କାହିଁକି ବଦଳିଲା ଫେସବୁକ୍ କମ୍ପାନୀର ନାଁ? ପଢନ୍ତୁ, ୟୁଜର୍ସଙ୍କ ଉପରେ କଣ ପଡିବ ପ୍ରଭାବ…

582

କନକ ବ୍ୟୁରୋ: ଲୋକପ୍ରିୟ ସୋସିଆଲ୍ ମିଡିଆ କମ୍ପାନୀ ଫେସବୁକ୍ ନିଜର ନାଁରେ ପରିବର୍ତ୍ତନ ଆଣିଛି । ଏଣିକି ଫେସବୁକ୍ କମ୍ପାନୀ ‘ମେଟା’ ନାମରେ ପରିଚିତ ହେବ । କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଗୁରୁବାର ଏହି ବଡ ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା, କାହିଁକି ନିଜର କମ୍ପାନୀର ନାଁ ପରିବର୍ତ୍ତନ କଲା ଫେସବୁକ୍? ଏବଂ ଏହାର ପ୍ରଭାବ ସାଧାରଣ ୟୁଜର୍ସଙ୍କ ଉପରେ କଣ ପଡିବ?

ଫେସବୁକ୍ କମ୍ପାନୀ ନିଜ ନାଁ ପରିବର୍ତ୍ତନ କରିବାର ମୁଖ୍ୟ କାରଣ ହେଉଛି – କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଏବେ ତାଙ୍କ କମ୍ପାନୀକୁ କେବଳ ଗୋଟିଏ ସୋସିଆଲ୍ ମିଡିଆ କମ୍ପାନୀ ଭାବେ ସୀମିତ ରଖିବାକୁ ଚାହୁଁନାହାଁନ୍ତି । ଏହାଠୁ ଆଗକୁ ବଢି ତାଙ୍କ କମ୍ପାନୀ ଏବେ ମେଟାଭର୍ସ ୱାଲର୍ଡ ପ୍ରସ୍ତୁତ କରୁଛି । ଯେଉଁଥିପାଇଁ କମ୍ପାନୀ ପ୍ରାୟ ୧୦ ହଜାର ଲୋକଙ୍କୁ ମଧ୍ୟ ଚାକିରି ଦେବାକୁ ଯାଉଛି । ଏହି କର୍ମଚାରୀମାନେ ମେଟାଭର୍ସ ପ୍ରସ୍ତୁତ କରିବାକୁ କମ୍ପାନୀକୁ ସାହାଯ୍ୟ କରିବେ । ତେବେ ମେଟାଭର୍ସ ହେଉଛି ଭର୍ଚୁଆଲ୍ ରିୟାଲିଟି । ଯେଉଁଠି ଲୋକମାନେ ଡିଜିଟାଲ ଜରିଆରେ ଉପସ୍ଥିିତ ରହିବେ । ଡିଜିଟାଲ ଜରିଆରେ ପରସ୍ପରକୁ ଭେଟିପାରିବେ । ତେବେ ଏହା ପୂର୍ବରୁ ମାଇକ୍ରୋସଫ୍ଟ ଭଳି ବଡ କମ୍ପାନୀ ମଧ୍ୟ ଏହି କ୍ଷେତ୍ରରେ ଆଗକୁ ବଢିସାରିଛି । ତେଣୁ ଏବେ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ଏହି କ୍ଷେତ୍ରରେ ପ୍ରବେଶ କରିଛନ୍ତି ।

ମେଟାଭର୍ସ ଦୁନିଆରେ ଆଗକୁ ବଢିବା ପାଇଁ ଫେସବୁକ୍ କମ୍ପାନୀ ନିଜ ନାଁରେ ପରିବର୍ତ୍ତନ ଆଣିଛି । କମ୍ପାନୀର ଚେଷ୍ଟା ଏହା ରହିଛି ଯେ, ଏହି କମ୍ପାନୀକୁ ଲୋକମାନେ କେବଳ ଗୋଟିଏ ସୋସିଆଲ୍ ମିଡିଆ କମ୍ପାନୀ ଭାବେ ନଜାଣି ଏହାର ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବେ । ଯେଉଁଥିପାଇଁ ଜୁକରବର୍ଗ ଏହି ବଡ ଘୋଷଣା କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫେସବୁକ୍ କମ୍ପାନୀର ନାଁ ବଦଳିବା ପରେ ମଧ୍ୟ ୟୁଜର୍ସଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଫେସବୁକ୍ କମ୍ପାନୀର ଆପ୍ ବ୍ୟବହାର କରୁଥିବା ୟୁଜର୍ସମାନେ ପୂର୍ବଭଳି ଏହାକୁ ବ୍ୟବହାର କରିପାରିବେ । ଫେସବୁକ୍ , ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପର ନାମରେ ମଧ୍ୟ କୌଣସି ପରିବର୍ତ୍ତନ ହେବନାହିଁ ।