ଖର୍ଚ୍ଚ ହେଉଛି ଅଧିକ ଟଙ୍କା, ହେଲେ କାହିଁକି ରାଙ୍କିଂରେ ପଛରେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ?

161

କନକ ବ୍ୟୁରୋ : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ ଫ୍ରେମୱର୍କ ତାଲିକାରେ ପଛରେ ପଡିଛନ୍ତି ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ । କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିଲେ ବି ସାମଗ୍ରିକ ବର୍ଗରେ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛାଡି ଭଲ ପ୍ରଦର୍ଶନ କରିପାରୁ ନାହାଁନ୍ତି ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ । କିନ୍ତୁ ରାଜ୍ୟର କେତେକ ଘରୋଇ ଶିକ୍ଷାନୁଷ୍ଠାନ ଏହି ତାଲିକାରେ ରହିଛନ୍ତି । ଅନ୍ୟପଟେ ସରକାର ଟଙ୍କା ଦେଉଥିଲେ ବି ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକ ନିଯୁକ୍ତିସ୍ତରରେ ଖର୍ଚ୍ଚ କରିପାରୁନାହାଁନ୍ତି । ଯାହାକୁ ନେଇ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ତେଣୁ ପ୍ରଶ୍ନ ଉଠୁଛି କାହିଁକି ସରକାରୀ ଶିକ୍ଷାନୁଷ୍ଠାନ ଭଲ ପ୍ରଦର୍ଶନ କରିପାରୁ ନାହାଁନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ ଫ୍ରେମୱର୍କ ର୍ୟାଙ୍କିଂ ତାଲିକାରେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନର ପ୍ରଦର୍ଶନ ଆଦୌ ସନ୍ତୋଷଜନକ ରହିନାହିଁ । ସାମଗ୍ରିକ ବର୍ଗରେ ଶ୍ରେଷ୍ଠ ଶହେ ତାଲିକାରେ ରାଜ୍ୟର କେବଳ ୪ଟି ଶିକ୍ଷାନୁଷ୍ଠାନ ରହିଛି । ଏଥିରେ ଦୁଇଟି ଘରୋଇ ବିଶ୍ୱବିଦ୍ୟାଳୟ ରହିଛନ୍ତି । ଆଉ ଦୁଇ ଶିକ୍ଷାନୁଷ୍ଠାନ ହେଉଛି ଏନଆଇଟି ରାଉରକେଲା ଓ ଭୁବନେଶ୍ୱର ଆଇଆଇଟି । ତେବେ ଏହି ତାଲିକାରେ ରାଜ୍ୟର ସରକାରଙ୍କ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି । ବିଶ୍ୱବିଦ୍ୟାଳୟ ବର୍ଗରେ କେବଳ ଉତ୍କଳ ବିଶ୍ୱବିଦ୍ୟାଳୟ ୮୭ ତମ ସ୍ଥାନରେ ରହିଛି ।

ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ସଜାଡିବା ପାଇଁ ସରକାର ଅନେକ ଟଙ୍କା ଖର୍ଚ୍ଚର୍ କରୁଛନ୍ତି । ବିଶ୍ୱବିଦ୍ୟାଳୟ ସଂଖା ବି ବଢୁଛି । କିନ୍ତୁ ଜାତୀୟ ର୍ୟାଙ୍କିଙ୍ଗରେ ରହିବାକୁ ସମର୍ଥ ହୋଇପାରୁନାହାନ୍ତି ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ । ବିଶ୍ୱବିଦ୍ୟାଳୟ ସ୍ତରରେ ନିଯୁକ୍ତି ମଧ୍ୟ ନୈରାଶ୍ୟଜନକ । ସିଏଜି ରିପୋର୍ଟରେ ମଧ୍ୟ ଏହା ଉଲ୍ଲେଖ ରହିଛି । ସିଏଜି ପକ୍ଷରୁ ଏହି ଦୁଇ ବିଶ୍ୱବିଦ୍ୟାଳୟକୁ ନମୁନା ଭାବେ ନିଆଯାଇଥିଲା । ଏଥିରେ ଜଣାପଡିଛି, ଉତ୍କଳ ବିଶ୍ୱବିଦ୍ୟାଳୟ, ଉତର ଓଡିଶା ବିଶ୍ୱବିଦ୍ୟାଳୟ ସହ ଆଉ ୪ଟି କଲେଜ କ୍ୟାରିୟର କାଉନସେଲିଂ ପାଇଁ ୪୧ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ପାଇଛନ୍ତି । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଥିବା ୧୭ ଲକ୍ଷ ଟଙ୍କାରୁ ଖର୍ଚ କରିଛି ମାତ୍ର ୨୯ ହଜାର ଟଙ୍କା । ଏହା କାଉନସେଲିଂ ସେଲ ଉଦଘାଟନ ପାଇଁ ଖର୍ଚ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି , ଦାୟିତ୍ୱ ନେବା ପୂର୍ବରୁ କଣ ହୋଇଥିଲା ସେ ଜାଣିନାହାନ୍ତିି ।

ସେହିପରି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ୧୨ ଲକ୍ଷ ୫୦ ହଜାର ଟଙ୍କା ପାଇଥିଲା ତେବେ ଖର୍ଚ କରିଛି ମାତ୍ର ୨ ଲକ୍ଷ ୧୩ ହଜାର ଟଙ୍କା । ଉତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି କିଶୋର କୁମାର ବସା କହିଛନ୍ତି, ଯେଉଁ ସମସ୍ୟା ଅଛି ତାର ସମାଧାନ କରିବାକୁ ଉଦ୍ୟମ କରାଯାଉଛି । ସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ନା ଶିକ୍ଷାର ମାନ କିପରି ବୃଦ୍ଧି ପାଇବ ଚିନ୍ତା କରାଯାଉଛି, ନା ଛାତ୍ରଛାତ୍ରୀମାନେ କିପରି ନିଯୁକ୍ତି ପାଇବେ, ଏ ନେଇ ପଦକ୍ଷେପ ନିଆଯାଉଛି । ଫଳରେ ର୍ୟାଙ୍କିଙ୍ଗ ତାଲିକାରୁ ବାଦ ପଡୁଛି ସରକାରୀ ଶିକ୍ଷାନୁଷ୍ଠାନ ।