ଭାରତର ‘କୁକୁଡ଼ା ବେକ’ ମୋଡ଼ିବାକୁ କାହିଁକି ଚାହୁଛି ଚୀନ୍? ପଢନ୍ତୁ, ଏହା ପଛରେ କଣ ରହିଛି କାରଣ...

Advertisment
ଭାରତର ‘କୁକୁଡ଼ା ବେକ’ ମୋଡ଼ିବାକୁ କାହିଁକି ଚାହୁଛି ଚୀନ୍? ପଢନ୍ତୁ, ଏହା ପଛରେ କଣ ରହିଛି କାରଣ...

କନକ ବ୍ୟୁରୋ: ସିଲିଗୁଡ଼ି କରିଡର ଭାରତର ‘ଚିକେନ୍ ନେକ୍’ (କୁକୁଡ଼ା ବେକ) ଭାବେ ଜଣାଶୁଣା ଏବଂ ଚୀନ୍‌ ଏବେ ଏହାକୁ ଟାର୍ଗେଟ୍‌ କରୁଛି। ୨୦୧୭ରେ ଭାରତ-ଚୀନ୍ ଡୋକଲାମ ସଂକଟ ପରେ ଏହା ଏକ ଗୁରୁତ୍ବପୂର୍ଣ୍ଣ କରିଡରରେ ପରିଣତ ହୋଇଛି। ପଶ୍ଚିମବଙ୍ଗରେ ଅବସ୍ଥିତ ଏହି କରିଡର ୬୦ କିମି ଲମ୍ବା ଓ ୨୦ କିମି ଚଉଡ଼ା ଏବଂ ଏହା ଉତ୍ତର-ପୂର୍ବ ସହ ଭାରତର ମୁଖ୍ୟ ଭୂଖଣ୍ଡକୁ ସଂଯୁକ୍ତ କରୁଛି। ଏହି ସିଲିଗୁଡ଼ି କରିଡର କେବଳ ଏକ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟ ପଥ ନୁହେଁ, ତା’ ସହ ଏହା ଦକ୍ଷିଣ-ପୂର୍ବ ଏସିଆକୁ ଯିବାଆସିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରବେଶପଥ। ଏ ଅଞ୍ଚଳକୁ ବେଢ଼ି ରହିଛି ବାଂଲାଦେଶ, ନେପାଳ, ଭୁଟାନ ଓ ଚୀନ୍। ତିବ୍ବତର ଚୁମ୍ବି ଉପତ୍ୟକା ଏଠାରୁ ମାତ୍ର ୧୩୦ କିମି ଦୂର। ଏହି ଉପତ୍ୟକାର ଅଗ୍ରଭାଗରେ ଭାରତ, ନେପାଳ ଓ ଭୁଟାନର ଏକ ତ୍ରିଛକ ରହିଛି, ଯାହାକୁ କୁହାଯାଏ ଡୋକଲାମ ଅଞ୍ଚଳ।

