କନକ ବ୍ୟୁରୋ: ୨୦୧୭ରେ ଯେତେବେଳେ ପାଇକ ବିଦ୍ରୋହ ସ୍ମାରକୀର ପରିକଳ୍ପନା କରାଯାଇଥିଲା, ସେତେବେଳେ ସମଗ୍ର ଓଡିଆ ଜାତି ପାଇଁ ଗର୍ବର ବିଷୟ ହୋଇଥିଲା । ଆଉ ଯେତେବେଳେ ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ନିର୍ମାଣ ପାଇଁ ଯୋଜନା ହୋଇଥିଲା, ସେତେବେଳେ ନୂଆ ସମ୍ଭାବନା ସୃଷ୍ଟି ହୋଇଥିଲା । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ବଢ଼ାଇଥିବାରୁ ଖୁବଶୀଘ୍ର ସ୍ମାରକୀର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଥିଲା । ହେଲେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବାରୁ, ଏଥିପାଇଁ କିଏ ଦାୟୀ, ରାଜ୍ୟ ସରକାର ନା କେନ୍ଦ୍ର ସରକାର ସେନେଇ ପୁଣି ଥରେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି ।

Advertisment

ଶୁକ୍ରବାର ଦିନ ଖୋର୍ଦ୍ଧା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ଥାରକୀ ସ୍ଥଳକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରିଦର୍ଶନ ସମୟରେ ତାଙ୍କ ସହ ଥିଲେ ବିଜେଡି ସାଂସଦ ଭର୍ତୃହରି ମହତାବ । ତେବେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ଧର୍ମେନ୍ଦ୍ର । ଏପଟେ ପାଇକ ବିଦ୍ରୋହକୁ ତୁରନ୍ତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଦାବି କରିଥିଲେ । ତେବେ ସ୍ମାରକୀକୁ ନେଇ ଦୁଇ ଦଳ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ବିବାଦକୁ ଆଉ ଏକ ପାଦ ଆଗକୁ ବଢ଼ାଇଛି ବିଜେପି । ପ୍ରେସମିଟ୍ କରି ବିଜେଡିର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି ଦଳ ।

ବିଜେପିର ଅଭିଯୋଗ

  • ପାଇକ ବିଦ୍ରୋହର ସ୍ମାରକୀ କରାଇ ନଦେବାକୁ ଚକ୍ରାନ୍ତ କରୁଛି ବିଜେଡି
  • କେନ୍ଦ୍ର ୫୦ ଏକର ଜମି ମାଗିଥିବା ବେଳେ ମାତ୍ର ୯.୫ ଏକର ଜମି ଦେଇଛନ୍ତି ରାଜ୍ୟ ସରକାର
  • ଗଛ ସ୍ଥାନାନ୍ତରଣ ପାଇଁ ଆଇଓସିଏଲ୍ ୫୫ ଲକ୍ଷ ଟଙ୍କା ଦେଇଛି
  • ଗଛ ସ୍ଥାନାନ୍ତର ହୋଇନାହିଁ କି ବିଦ୍ୟୁତ ଖୁଂଟ ଉଠିନାହିଁ
  • ୬ ବର୍ଷ ହେଲାଣି ବନ ବିଭାଗ ଜମି ହସ୍ତାନ୍ତର କରୁ ନଥିବାରୁ କାମ ଆଗେଇ ପାରୁନାହିଁ

ବିଜେପି ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପ ସଭାପତି । ଏପଟେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର । ସେ କହିଛନ୍ତି, ପ୍ରସଙ୍ଗ ନଥିବାରୁ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି ବିଜେପି ।

ଅନ୍ୟପଟେ ପାଇକ ବିଦ୍ରୋହ ସ୍ମାରକୀକୁ ନେଇ ବିଜେଡି-ବିଜେପି ମଧ୍ୟରେ ତୁତୁ ମେମେ ଚାଲିଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ସ୍ମାରକୀ କାର୍ଯ୍ୟ ବିଳମ୍ବ ପାଇଁ ଉଭୟ ବିଜେଡି-ବିଜେପି ଦାୟୀ । ସେହିପରି ରାଜ୍ୟ ପାଇକ ଆଖଡ଼ା ମହାସଂଘର ସାଧାରଣ ସଂପାଦକ ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି, ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଲୋଚନା କରି ସମାଧାନ ବାଟ ବାହାର କରିବା ଉଚିତ । ସବୁଠୁ ବଡ଼ କଥା ହେଉଛି, ରାଜନୀତିର ଗୋଲକଧନ୍ଦା ଭିତରେ ଫସିଯାଇଛି ଏହି ପ୍ରକଳ୍ପ...

  • ୨୦୧୭ରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ପରିକଳ୍ପନା ହୋଇଥିଲା
  • ସ୍ମାରକୀ ନିର୍ମାଣ ପାଇଁ ହୋଇଛି ଅନେକ ବୁଝାମଣା
  • ହେଲେ ୬ ବର୍ଷ ପରେ ବି ଆଗେଇ ପାରୁନି ନିର୍ମାଣ କାର୍ଯ୍ୟ