କାହିଁକି ମୁଣ୍ଡ ନୁଆଁଇଲେ ମୋଦୀ ସରକାର? ବର୍ଷେକାଳ ଲଢ଼େଇ ପରେ କାହିଁକି ଦେଲେ ପଛଘୁଂଚା?

293

କନକ ବ୍ୟୁରୋ: ୩ଟି ନୂଆ କୃଷି ଆଇନ ଆସିବା ପରେ ଏହାର ପ୍ରତ୍ୟାହାର ଦାବି କରି ରାସ୍ତାକୁ ଓହ୍ଲାଇଥିଲେ ଦେଶର ଚାଷୀ ସଂଗଠନ । ଚାଷୀଙ୍କ ଏପରି ମେଳି, ଦଶନ୍ଧୀ ଦଶନ୍ଧୀ ଧରି କେବେ ବି ଦେଖିବାକୁ ମିଳିନଥିଲା । ଦିଲ୍ଲୀରୁ ପଲ୍ଲୀ ଯାଏଁ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ନୂଆ କୃଷି ଆଇନକୁ ଲାଗୁ କରିବା ପାଇଁ ମୋଦୀ ସରକାରଙ୍କ ତତ୍ପରତା, ଅନ୍ୟପଟେ ଏହାକୁ କଳା ଆଇନ କହି ପ୍ରତ୍ୟାହାର ପାଇଁ କୃଷକ ସଂଗଠନଗୁଡିକର ଜିଦ୍ ଭିତରେ ସୃଷ୍ଟି ହୋଇଥିଲା ଅଚଳାବସ୍ଥା ।

କୃଷକଙ୍କ ଦିଲ୍ଲୀ ଚଲୋ ଡାକରା ଏବଂ ଏହାକୁ ଦମନ କରିବା ପାଇଁ ସରକାରଙ୍କ ଉଦ୍ୟମ, ପରିସ୍ଥିତିକୁ ଆହୁରି ଜଟିଳ କରିଥିଲା । ଚାଷୀଙ୍କ ଟ୍ରାକ୍ଟର ରାଲି ରାଜଧାନୀର ରାଜରାସ୍ତାରେ ଏପରି ସ୍ଥିତି ସୃଷ୍ଟି କରିଥିଲା, ଯାହାର ପ୍ରଭାବ ଦେଶର କୋଣ ଅନୁକୋଣକୁ ବ୍ୟାପୀ ଯାଇଥିଲା । ରାସ୍ତାରେ ନିଆଁ ଜଳିଥିଲା, ବର୍ଷା, ଖରା, ଶୀତ କାକରରେ ଦିଲ୍ଲୀ ସୀମାରେ ଦିନରାତି ପଡ଼ି ରହିଥିଲେ ଶହ ଶହ ଚାଷୀ । କୃଷକ ନେତାଙ୍କୁ ଦେଶଦ୍ରୋହୀ କହିବାକୁ ମଧ୍ୟ ପଛାଇନଥିଲା ବିଜେପି । ଆନ୍ଦୋଳନକୁ ଭଣ୍ଡୁର କରିଦେବା ପାଇଁ ସାମ, ଦଣ୍ଡ, ଭେଦ, ସବୁପ୍ରକାର ଅସ୍ତ୍ର ପ୍ରୟୋଗ କରିଥିଲେ ମୋଦୀ ସରକାର । ଯାହା ଜଣା ପଡ଼ୁଥିଲା, କୃଷି ଆଇନ ଲାଗୁ କରିବାରେ ପଛକୁ ହଟିବେ ନାହିଁ ସରକାର ।

ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ହଠାତ୍ କାହିଁକି ମୋଦୀଙ୍କ ମନ ପରିବର୍ତନ ହେଲା । କୁହାଯାଉଛି, କୃଷି ଆଇନ ପ୍ରତ୍ୟାହାର ପଛରେ ସ୍ୱତନ୍ତ୍ର ରଣନୀତି ରହିଛି । ନିର୍ବାଚନର ଲାଭ କ୍ଷତିର ଗଣିତ ରହିଛି । ଆସନ୍ତାବର୍ଷର ୟୁପି ଓ ପଂଜାବର ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତି ନେଇଛନ୍ତି । ଦିଲ୍ଲୀ ସିଂହାସନକୁ ଦଖଲ କରିବାକୁ ହେଲେ ୟୁପି ଦେଇ ଆସିବାକୁ ପଡେ । ପଂଜାବ ନିର୍ବାଚନରେ ମଧ୍ୟ କୃଷକମାନଙ୍କ ବଡ଼ ଭୂମିକା ରହିଛି ।

କୁହାଯାଉଛି, ସରକାରଙ୍କ ୟୁଟର୍ନ ପଛରେ ରହିଛି ୧୦ଟି ପ୍ରମୁ୍ଖ କାରଣ
କୃଷି ଆଇନ ପ୍ରତ୍ୟାହାର
୧୦ଟି ପ୍ରମୁ୍ଖ କାରଣ
ପଞ୍ଜାବ ନିର୍ବାଚନରେ କୃଷକଙ୍କ ବଡ ଭୂମିକା ରହିଛି
ନିର୍ବାଚନ ପୂର୍ବରୁ କୃଷକଙ୍କ ହୃଦୟ ଜିତିବାକୁ ପ୍ରୟାସ
ଦେଶର ରାଜନୀତିକୁ ନିୟନ୍ତ୍ରଣ କରିଥାଏ ଉତ୍ତରପ୍ରଦେଶ
ୟୁପି ନିର୍ବାଚନରେ କୃଷକଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ
ପ୍ରଧାନମନ୍ତ୍ରୀ ୟୁପି ଗସ୍ତ ପୂର୍ବରୁ କୃଷକଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ
କୃଷକ ଆନ୍ଦୋଳନ ସରିଲେ ବଡ ପ୍ରସଙ୍ଗ ସରିବ
ବିରୋଧୀଙ୍କୁ ଆଉ ବଡ ପ୍ରସଙ୍ଗ ମିଳିବ ନାହିଁ
ହରିୟାଣା, ୟୁପି, ପଞ୍ଜାବ ଓ ହିମାଚଳରେ କୃଷକ ବଡ ଭୋଟ ବ୍ୟାଙ୍କ
କୃଷକଙ୍କ ଭୋଟ ନ ମିଳିଲେ ବିଜେପିକୁ ବଡ କ୍ଷତି ସମ୍ଭାବନା
ୟୁପି, ପଞ୍ଜାବ ଓ ହିମାଚଳରେ ଭୋଟ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା