ସ୍ୱାସ୍ଥ୍ୟ ବିଭାଗର ପିପିପି ମୋହ । ମେସିନ କିଣୁନି, ଲାଭରେ ରହୁଛି ଘରୋଇ ସଂସ୍ଥା ।

84

କନକ ବ୍ୟୁରୋ : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବେ ଘରୋଇ-ସରକାରୀ ସହଭାଗିତା (ପିପିପି) ମୋହରେ ପଡି ଯାଇଛି। ବିଭିନ୍ନ ମେଡିକାଲ କଲେଜରେ ନିଦାନ ବା ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା, ସିଟି ସ୍କାନ ଓ ଏମଆରଆଇ ଇତ୍ୟାଦି ବ୍ୟବସ୍ଥାର ଘରୋଇକରଣ କରି ଦିଆଯାଇଛି। କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଏବେ ଏଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ସବୁ ପିପିପି ମାଧ୍ୟମରେ କରାଯାଉଛି। ଅବଶ୍ୟ ରୋଗୀ ପରୀକ୍ଷା ପାଇଁ ସିଧାସଳଖ ଅର୍ଥ ଦେଉନାହାନ୍ତି। ରୋଗୀଙ୍କ ଅର୍ଥକୁ ପିପିପିରେ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥାକୁ ସରକାର ଭରଣା କରୁଛନ୍ତି। କିନ୍ତୁ ଏଭଳି ବ୍ୟବସ୍ଥାରେ ଗୋଟିଏ ମେସିନର ମୂଲ୍ୟ ଯେତିକି ସଂପୃକ୍ତ ଘରୋଇ ସଂସ୍ଥାକୁ ସରକାର ବର୍ଷକୁ ସେତିକି ଟଙ୍କା ଦେଉଛନ୍ତି। ଗୋଟିଏ ପଟେ ସରକାର ଏସସିବିକୁ ଏମ୍‌ସ ପ୍ଲସ କରିବାକୁ ଯୋଜନା କରୁଥିବା ବେଳେ ଅନ୍ୟପଟେ ସବୁ ବ୍ୟବସ୍ଥାକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବାର ଉଦ୍ଦେଶ୍ୟକୁ ନେଇ ସନ୍ଦେହ ପ୍ରକାଶ ପାଉଛି। ଅଚଳ ହେଉଥିବା ମେସିନ ବଦଳରେ ନୂଆ ମେସିନ ନଆଣି ଏହାକୁ ପିପିପି ମୋଡରେ କାର୍ଯ୍ୟକାରୀ କରାଯାଉଛି। ସରକାରୀ କୋଠାରେ ଏହି ସବୁ ଘରୋଇ ସଂସ୍ଥାଗୁଡିକୁ ସେବା ଯୋଗାଉଛନ୍ତି।

ସୂଚନା ଅନୁଯାୟୀ କଟକ ବଡ଼ ଡାକ୍ତରଖାନା ରଂଜନରଶ୍ମି ବିଭାଗରେ ପୂର୍ବରୁ ଦୁଇଟି ସିଟି ସ୍କାନ ମେସିନ ରହିଥିଲା। ସିଟି ସ୍କାନ-ଜି ଓ ସିଟି ସ୍କାନ ସିମେନସର ଭଳି ଦୁଇଟି ମେସିନ କାମ କରୁଥିଲା। କିନ୍ତୁ ଗଲା ୫ ବର୍ଷ ହେବ ସିଟି ସ୍କାନ ସିମେନସ ମେସିନଟି ଅଚଳ ହୋଇପଡିଛି। ଏହାର ଅବଧି ମଧ୍ୟ ସରିଯାଇଛି। ଅର୍ଥାତ ଏହାକୁ ଆଉ ମରାମତି କରାଯାଇପାରିବ ନାହିଁ। ଏଠାରେ ରହିଥିବା ସିଟି ସ୍କାନ ଜି’ ମେସିନଟି ଅବଧି ଆଉ ମାତ୍ର ଦୁଇ ବର୍ଷ ରହିଛି। ସ୍ୱାସ୍ଥ୍ୟ ବିଭାଗ ଏହା ବଦଳରେ ଆଉ ନୂଆ ମେସିନ ଆଣୁନାହିଁ। ଅନ୍ୟପକ୍ଷରେ ନିଦାନ ବିଭାଗରେ ସିଟି ସ୍କାନ ବ୍ୟବସ୍ଥାକୁ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି। ସଂପୃକ୍ତ ସଂସ୍ଥା ଗୋଟିଏ ପରୀକ୍ଷାକୁ ସରକାରଙ୍କଠାରୁ ୧୧୦୦ ଟଙ୍କା ନେଉଛନ୍ତି।

ପ୍ରତିଦିନ ୧୦୦ରୁ ଅଧିକ ଅଧିକ ସିଟି ସ୍କାନ ରିପୋର୍ଟ ଏଠାରେ କରାଯାଉଛି। ଅର୍ଥାତ ସଂପୃକ୍ତ ସଂସ୍ଥା ଦିନକୁ ହାରାହାରି ୧ଲକ୍ଷ ଅର୍ଥାତ ମାସକୁ ୩୦ଲକ୍ଷ ଟଙ୍କା ନେଉଛନ୍ତି। ଏହି ହାରରେ ସ୍ୱାସ୍ଥ୍ୟ ବିଭାଗ ସଂପୃକ୍ତ ଘରୋଇ ସଂସ୍ଥାକୁ ବାର୍ଷିକ ୩ କୋଟି ୬୦ଲକ୍ଷ ଟଙ୍କା ଦେଉଛନ୍ତି। ଅନ୍ୟପକ୍ଷରେ ଏକ ଭଲ କଂପାନିର ସିଟି ସ୍କାନ ମେସିନ ମୂଲ୍ୟ ପାଖାପାଖି ୩ରୁ ୪କୋଟି ବୋଲି ଜଣେ ବିଶେଷଜ୍ଞ କହିଛନ୍ତି। ତେଣୁ ସରକାରଙ୍କ ଏଭଳି ଘରୋଇକରଣ ନିଷ୍ପତ୍ତି ନିହାତି ଭାବେ ସନ୍ଦେହର କାରଣ ହୋଇଛି। ସେହିଭଳି କଟକ ବଡ ଡାକ୍ତରଖାନାରେ ଏମଆରଆଇ ମଧ୍ୟ ପିପିପି ମୋଡରେ ହେଉଛି। ଗୋଟିଏ ଏମଆରଆଇ ପିଛା ସରକାର ଘରୋଇ ସଂସ୍ଥାକୁ ୪ହଜାର ଟଙ୍କା ଦେଉଛନ୍ତି। ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ମଧ୍ୟ ସିଟି ସ୍କାନ, ଏମଆରଆଇ ଇତ୍ୟାଦି ପିପିପି ମାଧ୍ୟମରେ ଚାଲିଛି।