ଇଣ୍ଡୋନେସିଆର ଅଧିକାଂଶ ମୁସଲମାନ କାହିଁକି ନିଜ ପିଲାଙ୍କ ନାମ ହିନ୍ଦୁ ଦେବାଦେବୀଙ୍କ ନାଁ ଅନୁସାରେ ରଖିଥାନ୍ତି । ଜାଣନ୍ତୁ ଏହା ପଛର କାରଣ

37

ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବା ସହ ଅନେକ ଘୋଷଣା ମଧ୍ୟ କରିଛନ୍ତି ।ଏପରିକି ଇଣ୍ଡୋନେସିଆ ନାଗରିକଙ୍କ ପାଇଁ ୩୦ ଦିନିଆ ଫ୍ରି ଭିସାର ମଧ୍ୟ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ସର୍ମ୍ପକ ଆହୁରି ମଜବୁତ ହେବ ବୋଲି କୁହାଯାଉଛି ।

କିନ୍ତୁ ବାସ୍ତବରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ସାଂସ୍କୃତିକ ସର୍ମ୍ପକ ଦୁଇ ଦେଶକୁ ନିକଟତର କରାଇଛି । ଇଣ୍ଡୋନେସିଆ ବିଶ୍ୱର ସବୁଠୁ ବଡ଼ ମୁସଲିମ ଜନସଂଖ୍ୟା ବିଶିଷ୍ଟ ଦେଶ । ଏଠାରେ ହିନ୍ଦୁଙ୍କ ସଂଖ୍ୟା ଦୁଇ ପ୍ରତିଶତରୁ ମଧ୍ୟ କମ । କିନ୍ତୁ ଏଠାରେ ପ୍ରତ୍ୟେକ ସ୍ଥାନରେ ହିନ୍ଦୁ ସଂସ୍କୃତିର ଛାପ ଦେଖିବାକୁ ମିଳିଥାଏ । ଏପରିକି ଇଣ୍ଡୋନେସିଆରେ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିବା ସହ ଭାରତୀୟ ଭାଷାର ମଧ୍ୟ ଝଲକ ଦେଖିବାକୁ ମିଳିଥାଏ । ଇଣ୍ଡୋନେସିଆର ଏକ ପ୍ରମୁଖ ଦ୍ୱୀପ ହେଉଛି ଜାଭା । ଯେଉଁଠି ୬୦ ପ୍ରତିଶତ ଲୋକ ବାସ କରିଥାନ୍ତି । ୧୩ରୁ ୧୫ ଶତାବ୍ଦୀ ପର୍ଯ୍ୟନ୍ତ ଏଠାରେ ମାଜାପାହିତ ନାକ ଏକ ହିନ୍ଦୁ ସମ୍ରାଜ୍ୟ ଗଢ଼ି ଉଠିଥିଲା । ଯାହାଫଳରେ ଏଠାକାର ସଂସ୍କୃତି ଓ ଭାଷାରେ ମଧ୍ୟ ହିନ୍ଦୁ ଧର୍ମର ଛାପ ଦେଖିବାକୁ ମିଳିଥାଏ । ସବୁଠୁ ବଡ଼ କଥା ହେଲା, ଏଠାକାର ସ୍କୁଲ, ଦୋକାନ ଓ ବିଭିନ୍ନ ସର୍ବ ସାଧାରଣ ସ୍ଥାନରେ ସଂସ୍କୃତ ଭାଷାର ପ୍ରୟୋଗ ଦେଖିବାକୁ ମିଳିଥାଏ ।

ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା, ଇଣ୍ଡୋନେସିଆର ବିଭିନ୍ନ ସ୍ଥାନ ଓ ଲୋକଙ୍କ ନାମ ସଂସ୍କୃତ ଶବ୍ଦ ଅନୁସାରେ ରଖା ଯାଇଥାଏ । ଏଠାରେ ଅନେକ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ନାମ ବିଦ୍ୟା, ପ୍ରିୟା, କ୍ରୃ୍ଷ୍ଣା, ବିଷ୍ଣୁ ରଖାଯାଇଥାଏ । କାରଣ ଏଠାରେ ସଂସ୍କୃତ ଭାଷା ଜାବାନୀଜ ଭାଷାର ଏକ ଅଂଶବିଶେଷ ପାଲଟିଗଲାଣି । ଇଣ୍ଡୋନେସିଆର ରାଷ୍ଟ୍ରୀୟ ଭାଷାରେ ମଧ୍ୟ ସଂସ୍କୃତ ଭାଷାର ପ୍ରଭାବ ଦେଖିବାକୁ ମିଳିଥାଏ । ଏପରିକି ଇଣ୍ଡୋନେସିଆର ମହାନ ନେତା ସୁକର୍ଣ୍ଣଙ୍କ ନାମ ମଧ୍ୟ ମହାଭାରତର କର୍ଣ୍ଣଙ୍କ ଚରିତ୍ରରୁ ଅଣାଯାଇଛି ।

ସୁକର୍ଣ୍ଣଙ୍କ ବାପା ମହାଭାରତର କର୍ଣ୍ଣଙ୍କ ଚରିତ୍ରରେ ବେଶ ପ୍ରଭାବିତ ହୋଇଥିଲେ । କିନ୍ତୁ ମହାଭାରତ ଯୁଦ୍ଧରେ କର୍ଣ୍ଣ କୌରବଙ୍କ ପକ୍ଷ ନେଇଥିବାରୁ ନିଜର ପୁଅର ନାଁ ପୂର୍ବରୁ ସୁ(ଭଲ) କର୍ଣ୍ଣ ରଖିଥିଲେ । ଏହାଛଡ଼ା ଇଣ୍ଡୋନେସିଆର ପଞ୍ଚମ ରାଷ୍ଟ୍ରପତିଙ୍କ ନାମ ମଧ୍ୟ ମେଘାବତୀ ସୁକର୍ଣ୍ଣପୁତ୍ରୀ ରହିଥିଲା । ସବୁଠାରୁ ବଡ଼ କଥା ହେଲା, ଇଣ୍ଡୋନେସିଆ ଲୋକମାନେ ଧର୍ମ ଓ ସଂସ୍କୃତିକୁ ନେଇ ଆଦୌ ଭେଦଭାବ ରଖନ୍ତି ନାହିଁ । ଏଠାରେ ଏକ ଲୋକକଥା ମଧ୍ୟ ରହିଛି, ‘ନେମ ଇଜ ଲ ଉଇସ’ ଅଥାର୍ତ ଯେଉଁମାନେ ନିଜ ଶିଶୁଙ୍କୁ ଯେଉଁଭଳି ଦେଖିବାକୁ ଚାହାନ୍ତି ସେମାନଙ୍କ ନାଁ ମଧ୍ୟ ସେହିଭଳି ରଖାଯାଏ । ଉଦାହରଣ ଅନୁଯାୟୀ, ଯେଉଁମାନେ ନିଜ ପୁଅଙ୍କୁ ଶକ୍ତିଶାଳୀ ଭାବେ ଦେଖିବାକୁ ଚାହାନ୍ତି ସେମାନେ ତାଙ୍କ ନାଁ ଭୀମ ରଖିଥାନ୍ତି ।

ଜାଭାରେ ଅନେକ ହିନ୍ଦୁ ଓ ବୌଦ୍ଧ ମନ୍ଦିର ରହିଛି । ସେଥିପାଇଁ ଇଣ୍ଡୋନେସିଆ ଧର୍ମ ସହିର୍ଷ୍ଣୁତାର ଏକ ବଡ଼ ଉଦାହରଣ ଭାବେ ଉଭା ହୋଇଛି । ଏଠାରେ ମୁସଲିମ ଓ ହିନ୍ଦୁଙ୍କ ମଧ୍ରରେ କୌଣସି ବାଦ ବିବାଦ ନାହିଁ । ୨୦୧୦ ମସିହାରେ ଲାଲକ୍ରୃ୍ଷ୍ଣ ଆଡ଼ଭାନୀ ଇଣ୍ଡୋନେସିଆ ଗସ୍ତରେ ଯାଇଥିବା ବେଳେ ସେଠାକାର ସାମାଜିକ ମାହୋଲ ବା ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଥିବା ସର୍ମ୍ପକ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।