ବାହାରୁ ଆମଦାନୀ ବଢାଉଛି ଖାଇବା ତେଲର ଦର : ଖାଦ୍ୟ ଶସ୍ୟ ଉତ୍ପାଦନରେ ଆଗୁଆ ଦେଶ ଓ ରାଜ୍ୟ; ହେଲେ ତୈଳବୀଜ ଉତ୍ପାଦନରେ ନାହିଁ ଚାଷୀଙ୍କ ଆଗ୍ରହ

 ବିଶେଷଜ୍ଞ କହିଲେ ସମସ୍ୟା ସମାଧାନର ସୂତ୍ର

122

କନକ ବ୍ୟୁରୋ : ଭାରତ ଓ ଓଡ଼ିଶା ଧାନ ଉତ୍ପାଦନରେ ବଳକା ହୋଇଥିବା ବେଳେ ଖାଇବା ତେଲରେ ଆତ୍ମନିର୍ଭର ହୋଇପାରିନାହାନ୍ତି । ଆମ ଦେଶର ୭୦ ଭାଗ ଖାଇବା ତେଲ ବିଦେଶରୁ ଆମଦାନୀ କରାଯାଇଥାଏ । ୬ ମାସ ଭିତରେ ଖାଇବା ତେଲ ଦର ଅତ୍ୟଧିକ ବଢ଼ିଯିବା ପରେ ଓଡ଼ିଶାର ଚାଷୀ କାହିଁକି ତୈଳବୀଜ ଚାଷ ପ୍ରତି ଯଥେଷ୍ଟ ଆଗ୍ରହ ଦେଖାଉନାହାନ୍ତି ବୋଲି ପ୍ରଶ୍ନ ଉଠୁଛି । ଆଉ ତା’ର ଉତ୍ତର ଦେଇଛନ୍ତି କିଛି ବିଶେଷଜ୍ଞ ।

ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ସୋରିଷ, ସୂର୍ଯ୍ୟମୂଖୀ, ଚିନାବାଦାମ ଭଳି ତୈଳବୀଜ ଚାଷ କରାଯାଇଥାଏ । ଚାଷୀର ବିଲରେ ସୁନା ଫୁଟେ, ମାତ୍ର ଅନେକ ସମୟରେ ଚାଷୀ ବଜାରରେ ଉପଯୁକ୍ତ ମୂଲ୍ୟ ପାଏନି । ସୂର୍ଯ୍ୟମୂଖୀ ମଂଜି କିଣିବା ପାଇଁ ସରକାର ସର୍ବନିମ୍ନ ମୂଲ୍ୟ ବା ଏମଏସପି କ୍ୱିଂଟାଲ ପିଛା ୫୭୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ହେଲେ ଚାଷୀମାନେ ଅନେକ ସମୟରେ ସୂର୍ଯ୍ୟମୂୁଖୀ ମଂଜିକୁ କିଂଟାଲ ପିଛା ୩ ହଜାର ଟଙ୍କାରେ ବିକିବାକୁ ବାଧ୍ୟ ହୋଇଥାନ୍ତି ।

ତିନି କେଜି ସୂର୍ଯ୍ୟମୂଖୀ ମଂଜିରୁ ପ୍ରାୟ ୧ କେଜି ସୂର୍ଯ୍ୟମୂଖୀ ତେଲ ବା ସନଫ୍ଲାୱାର ଅଏଲ୍ ମିଳିଥାଏ । ଅମ୍ଲଯୁକ୍ତ ମାଟିରେ ବି ଲାଇମ୍ ବା ଚୂନ ଦେଇ ସୂର୍ଯ୍ୟମୂଖୀ ଚାଷ କରାଯାଇପାରିବ । ଓଡ଼ିଶାରେ ମୁଖ୍ୟତଃ କମ ବୃଷ୍ଟିପାତ ଅଂଚଳରେ ସୋରିଷ, ରାଶି ଓ ସୂର୍ଯ୍ୟମୂଖୀ ଭଳି ତୈଳଜାତୀୟ ଫସଲ କରିଥାନ୍ତି ଚାଷୀ । ଠିକ ମାନର ମଂଜି ଓ ଠିକଣା ସମୟରେ ଜମିରେ ପାଣି ଦେଲେ ଅଧିକ ଉତ୍ପାଦନ ହୋଇପାରନ୍ତା କହନ୍ତି ବିଶେଷଜ୍ଞ ।

ପୂର୍ବରୁ ରାଜ୍ୟରେ କେନ୍ଦ୍ରାପଡ଼ା ଭଳି କିଛି ଅଂଚଳରେ ଅନେକ ଚାଷୀ ଚିନାବାଦାମ ଚାଷ କରୁଥିଲେ । ମାତ୍ର ଦିନକୁ ଦିନ ତେଲ କଳ କମିଗଲା ଓ ତେଲ ପ୍ରକ୍ରିୟାକରଣ କାରଖାନା କମିଗଲା । ତେଣୁ ଚାଷୀ ଉପଯୁକ୍ତ ମୂଲ୍ୟ ପାଇଲେ ନାହିଁ ।