ଭାଇ ନବୀନଙ୍କୁ ଅଡୁଆରେ ନ ପକାଇବାକୁ ପଦ୍ମ ପୁରସ୍କାରକୁ ଅଗ୍ରାହ୍ୟ କରିଥିଲେ ଗୀତା ମେହଟ୍ଟା! ଜାତୀୟ ଗଣମାଧ୍ୟମରେ ଗୀତା କହିଲେ ମନର କଥା

281

କନକ ବ୍ୟୁରୋ : ପଦ୍ମଶ୍ରୀ ପୁରସ୍କାରକୁ ଗୀତା ମେହଟା ଅଗ୍ରାହ୍ୟ କରିବା ନେଇ ରାଜନୀତି ସରଗରମ ହୋଇଥିବା ବେଳେ ଗୀତା କହିଛନ୍ତି ମନର କଥା । ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସକୁ ଗୀତା ମେହଟା କହିଛନ୍ତି – ପୁରସ୍କାର ତାଲିକାରେ ନାଁ ଥିବା ଜାଣିବା ପରେ ଭାଇ ନବୀନଙ୍କ ସଂପର୍କରେ ସେ ଭାବିଥିଲେ । ନିର୍ବାଚନରେ ବିଜେପି ସହ ବିଜେଡିର ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ପ୍ର୍ରିୟାପ୍ରୀତି ତୋଷଣର ଅଭିଯୋଗ ଆସୁ ବୋଲି ସେ ଚାହୁଁନଥିବା କହିଛନ୍ତି ଗୀତା । ସେପଟେ ନବୀନ କହିଛନ୍ତି, ଏହା ଗୀତାଙ୍କ ବ୍ୟକ୍ତିଗତ ନିଷ୍ପତି ।

ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାରକୁ ଅଗ୍ରାହ୍ୟ କରିଦେବା ପରେ ଗୀତା ମେହଟ୍ଟାଙ୍କ ନିଷ୍ପତିକୁ ନେଇ ଲାଗିରହିଛି ଜୋରଦାର ଚର୍ଚ୍ଚା । କାହିଁକି ସେ ଏଭଳି ନିଷ୍ପତି ନେଲେ ଏନେଇ ଗୀତାଙ୍କ ସହ ଆଲୋଚନା କରିଛି ଜାତୀୟସ୍ତରର ପ୍ରତିଷ୍ଠିତ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ । ନଜର ପକାନ୍ତୁ ଆଲୋଚନାର କିଛି ଅଂଶ ଉପରେ ।

ହିନ୍ଦୁସ୍ତାନ ଟାଇମ୍ସ
‘୨୦୧୯ ସାଧାରଣତନ୍ତ୍ର ଦିବସ ଅବସରରେ ଆପଣଙ୍କ ନାଁକୁ ପଦ୍ମଶ୍ରୀ ସମ୍ମାନ ଲାଗି ଘୋଷଣା କରାଗଲା, କିନ୍ତୁ ଆପଣ ଏହାକୁ ଅଗ୍ରାହ୍ୟ କରିଦେଲେ । କ’ଣ ପୁରସ୍କାର କମିଟି ଏ ବାବଦରେ ଆପଣଙ୍କ ସହ ଆଗରୁ ଆଲୋଚନା କରିନଥିଲେ ବା ଆପଣଙ୍କୁ ଅବଗତ କରିନଥିଲେ?’
ଗୀତା ମେହଟ୍ଟା
‘ମୁଁ ଏବେ ଏକ ହସ୍ପିଟାଲରେ ଅଛି, ତେଣୁ ମୋ ସହ ଯୋଗାଯୋଗ ହୋଇପାରିନଥିବ । ଗଣମାଧ୍ୟମରେ ପ୍ରକାଶ ପାଇଛି ବୋଲି ମୋ ସ୍ୱାମୀ ମୋତେ ସୂଚନା ନଦେବା ପର୍ଯ୍ୟନ୍ତ ମୁଁ ଜାଣିନଥିଲି ଯେ, ସେମାନେ ମୋ ନାଁକୁ ବିଚାର କରୁଛନ୍ତି । ଅବଶ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୋ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲା ।’

