କିଏ କରୁଛି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ? ସୁରକ୍ଷା ଉପରେ ଉଠିଲାଣି ପ୍ରଶ୍ନ, ମୋବାଇଲ କଟକଣା ନାମକୁ ମାତ୍ର?

208

କନକ ବ୍ୟୁରୋ : ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହେଉଛି। କେତେବେଳେ କିଏ ଭିତର ବେଢ଼ାରେ ଶ୍ରୀମନ୍ଦିର ସହ ଫଟୋ ନେଲାଣି ତ କିଏ ରୋଷଘରର ଫଟୋ ଭାଇରାଲ୍ କଲାଣି। ଆଉ ପୁଣି କିଏ ଶ୍ରୀମନ୍ଦିର ଭିତରେ ବସି ଭିଡିଓ କଲିଂରେ ଚଣ୍ଡୀପାଠର ସିଧାସଳଖ ଦୃଶ୍ୟ ‌ଦେଖାଇଲାଣି। ଏବେ ମୋବାଇଲ୍ କଟକଣାର ସବୁ ସୀମା ଟପିଯାଇଛି, ‌ଯେତେବେଳେ ଗର୍ଭଗୃହ, ରତ୍ନସିଂହାସନର ଫଟୋ ଭାଇରାଲ୍ ହେବା ଚର୍ଚ୍ଚାକୁ ଆସିଛି। ଏହା କେବଳ ଶ୍ରୀମନ୍ଦିରରେ ସୁରକ୍ଷାର ହୁଗୁଳା ବ୍ୟବସ୍ଥାକୁ ସର୍ବସମ୍ମୁଖକୁ ଆଣୁନି, ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ଗୁପ୍ତ ନୀତିକୁ ବିପଦ ଭିତରକୁ ଠେଲିଦେଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ଥାନାରେ ଅଭିଯୋଗ କରିଛି ସତ, କିନ୍ତୁ କିଏ ଅଭିଯୁକ୍ତ, କେବେ ଅଭିଯୁକ୍ତ ଧରାହେବେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭକ୍ତ ମହଲ। ଏଭଳି ସ୍ଥିତିରେ ଅତୀତର ମୋବାଇଲ୍ କଟକଣା କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି ।

୨୦୧୭ ମସିହାରେ ଶ୍ରୀମନ୍ଦିରରେ ଫଟୋ ଉତ୍ତୋଳନ ରୋକିବାକୁ ଗୁରୁତ୍ବ ଦିଆଯାଇଥିଲା। ସେ‌ତେବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲେ ବର୍ତ୍ତମାନର ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା। ବିଭିନ୍ନ ସ୍ତରରେ ଆଲୋଚନା ପରେ ଶେଷରେ ଶ୍ରୀମନ୍ଦିରକୁ ମୋବାଇଲ୍ ନେବାରେ କଟକଣା ଲାଗିଥିଲା। ଟଚ୍ ସ୍କ୍ରିନ୍ ମୋବାଇଲ୍ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା। କ୍ୟାମେରା ନ ଥିବା ଓ କି ପ୍ୟାଡ୍ ଥିବା ମୋବାଇଲ୍ ଅନୁମତି ଦିଆଯାଇଥିଲା। ମୋବାଇଲ୍ ଜରୁରୀ ଥିବା ଦର୍ଶାଇବା ପରେ ଶେଷରେ ସେବାୟତଙ୍କୁ ସୁବିଧାରେ ଫିଚର ମୋବାଇଲ୍ ଯୋଗାଇଦେବାକୁ ବ୍ୟବସ୍ଥା ବି କରିଥିଲା ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ୪ଟି ଏଜେନ୍ସିକୁ ସେବାୟତଙ୍କୁ ଏଭଳି ମୋବାଇଲ୍ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା। ସେବାୟତମାନେ ନିଜ ପ୍ରମାଣପତ୍ର ଦେଇ ସ୍ବଳ୍ପ ମୂଲ୍ୟରେ ଏହି ମୋବାଇଲ୍ ନେବାର ବ୍ୟବସ୍ଥା ହୋଇଥିଲା। ଯେଉଁମାନଙ୍କ ସିମ୍ ରହିଛି, ସେମାନେ ବିନା ସିମ୍‌ରେ ମୋବାଇଲ୍ ଏବଂ ଯେଉଁମାନଙ୍କୁ ସିମ୍ ନାହିଁ, ସେମାନେ ସିମ୍ ସହିତ ମୋବାଇଲ୍ ନେବାର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ସ୍ବତନ୍ତ୍ର କାଉଣ୍ଟର ବି ଖୋଲିଥିଲା। ଏପରିକି ଏହି ମୋବାଇଲ୍ ଶ୍ରୀମନ୍ଦିର ପ୍ରଶାସନର କି ନାହିଁ, ତାହା ଚିହ୍ନଟ କରିବାକୁ ମନ୍ଦିର ପ୍ରଶାସନ ତରଫରୁ ଏକ ସ୍ବତନ୍ତ୍ର ଲୋଗୋ ବି ଲାଗୁ କରାଯାଇଥିଲା। ଯେଉଁ ଲୋଗୋ ମୋବାଇଲର ପଛପଟେ ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା। ଏଥିରେ ନୀଳଚକ୍ର ଓ ଶ୍ରୀମନ୍ଦିରର ଚିତ୍ର ରହିଥିଲା। ପ୍ରାୟ ୧୦ହଜାର ସେବାୟତଙ୍କୁ ଏଭଳି ମୋବାଇଲ୍ ଦେବାକୁ ଯୋଜନା କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ, ୫୦ ପ୍ରତିଶତ ସେବାୟତଙ୍କୁ ମୋବାଇଲ୍ ମିଳିଥିଲା। କିନ୍ତୁ ଅଧିକାରୀ ବଦଳିବା ପରେ ନିୟମକୁ ଫାଇଲ୍ ତଳେ ଚାପି ଦିଆଯାଇଛି।

ଫଳସ୍ୱରୂପ, ଏବେ ଅବାଧରେ ଆଣ୍ଡ୍ରଏଡ୍ ମୋବାଇଲ୍ ନେବା ସହିତ ଶ୍ରୀମନ୍ଦିର ଭିତର ବେଢ଼ା ଓ ମହାପ୍ରଭୁଙ୍କ ଗୁପ୍ତ ନୀତିର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଭକ୍ତମାନଙ୍କୁ ମୋବାଇଲ୍ ନେବାରେ କଟକଣା ଲାଗିଥିବାରୁ କିଭଳି ଫଟୋ ଭାଇରାଲ୍ ହେଉଛି, ତହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେବାୟତ, ‌ପୁଲିସ, ଅଧିକାରୀଙ୍କ ବିନା ସଂପୃକ୍ତିରେ କିଭଳି ଫଟୋ ଉଠିପାରିବ ବୋଲି କେହି କେହି ବି ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ, ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ଥାନାରେ ଅଭିଯୋଗ କରୁଛନ୍ତି। କିନ୍ତୁ ଅଭିଯୋଗ ପରବର୍ତ୍ତୀ ପଦକ୍ଷେପ କ’ଣ ରହିଲା, ତା’ ଉପରେ ଦୃଷ୍ଟି ଦିଆଯାଉନି। ଯେଉଁଥିପାଇଁ ଅନ୍ୟମାନେ ଏଭଳି ନିୟମ ଭାଙ୍ଗିବାକୁ ବାରମ୍ବାର ସାହସ କରୁଛନ୍ତି।

ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର‌୍ୟ୍ୟନାରାୟଣ ରଥ କହିଛନ୍ତି କି ଫଟୋ ଭାଇରାଲ୍ ହେବା ଶ୍ରୀମନ୍ଦିରକୁ ଅସୁରକ୍ଷିତ କରି ଦେଇଛି। ଆତଙ୍କବାଦୀ ଆକ୍ରମଣର ଆଶଙ୍କା ସୃଷ୍ଟି କରୁଛି। ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେପଟେ ପୂର୍ବରୁ ଶ୍ରୀମନ୍ଦିରକୁ ଆଣ୍ଡ୍ରଏଡ୍ ମୋବାଇଲ୍ ନିଷିଦ୍ଧ କରାଯାଇଥିଲା। ଏହି କଟକଣାକୁ କଡ଼ାକଡ଼ି କରାଯାଉ ବୋଲି ସେ ଦାବି କରିଛନ୍ତି।