କାହିଁକି ଶୀତଦିନରେ ୧୦୦ ଟଙ୍କା ଛୁଇଁଲାଣି ଟମାଟୋ କିଲୋ? ଜାଣନ୍ତୁ ଏହା ପଛର କାରଣ କଣ?

488

କନକ ବ୍ୟୁରୋ : କିଛି ଦିନ ପୂର୍ବେ ଟମାଟୋ ରାସ୍ତାରେ ଗଡୁଥିଲା, ବିଲରେ ପଚୁଥିଲା । ମାଗଣାରେ ବି ଲୋକେ ନେବାକୁ ମଙ୍ଗୁ ନଥିଲେ । ଏହାଛଡା ଉଚିତ ଦାମ ମିଳୁନଥିବାରୁ ବିଲରେ ସେମିତି ପଚିବାକୁ ଛାଡି ଦେଉଥିଲେ ଚାଷୀ । କିନ୍ତୁ ଏବେ ସେହି ଟମାଟୋର ଭାଉ କହିଲେ ନସରେ । ପେଟ୍ରୋଲ ଭଳି ଟମାଟୋ ବି ଏବେ ଶତକ ପାର କଲାଣି । ଦେଶର ବିଭିନ୍ନ ସହରରେ ଟମାଟୋ ଦର ୧୦୦ ପାର କରିଥିବା ବେଳେ କିଛି ସହରରେ ଟମାଟୋ ଦର ୧୦୦ ପାଖାପାଖି ପହଞ୍ଚିଗଲାଣି । ଖାସକରି ତାମିଲନାଡୁରେ ଖାଦ୍ୟରେ ଅଧିକ ବ୍ୟବହାର ହେଉଥିବା ଟମାଟୋ ଦର ୧୨୦ରୁ ୧୫୦ ଭିତରେ ରହିଛି । ତେଣୁ ଏବେ ଟମାଟୋ କିଣି ଖାଇବାକୁ ଏବେ ଖାଉଟିଙ୍କୁ ଡର ଲାଗୁଛି, ପକେଟକୁ ମହଙ୍ଗା ମାଡ ବାଧୁଛି । କିନ୍ତୁ ପ୍ରଶ୍ନ ଉଠୁଛି ହଠାତ୍ କାହିଁକି ବଢିଲା ଟମାଟୋ ଦର? ପ୍ରତିଥର ଶୀତ ଋତୁରେ ଟମାଟୋ ଦର ୧୦ରୁ ୧୫ ଟଙ୍କା ମଧ୍ୟରେ ରହୁଥିବା ବେଳେ ଏଥର ଏତେ ଚଢା ଦର କାହିଁକି? ଏ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।

ଟମାଟୋ ଦର ବଢିବା ପଛର ସବୁଠୁ ବଡ କାରଣ ହେଉଛି ବର୍ଷା । ଲଗାଣ ବର୍ଷା କାରଣରୁ ହିଁ ଟମାଟୋ ସପ୍ଲାଏରେ ବାଧା ଦେଖାଦେଇଛି । ଯେଉଁଥିପାଇଁ ଟମାଟୋ ଦର ହୁ ହୁ ହୋଇ ବଢି ଚାଲିଛି । ଦକ୍ଷିଣ ଭାରତରେ ଲଗାଣ ବର୍ଷା ହିଁ ଟମାଟୋ ଦର ବୃଦ୍ଧିର ପ୍ରମୁଖ କାରଣ । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଭଳି ରାଜ୍ୟରେ ବର୍ଷା ହିଁ ଦେଶରେ ଟମାଟୋ ଦରକୁ ଉଚ୍ଚା କରିଛି । କାରଣ ଲଗାଣ ବର୍ଷା ଫଳରେ ଟମାଟୋ ଚାଷ ହୋଇଥିବା ଜମିରେ ପାଣି ଜମି ରହିଛି । ଯାହା ଫଳରେ ଟମାଟୋ ଫସଲ ଏକପ୍ରକାର ନଷ୍ଟ ହୋଇଯାଇଛି । ଏପରିକି କିଛି ସ୍ଥାନରେ ଟମାଟୋ ସବୁ ବିଲରେ ପଚୁଛି । ଏହାଦ୍ୱାରା କେବଳ ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ ହୋଇନି ବରଂ ଚାଷୀଙ୍କ ଚିନ୍ତା ମଧ୍ୟ ବଢିଯାଇଛି । କାରଣ ଆଖି ଆଗରେ ଶହ ଶହ ଏକର ଜମିରେ ଚାଷ ହୋଇଥିବା ଟମାଟୋ ଫସଲ ନଷ୍ଟ ହୋଇଛି ।

ଖାସକରି ଶୀତ ଦିନରେ ବର୍ଷା ହୁଏ ନାହିଁ । ଯେଉଁଥିପାଇଁ ଦକ୍ଷିଣ ଭାରତରେ ଭଲ ଟମାଟୋ ଚାଷ ହୋଇଥାଏ । କିନ୍ତୁ ଚଳିତଥର ଲଗାତାର ଲଘୁଚାପ ବର୍ଷା ଏହି ଧାରାରେ ବ୍ରେକ ଲଗାଇଛି । ଯାହାଦ୍ୱାରା ଦିନ କେଇଟା ମଧ୍ୟରେ ଟମାଟୋ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଏହାସହ ତେଲ ଦର ବୃଦ୍ଧି ମଧ୍ୟ ଟମାଟୋ ଦର ବଢିବା ପଛର ଅନ୍ୟ ଏକ କାରଣ ବୋଲି କୁହାଯାଉଛି । ତେଲ ଦର ବଢିବା ଦ୍ୱାରା ପରିବହନ ଖର୍ଚ୍ଚ ମଧ୍ୟ ବଢୁଛି, ତେଣୁ ସବୁଜ ପନିପରିବା ଦର ମଧ୍ୟ ବଢୁଥିବା କୁହାଯାଉଛି ।