେ ପୁଅକୁ ପ୍ରିୟଙ୍କା ଘରମାଲିଙ୍କ ଘରେ ଛାଡିଥିଲେ । ଏହାପରେ କୌଣସି କାରଣରୁ ପ୍ରିୟଙ୍କା ଓ ଜଗନ୍ନାଥଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା । ଉଭୟ ଉଚ୍ଚ ସ୍ୱରରେ ପରସ୍ପର ଝଗଡା କରୁଥିବା ବେଳେ ପାଟିତୁଣ୍ଡ ଶୁଣିଥିଲେ ଘରମାଲିକ । ତେବେ ପ୍ରିୟଙ୍କା ସ୍ୱାମୀଙ୍କ ସହ ଝଗଡା କରୁଛନ୍ତି ଭାବି ଏହାକୁ ଗୁରତ୍ୱ ଦେଇନଥିଲେ ।

କୁହାଯାଉଛି ଅଭିଯୁକ୍ତ ଜଗନ୍ନାଥ, ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କୁ ସିନ୍ଦୁର ପିନ୍ଧାଇବା ଚେଷ୍ଟା କରିଥିଲା । ମୃତ ଦେହ ନିକଟରେ ସିନ୍ଦୁର ଫରୁଆ ଖୋଲା ହୋଇ ପଡିଥିବା ଦେଖିବାକୁ ମିଳିଥିବା ବେଳେ ପ୍ରିୟଙ୍କାଙ୍କ ମଥାରେ ସିନ୍ଦୁର ବୋଳା ହୋଇଥିଲା । ଏପଟେ ପ୍ରିୟଙ୍କା ହତ୍ୟା ମାମଲାରେ ତଦନ୍ତ ଜୋରଦାର କରିଛି କମିଶନରେଟ୍ ପୁଲିସ୍ । ତେବେ ଭୁବନେଶ୍ୱର ଭୀମଟାଙ୍ଗୀରେ ଘଟିଥିବା ଏହି ହତ୍ୟାକାଣ୍ଡ ପଛରେ ଏମିତି ଅନେକ କିଛି କାହାଣୀ ରହିଛି, ଯାହା ଉପରୁ ପରଦା ଉଠିବା ବାକି ରହିଛି ।