ପୂରା ବିଶ୍ୱ ପାଳୁଛି ନୂଆବର୍ଷ, କିନ୍ତୁ ୭ ବର୍ଷ ପଛରେ ରହିଛି ଏହି ଦେଶ । ବିଶ୍ୱ ୨୦୨୧କୁ ସ୍ୱାଗତ କରୁଥିବା ବେଳେ ଇଥିଓପିଆରେ ଚାଲିଛି ୨୦୧୪ । ଜାଣନ୍ତୁ ଏମିତି କାହିଁକି ?

860

କନକ ବ୍ୟୁରୋ: ୨୦୨୧ରୁ ସାତ ବର୍ଷ ପଛରେ ଚାଲିଛି ଦେଶ । ୨୦୧୪ରେ ଅଟକିଛି ଇଥିଓପିଆ । କ୍ୟାଲେଣ୍ଡରର ପୃଷ୍ଠା ବଦଳିଛି, ନୂଆବର୍ଷ ୨୦୨୧ ଆସିଛି । ପୂରା ବିଶ୍ୱ ୨୦୨୧କୁ ସ୍ୱାଗତ କରୁଛି । ବାଣ ଫୁଟାଇ, ନାଚି ଗାଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । କିନ୍ତୁ ବିଶ୍ୱରେ ଏମିତି ବି ଏକ ଦେଶ ଅଛି ଯେଉଁଠି ଏବେ ୨୦୧୪ ଚାଲିଛି । ଅଥାର୍ତ ପୂରା ବିଶ୍ୱଠାରୁ ଏହି ଦେଶ ୭ ବର୍ଷ ପଛରେ ରହିଛି । ବିଶ୍ୱର ଅନ୍ୟ ମାମଲାରେ ଏହି ଦେଶ ଆଗୁଆ ଥିବା ବେଳେ କ୍ୟାଲେଣ୍ଡର ମାମଲାରେ କିନ୍ତୁ ବହୁତ ପଛରେ ରହିଛି ।

ଆଫ୍ରିକା ମହାଦେଶର ଦ୍ୱିତୀୟ ସର୍ବାଧିକ ଜନସଂଖାର ଦେଶ ହେଉଛି ଇଥିଓପିଆ । ଏହି ଦେଶରେ ୮୫ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି । ତେବେ ବିଶ୍ୱର ଅନ୍ୟ ରାଷ୍ଟ୍ରରେ ଏହି ଗୋଟିଏ କ୍ୟାଲେଣ୍ଡର ବ୍ୟବହାର ହେଉଥିବା ବେଳେ ଇଥିଓପିଆ ନିଜର ଏକ କ୍ୟାଲେଣ୍ଡର ବ୍ୟବହାର କରୁଛି । ଯାହା ଗ୍ରେଗୋରିଆନ କ୍ୟାଲେଣ୍ଡର ଭାବେ ଜଣାଶୁଣା । ଏହି କ୍ୟାଲେଣ୍ଡର ବିଶ୍ୱର ଅନ୍ୟ କ୍ୟାଲେଣ୍ଡର ଠାରୁ ପ୍ରାୟ ୭ ମାସ ପଛୁଆ । ସବୁଠୁ ବଡ କଥା ହେଲା, ବିଶ୍ୱର ଅନ୍ୟ ରାଷ୍ଟ୍ର ଜାନୁଆରୀ ୧ରେ ନୂଆବର୍ଷ ପାଳୁଥିବା ବେଳେ ଇଥିଓପିଆରେ ପ୍ରତି ୧୩ ମାସ ବ୍ୟବଧାନରେ ୧୧ ସେପ୍ଟେ୍ମ୍ବରରେ ନୂଆବର୍ଷ ପାଳନ ହୋଇଥାଏ ।

ଗ୍ରେଗୋରିଆନ କ୍ୟାଲେଣ୍ଡର ୧୫୮୨ରୁ ପ୍ରଚଳିତ ହୋଇଥିଲା । ଏହାପୂର୍ବରୁ ଏଠାରେ ଜୁଲିଅନ କ୍ୟାଲେଣ୍ଡରର ପ୍ରଚଳନ ହେଉଥିଲା । ତେବେ କ୍ୟାଥୋଲିକ ଚର୍ଚ୍ଚକୁ ମାନୁଥିବା ଦେଶ ନୂଆ କ୍ୟାଲେଣ୍ଡରକୁ ଗ୍ରହଣ କରିନେଇଥିବା ବେଳେ ଅନେକ ଦେଶ ଏହାକୁ ବିରୋଧ ମଧ୍ୟ କରୁଥିଲେ । ଯେଉଁ ଦେଶ ମଧ୍ୟରେ ଇଥିଓପିଆ ମଧ୍ୟ ରହିଥିଲା । ଇଥିଓପିଆରେ ୧୩ ମାସରେ ଗୋଟିଏ ବର୍ଷ ହୋଇଥାଏ । ଏହି ୧୩ ମାସ ମଧ୍ୟରୁ ୧୨ ମାସ ୩୦ ଦିନ ଲେଖାଏଁ ହୋଇଥିବା ବେଳେ ଶେଷ ମାସକୁ ପାଗ୍ୟୁମେ କୁହାଯାଇଥାଏ । ଏହି ମାସଟି ୫ରୁ ୬ ଦିନ ହୋଇଥାଏ । ଏହି ଶେଷ ମାସଟିକୁ ସେହି ଦିନ ଗୁଡିକୁ ଯୋଡି ବନାଯାଇଛି ଯେଉଁ ଦିନ ଗୁଡିକ କୌଣସି କାରଣବଶତଃ ବାର୍ଷିକ ଗଣତିରେ ଆସିନଥାଏ ।

ଇଥିଓପିଆର ଅଧିକାଂଶ ପର୍ଯ୍ୟଟନସ୍ଥଳୀ ୟୁନେସ୍କୋର ହରିଟେଜ ସାଇଟରେ ସାମିଲ ହୋଇଛି । ଯେଉଁଥିପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଇଥିଓପିଆ ଆସିଥାନ୍ତି । ତେବେ କ୍ୟାଲେଣ୍ଡର ଓ ତାରିଖ ପାଇଁ ଏଠାରେ ହୋଟେଲ ବୁକିଂ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେବେ ୧୧ ସେପ୍ଟେମ୍ବରରେ ପାଳନ ହେଉଥିବା ନୂଆବର୍ଷ ଏଠାରେ ବେଶ ଜାକଜମକରେ ହୋଇଥାଏ ।