ଦେବସ୍ନାନ ପୂର୍ଣ୍ଣିମାରେ କାହିଁକି ହୋଇଥାଏ ଗଜାନନ ବେଶ? କ’ଣ କହୁଛି କିମ୍ବଦନ୍ତୀ ପଢ଼ନ୍ତୁ…

277

କନକ ବ୍ୟୁରୋ : ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା  । ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କଲେଣି ଚତୁର୍ଦ୍ଧାମୂର୍ତୀ । ଦଇତାପତି ସେବାୟତ ମାନେ ଠାକୁରଙ୍କୁ ଧାଡି ପହଣ୍ଡିରେ ବିଜେ କରାଇଛନ୍ତି ସ୍ନାନ ମଣ୍ଡପରେ  । ସ୍ନାନ ମଣ୍ଡପରେ ବିଜେ ହେବା ପରେ ଯଥାବିଧି ପୂଜାର୍ଚ୍ଚନା ମଧ୍ୟ କରାଯାଉଛି । ନିୟମ ଅନୁସାରେ ଠାକୁରଙ୍କ ପହଣ୍ଡି ବିଜେ ପରେ ମହାସ୍ନାନ କରାଯାଇଥାଏ । ତେବେ ଏହି ଜଳ ଗୋଟିଏ ବର୍ଷ ପୂର୍ବରୁ ଗଚ୍ଛିତ ହୋଇ ରଖାଯାଇଥାଏ । କୁହାଯାଏ ଏହି ଜଳ ଯେଉଁ ସ୍ଥାନରୁ ଆସିଥାଏ ତାହାର ନାମ ସୁନା କୂଅ ।  ତେବେ ଏହିଠାରୁ ହିଁ ଠାକୁରଙ୍କ ଲାଗି ପାଣି ଯାଇଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।

କାହିଁକି ଆଜି ହୋଇଥାଏ ଗଜାନନ ବା ହାତୀ ବେଶ ?

କିମ୍ବଦନ୍ତି ଅନୁଯାୟୀ ପଂଚଦଶ ଶତାଦ୍ଦୀରେ ମରାଠା ମହାଗାଣପତ୍ୟ ସଂପ୍ରଦାୟର ବ୍ରାହ୍ମଣ ପଣ୍ଡିତ ଶ୍ରୀ ଗଣପତି ଭଟ୍ଟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ । ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତିଙ୍କୁ ସେ ଦର୍ଶନ କଲେ ସତ ,ହେଲେ ତାଙ୍କ ମନ ବୁଝିଲା ନହିଁ । ମନେ ମନେ ସେ କହିଥିଲେ ମୁଁ ମୋର ଆରାଧ୍ୟ ଦେବତାଙ୍କ ବେଶରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲି । ହେଲେ ତାହା ହେଲା ନାହିଁ । କାରଣ ସେ ମହାପ୍ରଭୁଙ୍କୁ ଗଣପତି ବେଶରେ ଦେଖିବାକୁ ଚାହୁଁଥିଲେ । ଦୁଃଖରେ ଫେରିଯାଉଥିବା ବେଳେ ଶୂନ୍ୟବାଣୀ ହେଲା । ଏବଂ ପରେ ସେହି ଦିନଠାରୁ ହିଁ  ମହାପ୍ରଭୁ ଜଗନ୍ନାଥ କୃଷ୍ଣ ଗଣପତି ରୂପରେ ଓ ପ୍ରଭୁ ବଳଭଦ୍ର ଧବଳ ଗଣପତି ରୂପରେ ଦର୍ଶନ ଦେଇଥିଲେ ।

ସେହି ଦିନଠାରୁ ଶ୍ରୀ ଗଣପତି ଭଟ୍ଟଙ୍କ ‘ ଗଣପତି ବେଶ’ ସ୍ମାରକୀ ସ୍ୱରୂପ ଏହି ବେଶ ହୋଇଆସୁଛି । ମହାସ୍ନାନ ହେବା ପରେ ଠାକୁରଙ୍କ ପାଖରେ ଭୋଗ ହୋଇଥାଏ । ଏହାପରେ ଦର୍ଶନ ପାଇଁ ସର୍ବସାଧାରଣଙ୍କୁ ଅନୁମତି ଦିଆଯାଏ । ତେବେ ଆଜି ମଧ୍ୟ ଠାକୁରଙ୍କୁ ପାଖରେ ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବାର ବିଧି ରହିଛି ।