ଶ୍ରୀଜଗନ୍ନାଥ କାହିଁକି ହୁଅନ୍ତି ନାଗାର୍ଜୁନ ବେଶ? ଏ ସଂପର୍କରେ ରହିଛି ରୋଚକ ପୌରାଣିକ ଉପାଖ୍ୟାନ 

ବେଶର ନାମ ନାଗାର୍ଜୁନ- ୪/ ଅସିତ ମହାନ୍ତି

536

କନକ ବ୍ୟୁରୋ : କାର୍ତ୍ତିକ ପଞ୍ଚକର ମଳ ତିଥିରେ ଶ୍ରୀଜଗନ୍ନାଥ କାହିଁକି ହୁଅନ୍ତି ନାଗାର୍ଜୁନ ବେଶ? ଏ ସଂପର୍କରେ ରହିଛି ରୋଚକ ପୌରାଣିକ ଉପାଖ୍ୟାନ । ତାହା ଅନୁସାରେ, ଦ୍ୱାପର ଯୁଗରେ ନର୍ମଦା ତଟରେ ଥିଲା ହୈହୟ ନାମକ ଏକ ରାଜ୍ୟ । ତାହାର ରାଜଧାନୀ ଥିଲା ମାହିଷ୍ମତୀ । ସେହି ରାଜ୍ୟର ରାଜା ଥିଲେ କୃତବୀର୍ୟ୍ୟ । ତାଙ୍କ ପୁତ୍ରର ନାମ ଥିଲା ‘ଅର୍ଜୁନ’ । କିନ୍ତୁ କୃତବୀର୍ୟ୍ୟଙ୍କର ପୁତ୍ର ହୋଇଥିବାରୁ ସେ ପରିଚିତ ହେଉଥିଲା ‘କାର୍ତ୍ତବୀର୍ୟ୍ୟ’ ଭାବରେ । ତେଣୁ ତାର ନାମ ହୋଇଥିଲା ‘କାର୍ତ୍ତବୀର୍ୟ୍ୟାର୍ଜୁନ’ । ଦତ୍ତାତ୍ରେୟ ଋଷିଙ୍କୁ ସେବା କରି ତାଙ୍କଠାରୁ ସହସ୍ରବାହୁ ହେବାର ବର ମଧ୍ୟ ସେ ପାଇଥିଲା । ଫଳରେ ତାର ନାମ ହେଲା ‘ସହସ୍ରାର୍ଜୁନ’ ।

ଏକଦା ରାବଣ ମାହିଷ୍ମତୀ ନଗରୀ ନିକଟ ନର୍ମଦା ତଟରେ ଶିବପୂଜା କରୁଥିଲା । ସେତିକିବେଳେ ନର୍ମଦାରେ ଜଳକ୍ରୀଡ଼ା କରୁଥିବା ସହସ୍ରାର୍ଜୁନ ନର୍ମଦାର ସ୍ରୋତକୁ ତାହାର ସହସ୍ରବାହୁ ଦ୍ୱାରା ଅବରୋଧ କରି ଦେବାରୁ ରାବଣର ପୂଜାସ୍ଥଳ ଜଳପ୍ଳାବିତ ହୋଇଗଲା । ପୂଜାରେ ବ୍ୟାଘାତ ଘଟିବାରୁ ରାବଣ କ୍ରୋଧିତ ହୋଇ ସହସ୍ରାର୍ଜୁନକୁ ଆକ୍ରମଣ କଲା । କିନ୍ତୁ ସହସ୍ରାର୍ଜୁନ ତାହାକୁ ପରାସ୍ତ କରି ବନ୍ଦୀ କରିନେଲା । ପରେ ରାବଣର ପିତାମହ ପୁଲସ୍ତ୍ୟ ଋଷି ଅନୁରୋଧ କରିବାରୁ ସେ ରାବଣକୁ ମୁକ୍ତ କଲା । ରାବଣ ଓ ସେ ପରସ୍ପରର ବନ୍ଧୁ ହୋଇଗଲେ । ଏହିପରି ଭାବରେ କ୍ରମେ ସହସ୍ରାର୍ଜୁନ ଗର୍ବୀ ଓ ଉଦ୍ଧତ ହୋଇଗଲା ।

