କନକ ବ୍ୟୁରୋ: କଂସାରେ ପଖାଳ । ଆଉ ସାଥିରେ ରହିଛି ତେନ୍ତୁଳି । ଭାଗ୍ୟ ଭଲ ଥିଲେ ପଖାଳ ସାଥିରେ ଡାଲି ଟିକେ ମିଳିଯାଏ । ବାସ ଏତିକି ହେଉଛି ଏମାନଙ୍କ ଖାଦ୍ୟ ତାଲିକା । ଏ ହେଉଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଘାଟିସାହି ଗାଁ । ୟେ ସେହି ଗାଁ , ଯେଉଁଠି କିଛି ଦିନ ତଳେ ଅପପୃଷ୍ଟିରେ ଜଣେ ବାଳକର ଜୀବନ ଯାଇଥିଲା । ଏହି ଗାଁର ବାଙ୍କୁ ହେମ୍ବ୍ରମଙ୍କ ପୁଅ ଅର୍ଜୁନ ହେମ୍ବ୍ରମଙ୍କର ଅପପୃଷ୍ଟିରେ ମୃତ୍ୟୁ ହେବା ପରେ ପ୍ରଶାସନ ଅବ୍ୟବସ୍ଥାର ବାସ୍ତବ ଚିତ୍ର ଏବେ ସାମ୍ନାକୁ ଆସିଛି । ଅର୍ଜୁନ ହେମ୍ବ୍ରମଙ୍କର ମୃତ୍ୟୁ ଘଟଣାର ସତ୍ୟତା ଜାଣିବା ପାଇଁ ଘାଟିସାହି ଗାଁକୁ ଯାଇଥିଲା ସିଭିଲ ସୋସାଇଟି ଫୋରମ ଅନ ହ୍ୟୁମାନ ରାଇଟ୍ସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଯାଜପୁରଠାରୁ ବେଶୀ ଦୁରରେ ନଥିଲେ ବି ଏହି ଗାଁ ସରକାରୀ ଯୋଜନାଠାରୁ ଅପହଂଚ ଦୁରରେ ଥିଲାଭଳି ଅନୁଭବ କରିଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।

Advertisment

ବାଙ୍କୁ ହେମ୍ବ୍ରମଙ୍କ ପାଖରେ ରାସନ କାର୍ଡ ଅଛି ସତ କିନ୍ତୁ ମିଳୁନାହିଁ ରାସନ । ଜବ କାର୍ଡ ବି ଅଛି , କିନ୍ତୁ ୨୦୧୭ରୁ ସେଇଟା ବି ରଦ୍ଦ । ଏନେଇ ସ୍ଥାନୀୟ ପ୍ରଶାସନଙ୍କୁ ବି ଜଣାଇଲେ ବି କେହି କିଛି ଶୁଣୁନାହାନ୍ତି । ବାଙ୍କୁଙ୍କର ଅନ୍ୟ ପୁଅ ଝିଅ ବି ଅପପୃଷ୍ଟିରେ ଶୀକାର ହୋଇଛନ୍ତି । ୧୦ ବର୍ଷର ଝିଅ କୁନି ହେମ୍ବ୍ରମ ଓ ୯ ମାସର ରାଇଜିଂ ହେମ୍ବ୍ରମ ଏବେ କଟକ ଶିଶୁ ଭବନରେ ଚିକିତ୍ସିତ ହେଉଛନ୍ତି , ସାଥିରେ ଅଛନ୍ତି ମା ତୁଳସୀ ହେମ୍ବ୍ରମ ।

କେବଳ ଏହି ଗୋଟିଏ ପରିବାର ନୁହଁ ଘାଟିସାହି ଗାଁର ଅନେକ ଶିଶୁଙ୍କର ସମାନ ଅବସ୍ଥା । ପୃଷ୍ଟିକର ଖାଦ୍ୟ ପାଉନଥିବାରୁ ଅନେକ ଅପପୃଷ୍ଟିର ଶିକାର ହେଉଛନ୍ତି । ଶିଶୁଙ୍କ ଯତ୍ନ ପାଇଂ ଥିବା ଅଙ୍ଗବାଡି କେନ୍ଦ୍ର ଟିଏ ବି ନାହିଁ । ଗାଁର କମ୍ୟୁନିଟି ସେଂଟରରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । କିନ୍ତୁ ତାହା ବି ଧର୍ମକୁ ଆଖି ଠାର ମାରିଲା ଭଳି ।

ଯାଜପୁର ଜିଲ୍ଲାର ନଗଡାରେ ଅପୃପୃଷ୍ଟିରେ ଶିକାର ହୋଇ ଜୀବନ ହରାଇଥିବା ଶିଶୁଙ୍କ କଥା ଏବେବି ଭୁଲି ନାହିଁ ଓଡିଶା । ଆଉ ଏବେ ଅପପୃଷ୍ଟିର ଅନ୍ଧାରୀ ଇଲାକା ପାଲଟିଛି ଘାଟିସାହି ।