କନକ ବ୍ୟୁରୋ : ଚଳିତ ବର୍ଷ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ଯୋଗ ନଦେବା ଘଟଣାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ବିଜେପିର ଏହି ବରିଷ୍ଠ ନେତ୍ରୀ ଏ ନେଇ ସର୍ବ ସମ୍ମୁଖରେ କାରଣ ଜଣାଇଛନ୍ତି ।

Advertisment

ବୁଧବାର ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ବିଜେପି ବିଧାୟକ ଦଳର ନେତା ଡଃ ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଉପ ମୁଖ୍ୟମନ୍ତ୍ରୀ ଭାବେ ଜଗଦୀଶ ଦେବଡା ଓ ରାଜେନ୍ଦ୍ର ଶୁକ୍ଲ ଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି । ଏହି ସମାରୋହରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ସାମିଲ ଥିଲେ । ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏଠାରେ ଉପସ୍ଥିତ ଥିଲେ କିନ୍ତୁ ଦେଖିବାକୁ ମଳି ନଥିଲେ ବରିଷ୍ଠ ନେତ୍ରୀ ଉମା ଭାରତୀ ।

ଏନେଇ ଲୋକ ମାନେ ବିଭିନ୍ନ ମତ ଦେଉଥିବା ବେଳେ ଉମା ଭାରତୀ ଏ ନେଇ ନିଜ ଏକ୍ସ ବା ଟ୍ୱିଟର ହ୍ୟାଣ୍ଡେଲରେ କାରଣ ଜଣାଇଛନ୍ତି । କଥା କିଛି ଏପରି କି ଉମା ଭାରତୀଙ୍କୁ ପିଠି ଯନ୍ତ୍ରଣା ହେବା ସହ ସ୍ଲିପ ଡିସ୍କର ସମସ୍ୟା ରହିଛି । ଏହି କାରଣରୁ ଚିକିତ୍ସକ ମାନେ ଅଧିକ ସାବଧାନତା ଅବଲମ୍ବନ କରିବା ସହ ଯଥେଷ୍ଟ ଆରାମ କରିବା ପାଇଁ ଉପଦେଶ ଦେଇଛନ୍ତି । ଏଣୁ କରି ନିମନ୍ତ୍ରଣ ମିଳିବା ସତ୍ୱେ ଉମା ଭାରତୀ ଏହି ସମାରୋହରେ ଯୋଗ ଦେଇ ପାରି ନଥିଲେ ବୋଲି ସେ ଲେଖିଛନ୍ତି । ସ୍ୱାସ୍ଥ୍ୟଗତ ଅସୁବିଧା କାରଣରୁ ସାମିଲ ହୋଇ ପାରି ନଥିଲେ ମଧ୍ୟ ଉମା ଭାରତୀ ନବ ନିର୍ବାଚିତ ମୁଖ୍ୟ ମନ୍ତ୍ରୀ ତଥା ଉପ ମୁଖ୍ୟ ମନ୍ତ୍ରୀଙ୍କୁ ଶୁଭ କାମନା ଜଣାଇଛନ୍ତି ।