କେନ୍ଦ୍ରସରକାରଙ୍କ କୃଷି ଆଇନ ବିରୋଧରେ ପଞ୍ଜାବ ଓ ହରିଆଣାର ହଜାର ହଜାର କୃଷକ ଗୁରୁବାର ଓ ଶୁକ୍ରବାର ଦିଲ୍ଲୀରେ ଧାରଣା ଦେଇଛନ୍ତି । ଏହାସହ ସାରାଦେଶର କୃଷକଙ୍କୁ ଦିଲ୍ଲୀ ଚାଲର ଡାକରା ଦେଇଛନ୍ତି

147

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ପଞ୍ଜାବ ଓ ହରିଆଣାର ହଜାର ହଜାର ଚାଷୀ ଏବେ ଦିଲ୍ଲୀରେ ଧାରଣା ଦେଇଛନ୍ତି । ଏହା ସହ ଦିଲ୍ଲୀ ଚାଲ କିଷାନ ମାର୍ଚ୍ଚ ଆରମ୍ଭ କରିଛନ୍ତି । ଏହି ମାର୍ଚ୍ଚକୁ ରୋକିବାକୁ ପଞ୍ଜାବ ଓ ହରିଆଣାର ସରକାର ନିଜ ନିଜ ରାଜ୍ୟର ସୀମାକୁ ସିଲ୍ କରିଦେଇଛନ୍ତି । ଏହାସହ ଚାଷୀଙ୍କୁ ଦମନ କରିବାକୁ ଶହ ଶହ ପୋଲିସକର୍ମୀଙ୍କୁ ନିୟୋଜିତ କରିଛନ୍ତି । ଅନ୍ୟପଟେ କେନ୍ଦ୍ରସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଯେଉଁ ନୂତନ କୃଷି ଆଇନ୍ ଲାଗୁ କରାଯାଇଛି ତାହା କୃଷକଙ୍କ ହିତରେ ଓ କୌଣସି ପରିସ୍ଥିତିରେ ତାହାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ । ଏହି ଆଇନକୁ ମୋଦି ସରକାର ଚାଷୀଙ୍କ ପାଇଁ ବରଦାନ କହୁଥିବା ବେଳେ ଏହାକୁ କାହିଁକି ବିରୋଧ କରୁଛନ୍ତି ଦେଶର ଚାଷୀ ।

  • ଏହି ଆଇନ ଆସିବା ପରେ କୃଷକ ମାନଙ୍କ ମଧ୍ୟରେ ଭୟ ସଂଚାର ହୋଇଛି ଯେ ଏଭଳି ଆଇନ ଲାଗୁ କରି ସରକାର କୃଷି ଉତ୍ପାଦ ସାମଗ୍ରୀର ସର୍ବନିମ୍ନ ଦର ଶେଷ କରିଦେବେ । ଅନ୍ୟପଟେ ଏହାର କାରଣ ଭାବେ କୁହାଯାଉଛି ଯେ ସରକାର ସରକାରୀ ମଣ୍ଡି ବନ୍ଦ କରି ମଣ୍ଡି ବାହାରେ କୃଷି ଉତ୍ପାଦ ବିକ୍ରି କରିବାକୁ ଯୋଜନା କରିଛନ୍ତି । ଗୋଟିଏ ପଟେ ମଣ୍ଡି ଭିତରୁ କୃଷି ଉତ୍ପାଦ କିଣୁଥିବା ବେସରକାରୀ ସଂସ୍ଥା ମାନେ କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ବାଧ୍ୟ ଥିବା ବେଳେ ମଣ୍ଡି ବାହାରେ ଏନେଇ କୌଣସି ପ୍ରାବଧାନ ନାହିଁ ।
