କାହିଁକି ବାରମ୍ବାର ଅଘଟଣ ଘଟାଉଛି ‘ମୋ ବସ୍’: ମୋ ବସ୍ ଦୁର୍ଘଟଣା ପଛର ପ୍ରକୃତ କାରଣ କ’ଣ?

253

କନକ ବ୍ୟୁରୋ: ରାଜଧାନୀରେ ନିୟମ ମାନୁନି ମୋ ବସ୍ । ଗତକାଲି ରାତିରେ ଭୁବନେଶ୍ୱର ପଟିଆ ଛକରେ ମୋ ବସ ଦୁର୍ଘଟଣାରେ ଜଣେ ଗୁରୁତର ହେବା ପରେ ଏଭଳି ପ୍ରଶ୍ନ ଉଠିଛି । ଦୁର୍ଘଟଣା ଘଟାଇ ମୋ ବସ ଡ୍ରାଇଭର ଚାଲିଯାଉଥିବାବେଳେ ଲୋକେ ଗାଡିକୁ ଅଟକାଇ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ବି ସୃଷ୍ଟି ହୋଇଥିଲା । ପ୍ରଶ୍ନ ଉଠୁଛି, ଭୁବନେଶ୍ୱରରେ କାହିଁକି ବାରମ୍ବାର ଘଟୁଛି ଏଭଳି ଘଟଣା?

ସହରର ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ ଓ ସୁବିଧାଜନକ କରିବା ଯୋଗୁଁ ‘ମୋ ବସ୍’ ଯେତିକି ପ୍ରଶଂସା ସାଉଁଟିଥିଲା, ତାଠୁ ଅଧିକ ଏବେ ଦୁଃର୍ନାମ ଅର୍ଜନ କରିଛି । ନିୟମିତ ବ୍ୟବଧାନରେ ବଦନାମ୍ ଆଣୁଛି ମୋ ବସ୍ ସେବା । ଦୁର୍ଘଟଣା, ଅଘଟଣ, ଚୋରୀ, ଅବ୍ୟବସ୍ଥା । ଏକାଧିକ ଅପବାଦ ଭିତରେ ସବୁଠାରୁ ମୁଣ୍ଡ ବ୍ୟଥାର କାରଣ ସାଜିଛି ଦୁର୍ଘଟଣା । ‘ମୋ ବସ୍’ ଧକ୍କାରେ କେତେବେଳେ ଜୀବନ ଯାଉଛି, ତ ଆଉ କେତେବେଳେ ଗୁରୁତର ଆହତ ହୋଇ ଲୋକେ ଅକ୍ଷମ ହୋଇଯାଉଛନ୍ତି । ରବିବାର ରାତିରେ ମୋ ବସ୍ ଦୁର୍ଘଟଣା ଯୋଗୁଁ ପଟିଆ ଅଂଚଳରେ ବଡ଼ ତୁମୁଳକାଣ୍ଡ ଦେଖିଛି ରାଜଧାନୀ ଭୁବନେଶ୍ୱର । କିନ୍ତୁ ପ୍ରଶ୍ନ ହେଉଛି-

ବାରମ୍ବାର ଦୁର୍ଘଟଣା ଘଟୁଛି କାହିଁକି? ବିଶେଷଜ୍ଞଙ୍କ ମତରେ
– ମୋ ବସ୍ ଚାଳକଙ୍କ ଉପଯୁକ୍ତ ପ୍ରଶିକ୍ଷଣର ଅଭାବ
– ବେଗ ଉପରେ ଚାଳକଙ୍କ ନିୟନ୍ତ୍ରଣ ରହୁନି
– ଦୁର୍ଘଟଣା ଘଟାଉଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି
– ଚାଳକମାନେ ନିଶାପାନ କରି ଗାଡ଼ି ଚଳାଉଥିବା ଅଭିଯୋଗ ହେଉଛି
– ସରକାରଙ୍କ ଗାଇଡଲାଇନର ଉଲଂଘନ କରାଯାଉଛି
– ସହରର ଅଣ ଓସାରିଆ ରାସ୍ତାରେ ବଡ଼ ବଡ଼ ଗାଡ଼ି ଚଳାଇବାକୁ ଅନୁମତି ମିଳିଛି
– ଗାଡ଼ି ଚଳାଇବା ବେଳେ ଟ୍ରାଫିକ୍ସ କ୍ଷମତାକୁ ଅଣଦେଖା କରାଯାଇଛି
– ବିଭାଗ-ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ରହୁଛି ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ।

ରବିବାର ରାତି ପ୍ରାୟ ୯ଟା ବେଳେ ଜଣେ ଯୁବକଙ୍କୁ ମୋ ବସ୍ ଧକ୍କା ଦେବାରୁ ପଟିଆ ବିଗ୍ବଜାର ଛକରେ ଉତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଦୁର୍ଘଟଣାରେ ଶିଖରଚଣ୍ଡୀ ବସ୍ତିର ପି.କେଶୁ ରେଡ୍ଡି ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଘଟଣାସ୍ଥଳରୁ ଛୁ’ ହୋଇଯିବା ଉତ୍ୟକ୍ତ ଲୋକମାନେ ଗାଡ଼ି ଉପରେ ଢ଼େଲାପଥର ମଧ୍ୟ ମାଡ଼ କରିଥିଲେ ।

ବଡ଼ କଥା ହେଉଛି, ମୋ ବସ୍ ପରିଚାଳନା ଦାୟିତ୍ୱରେ ଥିବା କ୍ୟାପିଟାଲ୍ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା ସିଆର୍ୟୁଟି ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ମୋ ବସ୍ ଦୁର୍ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ୁଛି ।