କନକ ବ୍ୟୁରୋ : ପଞ୍ଚାୟତ ଅପେକ୍ଷା କମିଲା ପୌର ନିର୍ବାଚନ ଭୋଟ ପ୍ରତିଶତ । ସନ୍ଧ୍ୟା ୬ଟା ସୁଦ୍ଧା ୬୫ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି । ୧୦୬ପୌରପରିଷଦ, ତିନୋଟି ମହାନଗର ନିଗମ ପାଇଁ ନିଜର ପ୍ରତିନିଧି ବାଛିଛନ୍ତି ସହରାଞ୍ଚଳର ଭୋଟର । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ପଞ୍ଚାୟତ ନିର୍ବାଚନରେ ରାଜ୍ୟର ପଛୁଆ ଅଞ୍ଚଳରେ ହୋଇଥିବା ଭୋଟିଂ ଟ୍ରେଣ୍ଡ ତୁଳନାରେ ରାଜଧାନୀ ଭୁବନେଶ୍ୱରରେ କମ ମତଦାନ ହୋଇଛି । ଯେଉଁ ସ୍ଥାନରେ ସବୁଠାରୁ ଅଧିକ ଶିକ୍ଷିତ ଭୋଟର ସବୁ ପ୍ରସଙ୍ଗରେ ନିଜ ମତ ରଖିଥାନ୍ତି ସେଠାରେ ଭୋଟିଂ କମ୍ ହେବା ଚିନ୍ତା ବଢାଉଛି ।

Advertisment

ଏଥର ବି କମ୍ ରହିଲା ରାଜଧାନୀର ମତଦାନ ହାର । କାହିଁକି ଭୋଟ ଦେଉନାହାନ୍ତି ଶିକ୍ଷିତ ଭୋଟର ? ରାଜନୀତି ଚର୍ଚ୍ଚା ସବୁଠୁ ଅଧିକ ହୁଏ ରାଜଧାନୀ ଭୁବନେଶ୍ୱରରେ । ସରକାରଙ୍କ ଦୋଷ ତ୍ରୁଟି ଠାରୁ ଆରମ୍ଭ କରି ସବୁ ବିଷୟରେ ଆଲୋଚନା ସମାଲୋଚନା କରିବାକୁ ଆଗେଇ ଆସିଥାନ୍ତି ରାଜଧାନୀ ବାସିନ୍ଦା । କିନ୍ତୁ ବିଡ଼ମ୍ବନାର କଥା ହେଉଛି, ମତଦାନ କେନ୍ଦ୍ରକୁ ଆସିବାକୁ ଆଗ୍ରହ ଦେଖାନ୍ତି ନାହିଁ ପାଠୁଆ ଭୋଟର ।

ପୂର୍ବରୁ ଭୁବନେଶ୍ୱରର ଯେଉଁ ଅଲୋଡ଼ା ରେକର୍ଡ ରହିଥିଲା । ତାହା ଏଥର ନିର୍ବାଚନରେ ବି ଦେଖିବାକୁ ମିଳିଛି । ପୁଣିଥରେ ପାଖାପାଖି ଅଧା ଭୋଟର ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇନାହାନ୍ତି । ୨୦୧୩ରେ ୪୩.୩ ପ୍ରତିଶତ ଭୋଟିଂ ହୋଇଥିଲା । ୨୦୦୮ରେ ୩୮.୨୯ ପ୍ରତିଶତ ଓ ୨୦୦୩ରେ ୪୮.୮ ପ୍ରତିଶତ ଭୁବନେଶ୍ୱରବାସୀ ମତାଧିକାର ସାବ୍ୟସ୍ତ କରିଥିଲେ ।

ଭୁବନେଶ୍ୱର ‘ପୌର ନିର୍ବାଚନ’ରେ ମତଦାନ
୨୦୨୨ - ୫୦ ପ୍ରତିଶତଞ୍ଚ (ସଂଧ୍ୟା ୫ଟା ସୁଦ୍ଧା)
୨୦୧୩ – ୪୩.୩ ପ୍ରତିଶତ
୨୦୦୮ - ୩୮.୨୯ ପ୍ରତିଶତ
୨୦୦୩ – ୪୮.୮ ପ୍ରତିଶତ

କେବଳ ପୌର ନିର୍ବାଚନ ନୁହେଁ, ସାଧାରଣ ନିର୍ବାଚନରେ ବି ଏହିଭଳି ରହିଥାଏ ମତଦାନ ହାର । ୨୦୧୯ ନିର୍ବାଚନରେ ୪୫ ପ୍ରତିଶତ ଭୋଟିଂ ହୋଇଥିଲା । ଆଉ ସେଥିରେ ବଡ଼ ଯୋଗଦାନ ରହିଥିଲା ବସ୍ତିବାସିନ୍ଦାଙ୍କର । ତେଣୁ ବସ୍ତିବାସିନ୍ଦାଙ୍କ ଭୋଟ ଯୁଆଡକୁ ଯାଏ, ଫଳାଫଳ ସେହି ଅନୁରୂପ ରୁହେ ।

ଭୁବନେଶ୍ୱରରେ ଭୋଟରଙ୍କ ସଂଖ୍ୟା - ପ୍ରାୟ ୭ ଲକ୍ଷ ୨୫ ହଜାର
ବସ୍ତିରେ ରୁହନ୍ତି ପାଖାପାଖି ୨ ଲକ୍ଷ ୬୦ ହଜାର ଭୋଟର

ଶିକ୍ଷିତ ଭୋଟର ମତଦାନ ଠାରୁ ଦୂରେଇ ରହୁଥିବାରୁ ବସ୍ତିବାସିନ୍ଦାଙ୍କ ଉପରେ ଦଳ ଓ ପ୍ରାର୍ଥୀଙ୍କ ଭରସା ଓ ଗୁରୁତ୍ୱ ଅଧିକ । ବସ୍ତି ଭୋଟରଙ୍କ ମତଦାନ ହାର ୮୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ରହିଥାଏ । ସେମାନେ ହିଁ ରାଜଧାନୀ ଭୁବନେଶ୍ୱରର ଲୋକ ପ୍ରତିନିଧି ବାଛିବାରେ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି ।

ପଞ୍ଚାୟତ ନିର୍ବାଚନରେ ୭୯ ପ୍ରତିଶତ ଭୋଟିଂ ହୋଇଛି । ମାଲକାନଗିରି ଓ ରାଜ୍ୟର ଅନ୍ୟ ଉପାନ୍ତ ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । କିନ୍ତୁ ସହରବାସୀଙ୍କ ମତଦାନ ହାର କମ୍ ରହୁଛି । ଶିକ୍ଷିତ ଭୋଟର ମତଦାନ ପ୍ରତି ଏପରି ବିମୁଖ ହେବା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ । ରାଜନୀତି, ଗଣତନ୍ତ୍ର ଉପରେ ଭାଷଣ ଦେଉଥିବା ଅନେକ ପାଠୁଆ ଭୋଟର, ଲମ୍ବା ଧାଡିରେ ଛିଡ଼ା ହୋଇ ଭୋଟ ଦେବାକୁ ସମୟ ନଷ୍ଟ ବୋଲି ଭାବିବା ବିଡ଼ମ୍ବନାର ବିଷୟ ।