ହିନ୍ଦୁସ୍ତାନ ଟାଇମ୍ସ
‘ଯେତେବେଳେ ଆପଣ ପଦ୍ମ ସମ୍ମାନକୁ ଅଗ୍ରାହ୍ୟ କଲେ, କ’ଣ ଆପଣଙ୍କ ମନ ଭିତରେ ଭାଇ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ଥିଲା? ଯେହେତୁ ସେ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଏକସଙ୍ଗରେ ସାମ୍ନା କରିବେ ଏବଂ ବିଜେପିର ଜଣେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ, ସେଥିପାଇଁ ଆପଣ ସମ୍ମାନକୁ ଗ୍ରହଣ କଲେନାହିଁ?’
ଗୀତା ମେହଟ୍ଟା
‘ନିଶ୍ଚିତ ମୁଁ ମୋ ଭାଇ କଥା ଚିନ୍ତା କରୁଥିଲି । ଏଭଳି ଏକ ସମ୍ବେଦନଶୀଳ ସମୟରେ କୌଣସି ଅଡୁଆରେ ପକାଇବାକୁ ଚାହୁଁନଥିଲି ଏବଂ ସ୍ୱଜନ ତୋଷଣ ଯୋଗୁଁ ମୋତେ ସମ୍ମାନ ମିଳିଲା ଏଭଳି ଏକ ଅଭିଯୋଗ ଆସୁ ବୋଲି ଇଚ୍ଛା କରୁନଥିଲି । ଯେଉଁଥିପାଇଁ ଦୁଃଖର ସହ ପ୍ରତ୍ୟାଖ୍ୟାନ କଲି । ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ, ମୋ ନାଁ ପ୍ରକାଶ ପାଇବା ପୂର୍ବରୁ ମୁଁ ଏହା କରିପାରିଲି ନାହିଁ । କାରଣ ଭାରତ ସରକାର ଯେଉଁ ସମ୍ମାନ ଦେବାକୁ ଚାହୁଁଥିଲେ ମୁଁ ତାକୁ ଅସମ୍ମାନ କରିବାକୁ ଚାହୁଁନଥିଲି ।’

ଏହି ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ଯେ, ବିଜେଡି-ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ ଭାଇଙ୍କୁ କୌଣସି ଅଡୁଆରେ ନପକାଇବା ପାଇଁ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭଉଣୀ ଗୀତା ମେହଟ୍ଟା । ତେବେ ନାଁ ଘୋଷଣା ହେବା ପୂର୍ବରୁ ସୂଚନା ପାଇଥିଲେ, ସେ ଏହାକୁ ଅସ୍ୱୀକାର କରିଥାନ୍ତେ ଏବଂ ବିବାଦ ବଢିନଥାନ୍ତା ବୋଲି ଜାତୀୟ ଗଣମାଧ୍ୟମକୁ କହିଛନ୍ତି । ସେପଟେ ଭଉଣୀ ଗୀତା ମେହଟାଙ୍କ ନିଷ୍ପତି ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ପୁରସ୍କାରକୁ ଗ୍ରହଣ ନକରିବା ଗୀତା ମେହଟାଙ୍କ ବ୍ୟକ୍ତିଗତ ନିଷ୍ପତି ।

୨୬ ଜାନୁଆରୀ ଅବ୍ୟବହିତ ପୂର୍ବରୁ ଅନ୍ୟ ୯୩ ଜଣଙ୍କ ସହ ଲେଖିକା ଗୀତା ମେହଟ୍ଟାଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ଲାଗି ଘୋଷଣା କରାଯାଇଥିଲା । ହେଲେ ଗଣମାଧ୍ୟମରେ ଚର୍ଚ୍ଚା ପରେ ନ୍ୟୁୟର୍କରୁ ଏକ ପ୍ରେସ ବିବୃତି ଜାରି କରି ଏହି ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଥିଲେ ଗୀତା ।