  • ଏହି ବିଲ୍ ମାଧ୍ୟମରେ ସରକାର ସରକାରୀ ମଣ୍ଡି ବନ୍ଦ କରିବାକୁ କହିଥିବା ବେଳେ କିନ୍ତୁ ଏନେଇ କିଛି ଲିଖିତ ପ୍ରାବଧାନ ନାହିଁ । ମାତ୍ର ମଣ୍ଡି ବନ୍ଦ ନହୋଇ ଯଦି ମଣ୍ଡି ବାହାରେ ଅଧିକ ଦାମରେ ଚାଷୀ ତାର ଉତ୍ପାଦନ ସମାଗ୍ରୀ ବିକ୍ରି କରେ ତେବେ ସ୍ୱତପ୍ରବୃତ ଭାବେ ସରକାରୀ ମଣ୍ଡି ବନ୍ଦ ହୋଇଯିବ । ଏହାକୁ ନଜରରେ ରଖି କୃଷକ ମାନେ ଭୟଭିତ ହୋଇଛନ୍ତି ।
  • ଏହି ବିଲ୍ ମାଧ୍ୟମରେ ଗୋଟିଏ ଦେଶ ଦୁଇଟି ବଜାର ଭଳି କଥା ଦେଖା ଦେଇଛି । କାରଣ ମଣ୍ଡିରେ କୃଷି ସାମଗ୍ରୀ କିଣୁଥିବା ଟ୍ରେଡର ମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ବ ମାତ୍ର ମଣ୍ଡି ବାହାରେ କୃଷି ସାମଗ୍ରୀ କିଣୁଥିବା ଟ୍ରେଡର ମାନଙ୍କୁ ଟ୍ୟାକ୍ସ ଛାଡ ଭଳି ନିୟମ ଏହି ବିଲ୍ ମାଧ୍ୟମରେ ସରକାର ଆଣିଛନ୍ତି । କହିରଖୁ କି ମଣ୍ଡି ଭିତରୁ ସାମଗ୍ରୀ କିଣୁଥିବା ଟ୍ରେଡର ମାନଙ୍କୁ ୬ ରୁ ୭ ପ୍ରତିଶତ ଟ୍ୟାକ୍ସ ବା କର ଦେବାକୁ ପଡିବ ।
  • ଏନେଇ କୃଷକ ମାନେ ଅଭିଯୋଗ କରିଛନ୍ତି କି ଯେତେବେଳେ ବେପାରୀ ମାନେ ମଣ୍ଡି ବାହାରେ ବିନା ଟ୍ୟାକ୍ସରେ କୃଷକ ମାନଙ୍କର ସାମଗ୍ରୀ କିଣିବେ ସେତେବେଳେ ଧିରେ ଧିରେ ମଣ୍ଡି କମଜୋର ହୋଇଯିବ । କୃଷକ ମାନେ ସେମାନଙ୍କର ସମାଗ୍ରୀ ଖୋଲା ବଜାରରେ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରିବେ । ଫଳରେ ସରକାରୀ ମଣ୍ଡି ବ୍ୟବସ୍ଥା ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବ । ସେତେବେଳେ ଖୋଲା ବଜାରରେ ବେପାରୀ ମାନେ ତାଙ୍କ ମନଇଚ୍ଛା ଦର ଦେଇ ସାମଗ୍ରୀ କିଣିବେ ଓ ବିକଳ୍ପ ବ୍ୟବସ୍ଥା ନଥିବାରୁ ଚାଷୀ ମାନେ ସେମାନଙ୍କର ସାମଗ୍ରୀକୁ ଖୋଲା ବଜାରରେ ବିକିବାକୁ ବାଧ୍ୟ ହେବେ ।
