ଅଧା ଆଇପିଏଲରୁ କାହିଁକି ଦଳ ଛାଡିଲେ କ୍ରିସ୍ ଗେଲ? ଜାଣନ୍ତୁ, ଏହା ପଛର କାରଣ…

187

କନକ ବ୍ୟୁରୋ: ଅଧା ଆଇପିଏଲରୁ ପଞ୍ଜାବକୁ ଲାଗିଛି ବଡ ଝଟକା । ସିକ୍ସର କିଙ୍ଗ୍ କ୍ରିସ୍ ଗେଲ ଚଳିତ ଆଇପିଏଲରେ ଖେଳିବେନି ଆଉ କୌଣସି ମ୍ୟାଚ୍ । ବହୁ ଦିନ ଧରି ବାୟୋ ବବଲରେ ରହିବା ପରେ ହଠାତ୍ ଏପରି ନିଷ୍ପତ୍ତି ନେଇଛନ୍ତି ଏହି କାରବିଆନ୍ ଖେଳାଳି । ହେଲେ ଆଇପିଏଲ୍ ମଝିରେ ଏପରି କାହିଁକି ନିଷ୍ପତ୍ତି ନେଲେ ଗେଲ୍?

ଆଇପିଏଲ୍ ଛାଡିବାକୁ ନେଇ ଗେଲ କହିଛନ୍ତି, ସେ ଟି-୨୦ ବିଶ୍ୱକପ୍ ପୂର୍ବରୁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ଚାହୁଁଛନ୍ତି । ଏହାର କାରଣ ହେଲା, ଚଳିତ ବର୍ଷ ଜୁନ୍ ମାସରୁ ଆଜିଯାଏ ସେ ବାୟୋ ବବଲରେ ରହି ଆସୁଛନ୍ତି ।  ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବିପକ୍ଷରେ ୧୪ଟି ମ୍ୟାଚ୍ ପରେ ଗେଲ ସିପିଏଲରେ ସାମିଲ ହୋଇଥିଲେ । ସିପିଏଲରେ ସେ ଲଗାତାର ମ୍ୟାଚ୍ ଖେଳିଥିଲେ ଆଉ ବାୟୋବବଲରେ ରହିଥିଲେ । ଏହାପରେ ପରେ ହଠାତ୍ ଆଇପିଏଲ୍ ଆରମ୍ଭ ହେବାରୁ ଗେଲଙ୍କୁ ପୁଣି ବାୟୋ ବବଲ ଭିତରେ ରହିବାକୁ ପଡିଥିଲା । ତେଣୁ ଏହି ବାୟୋ ବବଲ ଭିତରୁ ବାହାରିବାକୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଏହାସହିତ ଆଗାମୀ ବିଶ୍ୱକପ୍ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ପାଇଁ ମଧ୍ୟ ଗେଲ ଚାହୁଁଛନ୍ତ । ଯେଉଁ କାରଣରୁ ସେ ଚଳିତ ବର୍ଷ ଅଧାରୁ ଆଇପିଏଲ ଛାଡୁଛନ୍ତି ବୋଲି କହିଛନ୍ତି । ତେବେ ପଞ୍ଜାବ କିଙ୍ଗସ ସହିତ ତାଙ୍କ ଶୁଭକାମନା ରହିଛି ଏବଂ ତାଙ୍କର ଏହି ନିଷ୍ପତ୍ତିକୁ ଦଳ ଗ୍ରହଣ କରିଥିବାରୁ ସେ ଦଳର ମ୍ୟାନେଜମେଣ୍ଟକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

୪୨ ବର୍ଷୀୟ ଗେଲ ଚଳିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ପଞ୍ଜାବ ପକ୍ଷରୁ କେବଳ ୨ଟି ମ୍ୟାଚ୍ ଖେଳିଛନ୍ତି । ହେଲେ ଏହି ଦୁଇ ମ୍ୟାଚରେ ତାଙ୍କର ପ୍ରଦର୍ଶନ ସେତେଟା ଖାସ୍ ନଥିଲା । ଏହା ମଧ୍ୟ ଆଇପିଏଲରୁ ତାଙ୍କର ଓହରିବାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଆଗାମୀ ଅକ୍ଟୋବର ୧୭ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି, ତେଣୁ ୧୫ ଦିନ ପୂର୍ବରୁ ନିଜକୁ ବ୍ରେକ୍ ଦେଇ ଗେଲ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଗେଲଙ୍କ ଅନୁପସ୍ଥିତି ପଞ୍ଜାବ ପାଇଁ ସେତେଟା ଅସୁବିଧା ସୃଷ୍ଟି କରିନପାରେ । ଦଳ ଏବେ ମୟଙ୍କ ଓ ରାହୁଲ ଯୋଡି ସହିତ ଓପନିଂ କରିବାକୁ ପଡିଆକୁ ଓହ୍ଲାଉଛି । ତେଣୁ ଗେଲଙ୍କ ଅନୁପସ୍ଥିତି ଦଳର ପ୍ରଦର୍ଶନକୁ ସେତେଟା ପ୍ରଭାବିତ କରିପାରିବନି । ପଞ୍ଜାବ ଏବେ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ଅଛି, ଦଳ ୧୧ଟି ମ୍ୟାଚରୁ ୪ଟି ବିଜୟ ଓ ୭ଟି ପରାଜୟ ସହ ୮ ପଏଣ୍ଟ ପାଇଛି । ତେଣୁ ପ୍ଲେ-ଅଫରେ ସ୍ଥାନ ପକ୍କା କରିବାକୁ ହେଲେ ଦଳ ଆଗାମୀ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ହେବ ।