କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଉଦବେଗ ଜନକ ଭାବେ ବଢୁଛି । ଏଥିପାଇଁ କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ ବିଳମ୍ବ ଓ ଅମାନିଆ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର । ସେ କହିଛନ୍ତି କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ, ସଂକ୍ରମିତ ବ୍ୟକ୍ତିମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିଦେଉଛନ୍ତି । ଯେଉଁମାନଙ୍କ ଲକ୍ଷଣ ନାହିଁ କିମ୍ବା ସ୍ୱଳ୍ପ ଲକ୍ଷଣ ରହିଛି ସେମାନେ ବାହାରେ ବୁଲିବା ଦ୍ୱାରା ବି ସଂକ୍ରମଣ ବଢୁଛି । ରିପୋର୍ଟ କିପରି ଶୀଘ୍ର ଆସି ପାରିବ ସେନେଇ ଗୁରୁତ୍ୱ ଦେଇଛନ୍ତି ଡାକ୍ତର ନିରୋଜ ମିଶ୍ର । ସରକାର ଏ ଦିଗରେ ଆହୁରି ଟିକିଏ ପ୍ରୋଆକ୍ଟିଭ ହେବା ଦରକାର ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ।
ନଭେମ୍ବର ୧୭ ବେଳକୁ ଓଡିଶାରେ କରୋନା ସଂକ୍ରମଣ କମିଯିବ, ଏହି ପୂର୍ବାନୁମାନ କରିଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର । ସେ କହିଛନ୍ତି, ଲୋକେ ସତର୍କ ନହେଲେ ସଂକ୍ରମଣ ଆହୁରି ବଢିବ ।
ଭୁବନେଶ୍ୱରରେ ୮ଦିନ ହେବ ପିକ୍ ସମୟ ଅତିକ୍ରମ କରିସାରିଲାଣି । ଆକ୍ଟିଭ କେସ କମ୍ ଥିବା ବେଳେ ଆରୋଗ୍ୟ ହାର ମଧ୍ୟ ୮ଦିନ ହେଲା ବଢୁଛି । ସେପଟେ କଟକରେ ଟିକେ ସମୟ ଲାଗୁଛି । ଆଉ ୫ରୁ ୧୦ ଦିନ ଭିତରେ କଟକରେ ବି ଧିରେ ଧିରେ କମିଯିବ ବୋଲି କହିଛନ୍ତି ନିରୋଜ ମିଶ୍ର ।
ସେହିପରି ୱାଶିଂଟନ ବିଶ୍ୱ ବିଦ୍ୟାଳୟର ଆଇଏଚଏମ କରିଥିବା ଆକଳନକୁ ଭୁଲ ବୋଲି କହିଛନ୍ତି ନିରୋଜ ମିଶ୍ର । ଆସନ୍ତା ଜାନୁୟାରୀରେ ଦିନକୁ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଆକଳନ କରିଥିଲା ଆଇଏଚଏମ । ନିରୋଜ ମିଶ୍ର କହିଛନ୍ତି ସେତେବେଳକୁ ଭ୍ୟାକ୍ସିନ୍ ଆସିଯାଇଥିବ । ଡ଼ିସେମ୍ବର ସୁଦ୍ଧା ଭ୍ୟାକ୍ସିନ୍ ଆସିଯାଇଥିବ, ତେଣୁ ସେଭଳି ପରିସ୍ଥିତି ସୃଷ୍ଟି ହେବନି । କାରଣ ଅନେକ ଗୁଡ଼ିଏ କମ୍ପାନୀ ତରଫରୁ ଭ୍ୟାକ୍ସିନ୍ ଆସିବାର ସମ୍ଭବନା ରହିଛି । ବର୍ତମାନ ମୃତ୍ୟୁ ହାର ଶୁନ୍ ଦଶମିକ ୨୫ ରହିଛି । ଏହା ସଂକ୍ରମିତଙ୍କ ତୁଳନାରେ ବହୁତ କମ୍ ବୋଲି କହିଛନ୍ତି ନିରୋଜ ମିଶ୍ର ।