କାହିଁକି ହେଉଛି ଚିଟଫଣ୍ଡ ଦୁର୍ନୀତି ତଦନ୍ତରେ ବିଳମ୍ବ? ସୁପ୍ରିମକୋର୍ଟରେ ଅସହାୟତା ପ୍ରକାଶ କଲା ସିବିଆଇ । ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି

131

କନକ ବ୍ୟୁରୋ: ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କାହିଁକି ବିଳମ୍ବ ହେଉଛି ? ସୁପ୍ରିମକୋର୍ଟରେ ଏହାର ଜବାବ ରଖିଛିି ତଦନ୍ତକାରୀ ସଂସ୍ଥା ସିବିଆଇ । ଆଉ ଯେଉଁ କାରଣ ସିବିଆଇ ଦେଇଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବହୁ ବଡ ବଡିଆଙ୍କର ଏହି ମାମଲାରେ ସଂପୃକ୍ତି ରହିଛି । ତେଣୁ ସେମାନେ ନିଜ ନିଜ ପ୍ରଭାବ ବିସ୍ତାର କରି ତଦନ୍ତକୁ ବିଳମ୍ବିତ କରାଉଥିବା ସିବିଆଇ କହିଛି । ଯାହାକି ଦେଶର ସବୁଠୁ ବଡ ନିର୍ଭରଯୋଗ୍ୟ ତଦନ୍ତକାରୀ ସଂସ୍ଥାର ଅସହାୟତାକୁ ପ୍ରକାଶ କରିଛି । ଏଥିସହ ଜମାକାରୀଙ୍କ ଟଙ୍କା ଫେରାଇବା କାମ ସିବିଆଇର ନୁହେଁ ବୋଲି ସିବିଆଇ କହିଛି ।

  • କାହିଁକି ବିଳମ୍ବ ହେଉଛି ଚିଟଫଣ୍ଡ ଦୁର୍ନୀତିର ତଦନ୍ତ?
  • କୋର୍ଟରେ କ’ଣ କହିଲା ତଦନ୍ତକାରୀ ସଂସ୍ଥା ସିବିଆଇ ?

ସୂଚନାଯୋଗ୍ୟ ଯେ, ରାଜ୍ୟରେ ସବୁଠୁ ବଡ଼ ଠକେଇ ‘ଚିଟଫଣ୍ଡ ଦୁର୍ନୀତି’ର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଉପରେ ବିରକ୍ତି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ପ୍ରାୟ ୨୦ ହଜାର ଜମାକାରୀ, ଟଙ୍କା ଫେରିପାଇବାକୁ ଅନାଇ ରହିଥିବାବେଳେ ତଦନ୍ତକୁ ସାରିବାରେ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏତିକିବେଳେ ସୁପ୍ରିମକୋର୍ଟରେ ଡିସେମ୍ବର ୧୩ ତାରିଖରେ ସିବିଆଇ ଦାଖଲ କରିଥିବା ସତ୍ୟପାଠ କନକ ନ୍ୟୁଜର ହସ୍ତଗତ ହୋଇଛି । ବଡ କଥା ହେଉଛି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ନିଜର ଅସହାୟତା ପ୍ରକାଶ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ସୁପ୍ରିମକୋର୍ଟରେ ସିବିଆଇର ଜବାବ

  • ଚିଟଫଣ୍ଡ ଦୁର୍ନୀତିର ତଦନ୍ତକୁ ବିଳମ୍ବ କରିଛନ୍ତି ଅନେକ ପ୍ରଭାବଶାଳୀ ବ୍ୟକ୍ତି
  • ଏମାନଙ୍କ ଭିତରେ ଅଛନ୍ତି ବିଧାୟକ, ସାଂସଦ ଏବଂ ରାଜ୍ୟର ଆଡଭୋକେଟ୍ ଜେନେରାଲ
  • ତଦନ୍ତ କରିବା ସହ ଏହି ପ୍ରଭାବଶାଳୀଙ୍କ ପ୍ରଭାବକୁ କମ୍ କରିବାରେ ଅଧିକ ସମୟ ଯାଇଛି
  • ଚିଟଫଣ୍ଡ ଟଙ୍କାରେ ଆହରଣ କରିଥିବା ସଂପତ୍ତିର ହିସାବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି
  • ତଦନ୍ତ ବେଳେ ସାମ୍ନାକୁ ଆସିଥିବା ବେଆଇନ ସଂପତ୍ତି ବାବଦରେ ଇଡିକୁ ସୂଚନା ଦିଆଯାଇଛି

ଓଡ଼ିଶା ଚିଟଫଣ୍ଡ ମାମଲାର ଶୁଣାଣି ବେଳେ ସିବିଆଇକୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉନି । ଚିଟଫଣ୍ଡ ଟଙ୍କା ପାଇବା ପାଇଁ କ୍ଷତିଗ୍ରସ୍ତ ୧୦ରୁ ୧୫ ବର୍ଷ ଅପେକ୍ଷା କରିପାରିବେନି ବୋଲି ଶୁଣାଇ ଦେଇଥିଲେ ସୁପ୍ରିମକୋର୍ଟ ।

ଚିଟଫଣ୍ଡ ମାମଲାର ସିବିଆଇ ତଦନ୍ତରେ ଶିଥିଳତା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପିନାକ ପାଣି ମହାନ୍ତି । ବର୍ଷବର୍ଷ ଧରି କାହିଁକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉ ନାହିଁ ବୋଲି ପ୍ରଶ୍ନରେ ସିବିଆଇ କହିଛି ଯେ, ଟଙ୍କା ଫେରସ୍ତ କରିବା କାମ ତଦନ୍ତକାରୀ ସଂସ୍ଥାର ନୁହେଁ ।

ଟଙ୍କା ଫେରସ୍ତ ନେଇ ସିବିଆଇର ଜବାବ

  • ୨୦୧୪ ମସିହାରେ ସୁପ୍ରିମକୋର୍ଟ କେବଳ ଷଡ଼ଯନ୍ତ୍ର କଥାଟିକୁ ଦେଖିବାକୁ କହିଥିଲେ
  • ଟଙ୍କା କାରବାର ଓ ନିୟାମକ ସଂସ୍ଥାର ଭୂମିକାକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ
  • ତେଣୁ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ସିବିଆଇର ଦାୟିତ୍ୱ ନୁହେଁ
  • ସୀମିତ ସାଧନ ସତ୍ତ୍ୱେ, ୨୩ଟି ମାମଲାରେ ଚାର୍ଜସିଟ୍ କରିସାରିଛି ସିବିଆଇ
  • ଅନ୍ୟ ମାମଲାରେ ପ୍ରାଥମିକ ଚାର୍ଜସିଟ ଦାଖଲ କରିବା ସହ ତଦନ୍ତ ଜାରି ରଖିଛି

୨୦୧୨-୧୩ରେ ହୋଇଥିଲା ରାଜ୍ୟରେ ଚିଟଫଣ୍ଡର ମହାଠକେଇ । ୨୦୧୪ରେ ୪୪ଟି ଚିଟଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ ହୋଇଥିଲା । ଅଭିଯୋଗ ହୁଏ ରାଜ୍ୟରେ ୫୦ହଜାର କୋଟି ଟଙ୍କାର ଚିଟଫଣ୍ଡ ଠକେଇ ହୋଇଥିଲା । ଆଜି ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା, ଯାହାକୁ ଜାନୁଆରୀ ୧୩ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।