ଦିନେ ସହସ୍ରାର୍ଜୁନ ସୈନ୍ୟସାମନ୍ତ ନେଇ ମୃଗୟା ନିମନ୍ତେ ବଣକୁ ଯାଇଥିବା ବେଳେ, କ୍ଷୁଧା ଓ ତୃଷାରେ ଅଧୀର ହୋଇ ଋଷି ଜମଦଗ୍ନିଙ୍କ ଆଶ୍ରମରେ ଯାଇ ପହଞ୍ଚିଲା । ସେହି ଆଶ୍ରମରେ ଦିବ୍ୟଶକ୍ତିସଂପନ୍ନ ଗୋଟିଏ କାମଧେନୁ ଥିଲେ । ଜମଦଗ୍ନି ଯାହା କାମନା କରୁଥିଲେ, ସେହି କାମଧେନୁ ତାହା ତାଙ୍କୁ ଦେଇପାରୁଥିଲେ । ତେଣୁ ତାହାଙ୍କ ପ୍ରସାଦରୁ ଜମଦଗ୍ନି ସହସ୍ରାର୍ଜୁନ ଓ ତା’ ସାଙ୍ଗରେ ଥିବା ସୈନ୍ୟସାମନ୍ତଙ୍କୁ ଭୁରିଭୋଜନ ଦେଲେ ।

ଋଷିଙ୍କ ଆଶ୍ରମରୁ ସେହି ଦିବ୍ୟ ସତ୍କାର ପାଇ ସହସ୍ରାର୍ଜୁନ ଜାଣିଲା ଯେ କାମଧେନୁଙ୍କ ପ୍ରସାଦରୁ ତାହା ସମ୍ଭବ ହୋଇଛି । ତେଣୁ ଲୋଭରେ ପଡ଼ି ସେ ଜମଦଗ୍ନିଙ୍କୁ କାମଧେନୁଟିକୁ ମାଗିଲା । ଜମଦଗ୍ନି ରାଜି ନହେବାରୁ, ସେ ବଳପୂର୍ବକ ତାହାଙ୍କୁ ଅପହରଣ କରିନେବାକୁ ଚାହିଲା । କିନ୍ତୁ କାମଧେନୁ ଅସଂଖ୍ୟ ସୈନ୍ୟସାମନ୍ତ ଓ ଅସ୍ତ୍ରଶସ୍ତ୍ର ସୃଷ୍ଟିକଲେ । ଫଳରେ ସହସ୍ରାର୍ଜୁନର ସୈନ୍ୟସାମନ୍ତ ସେମାନଙ୍କଦ୍ୱାରା ପରାସ୍ତ ହେଲେ । କିନ୍ତୁ ସହସ୍ରାର୍ଜୁନ ଫେରିଯାଇ, ପୁଣି ପ୍ରସ୍ତୁତ ହୋଇ ଆସି ଜମଦଗ୍ନିଙ୍କ ଆଶ୍ରମ ଉପରେ ଆକ୍ରମଣ କଲା ଏବଂ ତାଙ୍କୁ ହତ୍ୟା କଲା । କାମଧେନୁ ବ୍ରହ୍ମଲୋକକୁ ପ୍ରତ୍ୟାବର୍ତ୍ତନ କରିଗଲେ ।

ସେହି ଆକ୍ରମଣ ଓ ହତ୍ୟା ସମୟରେ ଜମଦଗ୍ନିଙ୍କ ପୁତ୍ର ପରଶୁରାମ ଆଶ୍ରମରେ ନଥିଲେ । ସେ ଆଶ୍ରମକୁ ଫେରି ସବୁ କଥା ଜାଣି କ୍ରୋଧିତ ହେଲେ ଏବଂ ପରାକ୍ରମୀ ନାଗାବେଶରେ ଯୁଦ୍ଧ କରି, ନିଜର ପରଶୁଦ୍ୱାରା ସହସ୍ରାର୍ଜୁନକୁ ବଧ କଲେ । କାର୍ତ୍ତିକ ମାସ ପଞ୍ଚକର ମଳ ତିଥିରେ ସହସ୍ରାର୍ଜୁନକୁ ନିହତ କରି, ପରଶୁରାମ ଅବତାର ପୃଥିବୀର ପାପଭାର ଲାଘବ କରିଥିଲେ ।

ପାରମ୍ପରିକ ବିଶ୍ୱାସ ଓ ଶାସ୍ତ୍ରମତ ଅନୁସାରେ, ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ । ସବୁ ଅବତାର ତାଙ୍କର ଦାରୁ ରୂପରୁ ଉଦ୍ଭବ ହୋଇ ପୁଣି ସେହି ଦାରୁ ରୂପରେ ଲୀନ ହୋଇଥାଆନ୍ତି । ତେଣୁ ଗୋଟିଏ ମତରେ, ପରଶୁରାମ ଅବତାରଙ୍କର ଏହି ଲୀଳାର ସ୍ମାରକୀ ରୂପେ, କାର୍ତ୍ତିକ ମାସର ମଳ ପଞ୍ଚକ ତିଥିରେ ଶ୍ରୀଜଗନ୍ନାଥ ନାଗାର୍ଜୁନବେଶ ହୋଇଥାଆନ୍ତି ।

Comments are closed.