  •  କୃଷକ ମାନଙ୍କର ଏଭଳି ଚିନ୍ତା ଭିତରେ ରାଜ୍ୟସରକାର ମାନେ ଭୟଭିତ ହୋଇପଡିଛନ୍ତି । ଯେତେବେଳେ ଖୋଲା ବଜାରରେ କୃଷକ ମାନେ ସେମାନଙ୍କର ସାମଗ୍ରୀ ବିକ୍ରି କରିବେ ସେତେବେଳେ ରାଜ୍ୟସରକାର ମାନଙ୍କୁ ବେପାରୀଙ୍କ ନିକଟରୁ ମିଳୁଥିବା କର ବା ଟ୍ୟାକ୍ସ ବନ୍ଦ ହୋଇଯିବ । ଯାହାକି ପ୍ରତି ରାଜ୍ୟ ରାଜକୋଷ ଉପରେ ପ୍ରଭାବ ପକାଇବ ।
  • ଏହି ବିଲ୍ ରେ କଣ୍ଟାକ୍ଟ ଫାର୍ମିଂ ଭଳି ବ୍ୟବସ୍ଥା ରହିଛି । ଏହି ବିଲ୍ ମାଧ୍ୟମରେ ସରକାର କୌଣସି କୃଷି ସମସ୍ୟା ନେଇ କୃଷକ ମାନେ ଅଦାଲତକୁ ଯାଉଥିବାର ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି । କମ୍ପାନୀ ଓ କୃଷକ ମାନଙ୍କ ଭିତରେ କିଛି ବିବାଦ ଦେଖାଦେଲେ ତାହାକୁ ଏସଡିଏମ୍ ଫୌଶଲା କରିବେ । କୃଷକ ମାନେ ଡି.ଏମ ବା ଏସଡିଏମ୍ ଉପରେ ଭରଶା କରିପାରୁ ନାହାନ୍ତି । କାରଣ ସେମାନଙ୍କର ଏଭଳି ବିଶ୍ୱାସ ରହିଛି ଯେ ଏହି ଦୁଇଟି ପଦବୀରେ ବସିଥିବା ସରକାରୀ କର୍ମଚାରୀ ମାନେ ସରକାରଙ୍କ କାଠ ପିତୁଳା ସେମାନେ କେବେବି କୃଷକ ମାନଙ୍କ ହିତ ପାଇଁ ନ୍ୟାୟ ଦେବେ ନାହିଁ ।
  •  ଗୋଟିଏ ପଟେ କେନ୍ଦ୍ରସରକାର ଆଇନ ପରିସରକୁ ଯେଉଁ କଥା ଆଣି ନାହାନ୍ତି ତାହାକୁ ଆଇନ ବାହାରେ ପ୍ରକାଶ କରୁଛନ୍ତି । ଯାହା ଦ୍ୱାରା କୃଷକ ମାନଙ୍କ ଭିତରେ ଏକ ଭ୍ରମ ଦେଖା ଦେଇଛି । ସରକାର ଅଫିସିଆଲି କହୁଛନ୍ତି କି ସରକାର ଏମଏସପି ଜାରି ରଖିବେ ଓ ମଣ୍ଡି ବନ୍ଦ୍ କରିବେ ନାହିଁ । ହେଲେ ନୂତନ କୃଷି ଆଇନରେ ଏକଥା ଲିଖିତ ନାହିଁ ।

ଏନେଇ କୃଷକ ମାନଙ୍କ ଭିତରେ ଭୟ ସଂଚାର ହୋଇଛି । କୃଷକ ନେତା ମାନେ କହିଛନ୍ତି କି ଏନେଇ ସରକାରଙ୍କୁ କାଠଗଡାରେ ଠିଆ କରାଯିବ । କାରଣ ସେମାନେ ସଭା ସମିତି ବା ପାର୍ଟି ଫୋରମରେ ଯାହା କହୁଛନ୍ତି ତାହା ବିଶ୍ୱାସ ଯୋଗ୍ୟ ନୁହେଁ । ମାତ୍ର ଆଇନରେ ଯାହା ଲିଖିତ ଅଛି ତାହା ହିଁ ଏ ସରକାର ଆଗାମୀ ଦିନରେ ଲାଗୁ କରିବେ । ଯାହା ଫଳରେ ସରକାର କୃଷକ ମାନଙ୍କ ବିକାଶର ଦାୟିତ୍ୱକୁ ନିଜ ମୁଣ୍ଡ ଉପରୁ ହଟାଇ ଦେବାକୁ ଯାଉଛନ୍ତି ।