ହିମାଳୟର ମାଉଣ୍ଟ କାଞ୍ଚନଜଙ୍ଗାରୁ ଦୁଇ ମୁଖ୍ୟ ନଦୀ ତିସ୍ତା ଓ ଜଳଦାଖା ବାହାରିଛି, ଯେଉଁଗୁଡ଼ିକ ବାଂଲାଦେଶରେ ପଶିବା ପରେ ବ୍ରହ୍ମପୁତ୍ର ନଦୀରେ ମିଶିଛନ୍ତି। ଭାରତର ଉତ୍ତରପୂର୍ବାଞ୍ଚଳରେ ୫୦ ନିୟୁତ ଲୋକ ବାସ କରନ୍ତି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଆପ୍ରବାସୀ ନେପାଳୀ ଓ ବଙ୍ଗାଳୀ। ଅର୍ଥନୀତି ଦୃଷ୍ଟିରୁ ଏହି କରିଡରର ଅତ୍ୟନ୍ତ ଗୁରୁତ୍ବ ରହିଛି। ଭାରତୀୟ ମୁଖ୍ୟ ଭୂଖଣ୍ଡ ଓ ଉତ୍ତର-ପୂର୍ବାଞ୍ଚଳ ମଧ୍ୟରେ ଏହି ପଥ ଦେଇ ବାଣିଜ୍ୟ-ବ୍ୟବସାୟ କରାଯାଏ। ଦାର୍ଜିଲିଂର ଚା ଓ କାଠ ମଧ୍ୟ ଅଞ୍ଚଳର ଗୁରୁତ୍ବ ବଢ଼ାଉଛି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ପାଖ ଦେଇ ଯାଇଥିବା ସଡ଼କ ଓ ରେଳପଥ ସିଲିଗୁଡ଼ି କରିଡର ଦ୍ବାରା ସଂଯୁକ୍ତ ହୋଇଛି। ଏହି କରିଡରକୁ ଜଗିଦେଲେ ଭାରତକୁ ବେଆଇନ ଆପ୍ରବାସନ, ବିଦେଶୀ ଆତଙ୍କବାଦୀ ଓ ମୁସଲିମ ମୌଳବାଦୀମାନଙ୍କ ପ୍ରବେଶ ସହଜ ହୋଇ ନ ଥାଏ। ଦକ୍ଷିଣ-ପୂର୍ବ ଏସିଆ ସ୍ବର୍ଣ୍ଣ ତ୍ରିଭୁଜ ପାଇଁ କୁଖ୍ୟାତ। ମ୍ୟାନ୍‌ମାର, ଥାଇଲାଣ୍ଡ ଓ ଲାଓସ୍‌ରେ ସଂଗଠିତ ଅପରାଧ ଓ ନିଶା କାରବାର ବେଶି ହୋଇଥାଏ। ଏହିସବୁ ଅଞ୍ଚଳରୁ ଭାରତର ତ୍ରିପୁରା, ମିଜୋରାମ, ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶକୁ ନିଶାଦ୍ରବ୍ୟ ଚୋରା ଚାଲାଣର ବିପଦ ସବୁବେଳେ ରହିଥାଏ। ଦେଶର ସୁରକ୍ଷା ପାଇଁ ମଧ୍ୟ ଏହା ଏକ ବିପଦ। ତେଣୁ ଚିକେନ୍ ନେକ୍ ତଥା ସିଲିଗୁଡ଼ି କରିଡରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ସମଗ୍ର ଅଞ୍ଚଳକୁ ସୁରକ୍ଷିତ ରଖିବାକୁ ଭାରତ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିଛନ୍ତି।

ଏଠାରୁ ତିବ୍ବତ ପାଖ ହୋଇଥିବାରୁ ଭାରତ ପାଇଁ ଚୀନ୍‌ର କାର୍ଯ୍ୟକଳାପ ଉପରେ ନଜର ରଖିବା ସୁବିଧାଜନକ ହୋଇଥାଏ। ଚୀନ୍ ଉକ୍ତ ଅଞ୍ଚଳରେ ଅନେକ ରାସ୍ତାଘାଟ, ବିମାନଘାଟି ଆଦି ନିର୍ମାଣ କରିଛି। ଯୁଦ୍ଧ ହେଲେ ଏହି ପଥ ଦେଇ ସୈନ୍ୟମାନଙ୍କ ପାଖରେ ସହଜରେ ଅସ୍ତ୍ରଶସ୍ତ୍ର ପହଞ୍ଚାଯାଇ ପାରିବ। ବେଲ୍‌ଟ ଆଣ୍ଡ୍ ରୋଡ୍‌ ଯୋଜନାରେ ଚୀନ୍ ନିଜର ବିଶ୍ବ ବାଣିଜ୍ୟ ବୃଦ୍ଧି କରିବା ଆଳରେ ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ବ୍ୟାପକ ପୁଞ୍ଜିନିବେଶ କରୁଛି। ଶୁଝିବା କ୍ଷମତା ନ ଥିବା ଦେଶଗୁଡ଼ିକୁ ଋଣଭାରରେ ବୁଡ଼େଇ ଚୀନ୍ ଏହାର ରାଜନୈତିକ ଫାଇଦା ନେବାକୁ ଚାହୁଛି ବୋଲି ପାଶ୍ଚାତ୍ୟ ଦେଶଗୁଡ଼ିକ ସମାଲୋଚନା କରିଆସୁଛନ୍ତି। ଇତିମଧ୍ୟରେ ଚୀନ୍ ସହ ଅନେକ ଥର କଥାବାର୍ତ୍ତା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ସୀମାନ୍ତରେ ଚୀନ୍ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ଓ ଅଧିକ ସୈନ୍ୟ ନିୟୋଜିତ କରିବା ହେତୁ ଭାରତ ଅନୁରୂପ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛି। ଏପରି ସମୟରେ ଚିକେନ୍ ନେକ୍‌ର ଗୁରୁତ୍ବ ଆହୁରି ବୃଦ୍ଧି ପାଇଛି, ଯାହାକୁ ବିଧ୍ବସ୍ତ କରିବାକୁ ଚାହୁଁଛି ଚୀନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe