କନକ ବ୍ୟୁରୋ: ଦେଶରେ, ରାଜ୍ୟରେ ଏବେ ସବୁଠି ଚାଲିଛି ନିର୍ବାଚନ । ଲୋକ ଭୋଟ୍ ଦେଉଛନ୍ତି, ନିଜ ପ୍ରତିନିଧି ବାଛୁଛନ୍ତି । ତେବେ ଏହି ସମୟରେ ଆପଣ ଗୋଟିଏ କଥା ଲକ୍ଷ୍ୟ କରିଥିବେ ଯେ, ଭୋଟ୍ ଦେବା ବେଳେ ଭୋଟରଙ୍କ ହାତରେ ଏକ ସ୍ୱତନ୍ତ୍ର କାଳି ବ୍ୟବହାର କରାଯାଇଥାଏ । ଯାହା ହଠାତ୍ ହାତରୁ ଲିଭିନଥାଏ । ହେଲେ ଏହି ସ୍ୟାହି କାହିଁକି ବ୍ୟବହାର କରାଯାଏ? ଏହାର ଦାମ କେତେ? ଆଉ ଏ କାଳି କାହିଁକି ଲିଭେନି ତା ଆପଣ ଜାଣିଛନ୍ତି କି?

Advertisment

ନିର୍ବାଚନ ବେଳେ ବ୍ୟବହାର ହେଉଥିବା ଏହି ସ୍ୟାହିର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଗୋଟିଏ ଲିଟର ଏହି ନୀଳ ସ୍ୟାହିର ଦାମ ପାଖାପାଖି ୧୨ ହଜାର ୭ ଶହ ଟଙ୍କା ହେବ । ଅର୍ଥାତ ୧୦ ଏମଏଲ୍ ସ୍ୟାହି ଥିବା ଗୋଟିଏ ଛୋଟ ବୋତଲ କିଣିବାକୁ ନିର୍ବାଚନ ଆୟୋଗ ୧୨୭ ଟଙ୍କା ଖର୍ଚ୍ଚ କରିଥାନ୍ତିି । ଖାଲି ସେତିକି ନୁହେଁ, ୨୦୧୯ ନିର୍ବାଚନ ସମୟରେ ଏହି ନୀଳ ସ୍ୟାହି କିଣିବାକୁ ପାଖାପାଖି ୩୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ଭାରତର ନିର୍ବାଚନ ଆୟୋଗ ।

ଭୋଟ୍ ଦେଲାବେଳେ ଭୋଟରଙ୍କ ହାତରେ ଏହି ନୀଳ ରଙ୍ଗର କାଳି ଲଗାଯାଇଥାଏ । ଯାହାକି ଖୁବ୍ କମ୍ ସମୟ ଭିତରେ ଶୁଖିଯିବା ସହିତ, ଜଲଦି ହାତରୁ ଲିଭିନଥାଏ । ଏହି ନୀଳ ସ୍ୟାହିକୁ ଶୁଖିବାକୁ କେବଳ ୪୦ ସେକେଣ୍ଡରୁ କମ୍ ସମୟ ଲାଗୁଥିବାବେଳେ, ଏହା ହାତରେ କମ୍ ସେ କମ୍ ୭୨ ଘଂଟା ରହିଥାଏ । ଯାହା ଫଳରେ ଜଣେ ଭୋଟର ଥରେ ଭୋଟ୍ ଦେଲା ପରେ ଆଉ ଥରେ ଠକେଇ କରି ଭୋଟ୍ ଦେଇପାରିନଥାଏ ।

ନିର୍ବାଚନ୍ ଭୋଟ୍ ବେଳେ ବ୍ୟବହାର ହେଉଥିବା ଏହି ସ୍ୟାହି ପଛରେ ଏକ ପୁରୁଣା ଇତିହାସ ରହିଛି । ଯାହାକି ଏ ସ୍ୟାହିର ବ୍ୟବହାର କାହିଁକି ହୋଇଥାଏ ତାର କାରଣ କହିଥାଏ । କୁହାଯାଏ ଦେଶର ପ୍ରଥମ ନିର୍ବାଚନ ବେଳେ ଏହି କାଳି ବ୍ୟବହାର ହୋଇନଥିଲା । ଯେଉଁ କାରଣରୁ ଅନେକ ସ୍ଥାନରେ ଭୋଟ୍ ଫର୍ଜି ହେବା ଦେଖିବାକୁ ମିଳିଥିଲା । ହେଲେ ଏହାପର ନିର୍ବାଚନଠାରୁ, ୧୯୬୨ ମସିହାରୁ ଏହି କାଳିର ବ୍ୟବହାର ହୋଇଆସୁଛି ।

ଭୋଟ୍ ବେଳର ଏହି କାଳିକୁ ଦେଶର ଏକମାତ୍ର କମ୍ପାନୀ ପ୍ରସ୍ତୁତ କରିଥାଏ । ଯାହାକି କର୍ଣ୍ଣାଟକର ମୈସୁରରେ ରହିଛି । ମୈସୁର ପେଣ୍ଟ ଆଣ୍ଡ ବର୍ନିସ୍ ଲିମିଟେଡ୍ ନାମକ ଏହି କମ୍ପାନୀ ଏହି ସ୍ୱତନ୍ତ୍ର କାଳିକୁ ବଜାରରେ କେବେ ବି ବିକ୍ରି କରିନଥାଏ । ଏହା କେବଳ ଭାରତରେ ନିର୍ବାଚନ କାମରେ ହି ବ୍ୟବହାର ହୋଇଥାଏ । ଯାହା କି ଆଜି ବି ଅନେକଙ୍କୁ ଅଜଣା ଥିବ । ତେବେ ଖାଲି ଭାରତ ନୁହେଁ, ବିଶ୍ୱର ଅନେକ ଦେଶରେ ମଧ୍ୟ ଏହି ସ୍ୟାହିର ବ୍ୟବହାର କରାଯାଇଥାଏ ।