କରୋନା ଯାଉନି, ସନ୍ଦେହ ସରୁନି… ସଂକ୍ରମଣ ଭଳି ସମାଜରେ ମାଡି ଚାଲିଛି ସନ୍ଦେହ । ନିରବ ପ୍ରାର୍ଥନା କଲେ କି ବନ୍ଦେ ଉତ୍କଳ ଜନନୀ ଗାଇଲେ କରୋନା ଯୋଦ୍ଧାଙ୍କୁ ମିଳୁଛି କି ସମ୍ମାନ, ନା ବଦଳୁଛି ମାନସିକତା ? ସନ୍ଦେହ ଆଉ କେତେ ଦିନ ?

76

କନକ ବ୍ୟୁରୋ: ଯେତେବେଳେ କରୋନା ଯୁଦ୍ଧ ଲଢିବାକୁ କୁରୁକ୍ଷେତ୍ରକୁ ଯୋଦ୍ଧା ଓହ୍ଲାଇ ଆସିଥିଲେ ଆଉ ରାତିଦିନ ଏକ କରି ମହାମାରୀର ମୁକାବିଲା କରୁଥିଲେ । ଠିକ୍ ସେତିକି ବେଳେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ବାସ୍ ତାପରେ ସାହସୀ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ସଲାମ କରିଥିଲା ସାରା ଓଡିଶା । ଆଉ ବନ୍ଦେ ଉକ୍ରଳ ଜନନୀ ଗୀତ ଗାଇ ଆଗଧାଡିର ଯୋଦ୍ଧାକୁ ବନ୍ଦେଇଥିଲା ।

ଚିକିତ୍ସା ବେଳେ ଡାକ୍ତର, ନର୍ସଙ୍କୁ ଦୁର୍ବ୍ୟବହାର କରିବା ଘଟଣା ସାମ୍ନାକୁ ଆସିବା ପରେ କଠୋର ହୋଇଥିଲେ ସରକାର ଆଉ ଦୁର୍ବ୍ୟବହାରକାରୀଙ୍କୁ ଦଣ୍ଡ ଦେବାକୁ ବି ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ନିଜ ଘର ପରିବାର ଭୁଲି, ନିଜ ଜୀବନକୁ ବାଜିରେ ଲଗାଇ ଅହରହ କରୋନା ସହ ଲଢେଇ କରୁଥିବା ସମସ୍ତ ଯୋଦ୍ଧାଙ୍କ ସମ୍ମାନ ପାଇଁ ଦୁଇ ମାସ ତଳେ କିଛି ସମୟ ପାଇଁ ଅଟକିଯାଇଥିଲା ଓଡିଶା । ପଲ୍ଲୀରୁ ଦିଲ୍ଲୀ ଯାଏ ବନ୍ଦେ ଉତ୍କଳ ଜନନୀ ଗାଇ ଯୋଦ୍ଧାଙ୍କ ସାହହକୁ ସଲାମ କରାଯାଇଥିଲା । ଆଉ ଇଏ ହେଉଛି ଦୁଇ ମାସ ପରର ଚିତ୍ର । ଯେଉଁଠି ପ୍ରାଣବଳୀ ଦେଇଥିବା କରୋନା ଯୋଦ୍ଧାଙ୍କ ପାଇଁ ପ୍ରାର୍ଥନା କରାଯାଉଛି । ମହାମାରୀ ସହ ଲଢି ଲଢି ହାରିଯାଇଥିବା ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା କରିଛି ପୂରା ଓଡିଶା । ଆଉ ସବୁ ସାହସୀ ଯୋଦ୍ଧାଙ୍କୁ ସମ୍ମାନ ସହ ସେମାନଙ୍କୁ ସହଯୋଗ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏହି ଶପଥ କରାଇଛନ୍ତି ।

ମୁଁ ଶପଥ କରି କହୁଛି…
ଇଏ ତ ଥିଲା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାର ଗୋଟେ ଗୋଟେ ଗୌରବର ଚିତ୍ର ।

ହେଲେ ଏଠି ସେହି ସମ୍ମାନ କେମିତି ସନ୍ଦେହରେ ବଦଳିଯାଉଛି । ଯେଉଁ ହାତ ମଥା ଉପରକୁ ଉଠି ସାଲ୍ୟୁଟ୍ ମାରୁଥିଲା ସେହି ହାତ ସଂକ୍ରମଣ ସନ୍ଦେହରେ ଶବକୁ ବି ଛୁଉଁନି । ଯିଏ ଦିନେ ନିଜ ଜୀବନକୁ ପାଣି ଛଡାଇ ରାତି ଅଧରେ ବି ଲୋକଙ୍କ ସେବା କରିଥିଲେ, କରୋନାକୁ ବିତାଡିତ କରିବା ପାଇଁ ବୀର ଭଳି ଲଢିଥିଲେ । ତାଙ୍କ ମୃତ୍ୟୁ ପରେ ବି ତାଙ୍କଠୁ ସେବା ପାଇଥିବା ଏ ସ୍ୱାର୍ଥପର ମଣିଷ ମୁହଁଫେରାଇ ଆଣିଛି । ଆଉ ଶେଷ ସମୟରେ ଅନ୍ତିମ ସଂସ୍କାର ପାଇଁ ବି ମଶାଣୀ ଦେବାକୁ ମନା କରିଦେଇଛି । ମଶାଣୀ ଖୋଜୁ ଖୋଜୁ ସକାଳରୁ ରାତି ହେବା ପରେ ଜଙ୍ଗଲରେ ଜଳିଥିଲା କନ୍ଧମାଳ ଜିଲ୍ଲା ଜି. ଉଦୟଗିରିର ଡାକ୍ତର ସପନ ପ୍ରଧାନଙ୍କ ଶବ ।

କେବଳ ଡାକ୍ତର ସପନ ନୁହଁନ୍ତି, ଗଞ୍ଜାମ ଭଞ୍ଜନଗର କୋର୍ଟ ଏଏସଆଇ ରବୀନ୍ଦ୍ର ବେହେରାଙ୍କ ସହ ବି ସେମିତି କରାଯାଇଛି । ଜ୍ୱରରେ ମୃତ୍ୟୁ ହେବା ପରେ ବି ନିଜ ସମ୍ପର୍କୀୟ ତାଙ୍କୁ ଛୁଇଁ ନାହାନ୍ତି । ସେହିପରି ବ୍ରହ୍ମପୁରର ଜଣେ ଅଙ୍ଗନୱାଡି କର୍ମୀଙ୍କ ମୃତ ଦେହକୁ କାନ୍ଧ ନମିଳିବା ପରେ ମଶାଣୀରେ ମାଆ ଶବ ସହ ଝିଅ ଏକୁଟିଆ ଥିବା ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଥିଲା ।

ଖାଲି କରୋନା ଯୋଦ୍ଧା କାହିଁକି, ସାଧାରଣ ଲୋକ ବି ସନ୍ଦେହରୁ ବର୍ତ୍ତୁ ନାହାନ୍ତି । ମହାମାରୀ ବେଳେ ମଣିଷର ମନ ମରୁଭୂମି ପାଲଟିଥିବା ବେଳେ ମାନବିକତା ମରିମରି ଯାଉଛି । କେଉଁଠି ପୁଅ ନିଜ ବାପାର ଶବକୁ ଉଠାଉ ନାହିଁ ତ କେଉଁଠି ଗାଁ ଲୋକେ ମଲା ଶବକୁ କାନ୍ଧ ଦେଉନାହାଁନ୍ତି । ସନ୍ଦେହର ସନଗ୍ଲାସ ପିନ୍ଧିଥିବା ମଣିଷକୁ ଆଜି ସମସ୍ତେ ସଂକ୍ରମିତ ଦିଶୁଛନ୍ତି । ଯଦି ସମାଜରେ ସନ୍ଦେହ ଏମିତି ମହାମାରୀ ଭଳି ମାଡିମାଡି ଚାଲିବ ତେବେ ଆଗାମୀ ଦିନରେ ମଣିଷ ନିଜକୁ ମଣିଷ ବୋଲି କହି ପାରିବ ତ ? ସରକାରଙ୍କ କଥାରେ ନିରବ ପ୍ରାର୍ଥନା କରି ସମ୍ମାନ ଜଣାଇ ପୁଣି ସନ୍ଦେହ ଦୃଷ୍ଟିରେ ଦେଖିବା ମାନବିକତାକୁ ତାତ୍ସଲ୍ୟ କରୁନି ତ ? ନା ଯୋଦ୍ଧାଙ୍କୁ ଦିଆଯାଉଛି ଲୋକ ଦେଖାଣିଆ ସମ୍ମାନ ?